ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ କିଛି ୱେବ ମିଡିଆ ସଂସ୍ଥାର ସାମ୍ବାଦିକମାନେ ଅନେକ ସମୟରେ ବିଭିନ୍ନ କାରଣ ଦର୍ଶାଇ ଦାଦାବଟି ଆଦାୟ କରୁଥିବା ନଜିର ରହିଛି। ସେହିପରି ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଏକ ୱେବ ମିଡିଆ ସଂସ୍ଥା ପକ୍ଷରୁ ଦାଦାବଟି ଆଦାୟ କରାଯାଉଥିବା ଅଭିଯୋଗ ନନ୍ଦନକାନନ ପୋଲିସ ନିକଟରେ ପହଞ୍ଚିଛି। ଏହି ଘଟଣାରେ ପୋଲିସ ଜନୈକା ମହିଳା ସାମ୍ବାଦିକାଙ୍କ ସମେତ ତିନି ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖିଥିବାବେଳେ, ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କମ୍ପାନିର ସିଇଓ ଏପର୍ଯ୍ୟନ୍ତ ଫେରାର୍ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ନନ୍ଦନକାନନ ଅଞ୍ଚଳର ରଘୁନାଥପୁରସ୍ଥିତ ଏକ ୱେବ ମିଡିଆ ସଂସ୍ଥାର ଜଣେ ମହିଳା ସାମ୍ବାଦିକା କିଛି ଦିନ ତଳେ କେନ୍ଦ୍ରାପଡ଼ାର ଦୁଇ ଜଣ ଖଣି ବ୍ୟବସାୟୀଙ୍କୁ ଦୁର୍ନୀତିର ପର୍ଦ୍ଦାଫାସ କରିଦେବୁ କହି ଫୋନ୍ ଯୋଗେ ୧୦ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ। ଏଥିସହ କିଛି ଭିଡିଓ ଓ ତଥ୍ୟ ଫୋନ ଯୋଗେ ପଠାଇଥିଲେ। ଏହାପରେ ଭୁବନେଶ୍ଵର ଅଫିସ ଆସି ଟଙ୍କା ମୂଲଚାଲ କରିବାକୁ କହିଥିଲେ।

ଏହି କଥା ଶୁଣିବାପରେ ଭୟଭୀତ ହୋଇ ଅଗଷ୍ଟ ୧୫ତାରିଖ ଦିନ କେନ୍ଦ୍ରାପଡ଼ାର ଜଣେ ଖଣି ବ୍ୟବସାୟୀ ଓ ତାଙ୍କ ସହଯୋଗୀ ୱେବ ମିଡିଆ ଅଫିସକୁ ଯାଇଥିଲେ। ସେଠାରେ ସେମାନେ ଟଙ୍କା ଦେବାକୁ ସିଧାସଳଖ ମନା କରିବାରୁ, ଉଭୟଙ୍କୁ ଏକ କୋଠରୀରେ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ କରି ନିସ୍ତୁକ ମାଡ଼ ମାରିଥିଲେ ଉକ୍ତ ୱେବ ମିଡିଆ ସଂସ୍ଥାର କିଛି କର୍ମଚାରୀ। ସେହି କର୍ମଚାରୀଙ୍କ ମଧ୍ୟରେ ଜଣେ ମହିଳା ସିକ୍ୟୁରିଟି ଗାର୍ଡ ସାଙ୍ଗକୁ ଦୁଇ ଜଣ କର୍ମଚାରୀ ଥିବା ଜଣାପଡ଼ିଛି।

ବ୍ୟବସାୟୀମାନଙ୍କୁ ମାଡ଼ ମାରିବାପରେ ତାଙ୍କ ପରିବାର ସଦସ୍ୟଙ୍କୁ ଫୋନ କରି ଟଙ୍କା ପଠାଇବାକୁ ମଧ୍ୟ ଦାବି କରିଥିଲେ। ସେପଟେ ଏକଥା ଶୁଣି ପରିବାର ସଦସ୍ୟ ଭୟରେ ୧୦ଲକ୍ଷ ଟଙ୍କା ଯୋଗାଡ଼ କରି ଦୁଇ ଖଣି ବ୍ୟବସାୟୀଙ୍କୁ ମୁକୁଳାଇଥିଲେ।

ଏହାପରେ କେନ୍ଦ୍ରାପଡ଼ାର ବ୍ୟବସାୟୀ ଜଣଙ୍କ ଏନେଇ ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ଟିମ୍ ଘଟଣାର ତଦନ୍ତ କରି ରଘୁନାଥପୁରସ୍ଥିତ ଥିବା କାର୍ଯ୍ୟାଳୟରୁ ମହିଳା ସାମ୍ବାଦିକାଙ୍କ ସମେତ ଆଉ ତିନି କର୍ମଚାରୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଏଥିସହ ଅଫିସଟିକୁ ସିଲ୍ ମଧ୍ୟ କରାଯାଇଛି। କିନ୍ତୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତର ପତ୍ତା ଏପର୍ଯ୍ୟନ୍ତ ମିଳିନଥିବା ପୋଲିସ ପକ୍ଷରୁ ସୂଚନା ରହିଛି।

Comment