ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବେଗୁନିଆରେ ବାପ, ପୁଅଙ୍କୁ ମାଡ଼ ଘଟଣା
  • ବିବାଦରେ ଫସିଲେ ମାନବବାଦ ସଙ୍ଗଠନ ପ୍ରବକ୍ତା ମାନସ ଦାସ
  • ମାନସଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଜଣେ ବୃଦ୍ଧ ଓ ତାଙ୍କ ପୁଅକୁ ଅମାନବୀୟ ଭାବେ ନିର୍ଯାତନା ଦିଆଯାଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଧୀରେ ଧୀରେ ଏହାର ଗୁମର ଖୋଲୁଥିବା ବେଳେ ମାନବବାଦ ସଙ୍ଗଠନର ପ୍ରବକ୍ତା ମାନସ ଦାସ ଏହି ଘଟଣାରେ ଫସିଛନ୍ତି।

କ’ଣ ଥିଲା ପୂରା ଘଟଣା?

ଦୁଇ ଦିନ ତଳେ ବେଗୁନିଆର ଜଣେ ବୃଦ୍ଧ ମାଗୁଣୀ ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ କିଛି ଲୋକ ଘରୁ ଡାକି ନେଇଥିଲେ। ସେମାନଙ୍କ କଥାରେ ବାପା, ପୁଅ କରଡ଼ଗାଡ଼ିଆ ଯାଇଥିଲେ। କିଛି ବୁଝିବା ପୂର୍ବରୁ କିଛି ଲୋକ ସେମାନଙ୍କୁ ଗୋଟିଏ ଘରକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁଜୀ ମାନସ ଦାସଙ୍କ ରାଷ୍ଟ୍ରୀୟ ସାମାଜିକ ନ୍ୟାୟମଞ୍ଚ ସଙ୍ଗଠନ ବା ମାନବବାଦ ସଙ୍ଗଠନରେ କାହିଁକି ମିଶିବନି ପଚାରିଥିଲେ। ପ୍ରବଳ ମାଡ଼ ପରେ ବାପ, ପୁଅ ବେହୋସ ହୋଇଯାଇଥିଲେ। ଫଳରେ ସେମାନେ ମରି ଯାଇଥିବା ଭାବି ଅନ୍ୟମାନେ ସେହିସ୍ଥାନରୁ ପଳି ଆସିଥିଲେ। ତା’ ପର ଦିନ ଚେତା ଆସିବା ପରେ ବାପ, ପୁଅ ଘରକୁ ଫେରି ସଂପୃକ୍ତ ବ୍ୟକ୍ତିମାନଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ କରି ଏହି ଘଟଣାରେ ଗୁରୁଜୀ ମାନସ ଦାସଙ୍କ ସଂପୃକ୍ତି ଥିବା ଜାଣିବାକୁ ପାଇଛି।

ମାନସ ଦାସ କିଏ?

ମାନସ ଦାସ ହେଉଛନ୍ତି ପେସାରେ ଜଣେ ଓକିଲ। ଏବେ କିନ୍ତୁ ଗୁରୁଜୀ ମାନସ ଦାସ ଓ ଭାଇସାହେବ ଭଳି ନାଁରେ ପରିଚିତ। ଲୋକେ ତାଙ୍କୁ ମାନ୍ୟବର ବୋଲି ମଧ୍ୟ ଡାକୁଛନ୍ତି। କିଛି ଅନୁଗତଙ୍କୁ ନେଇ ସେ ଏବେ ପ୍ରଭାବଶାଳୀ ପାଲଟିଯାଇଛନ୍ତି। ମାନସ ପ୍ରଭାବଶାଳୀ ହେବା ପଛରେ ଶାସକ ଦଳ ନେତାଙ୍କ ହାତ ଥିବା କୁହାଯାଉଛି। କାରଣ ବିଗତ ଦିନରେ ମାନସଙ୍କୁ ଶାସକ ଦଳର ଅନେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ନେତାମାନେ ବି ତାଙ୍କର ପ୍ରଶଂସା କରୁଥିଲେ। ଆଗରୁ ମାନସଙ୍କ ନାଁ ଅନେକ ଅଭିଯୋଗ ଆସିଥିଲେ ବି ପୋଲିସ ତଦନ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ନେଇନି। ବଡ଼ବଡ଼ିଆଙ୍କ ସହିତ ସମ୍ପର୍କ ଥିବାରୁ ପୋଲିସ ମାନସଙ୍କ ମାମଲାରେ ହାତବାନ୍ଧି ବସିଥିବା କୁହାଯାଉଛି।

ମାନସଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ

ଗତ ୧ ତାରିଖରେ ଅଭିମାନପୁରର ଜଣେ ବ୍ୟକ୍ତି ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ଘଟିଥିଲା। ଏହା ସ୍ୱାଭାବିକ ମୃତ୍ୟୁ ନୁହେଁ ହତ୍ୟା ବୋଲି ସତ୍ୟବ୍ରତଙ୍କ ପତ୍ନୀ ଅଭିଯୋଗ କରିଥିଲେ। ଏହି ଘଟଣାରେ ମାନସ ଦାସଙ୍କ ସଂପୃକ୍ତି ଥିବା ତାଙ୍କ ପତ୍ନୀ କହିଛନ୍ତି। ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀକୁ ଫାଶୀ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି।

କେବଳ ସେତିକି ନୁହେଁ, ଜୋର ଲୋକଙ୍କୁ ଜବରଦସ୍ତ ସଂଗଠନରେ ସାମିଲ କରାଇବା, ଟଙ୍କା ଆଦାୟ କରିବା ଓ ପରିବାର ମଧ୍ୟରେ ଗଣ୍ଡଗୋଳ ଭିଆଇ ନିଜେ ଆଇନ ସହାୟତା ପ୍ରଦାନ କରିବା ଆଦି ଏକାଧିକ ଅଭିଯୋଗ ତାଙ୍କ ନାଁରେ ଅଛି। ଏବେ ପୋଲିସ ମାନସଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତା’ପରେ ଉପରେ ସମସ୍ତଙ୍କ ନଜର ରହିଛି।

Comment