ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମିଟ୍‌ ଆୱାର ଷ୍ଟାର୍ଟଅପ୍‌ ହିରୋଜ୍‌ କାର୍ଯ୍ୟକ୍ରମ ଆରମ୍ଭ
  • ଶୁଭାରମ୍ଭ କଲେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ
  • ‘ନେଷ୍ଟଏୱେ’ର ସହ ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁ କହିଲେ ତାଙ୍କ ଷ୍ଟାର୍ଟଅପ୍‌ ଯାତ୍ରାର କାହାଣୀ

ଭୁବନେଶ୍ଵର: “କୌଣସି ଗୋଟିଏ ନୂଆ କାମ ଆରମ୍ଭ କରିବା ପାଇଁ ମନରେ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି। କାରଣ ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି କାମ ଅଟକେ ନାହିଁ। ଅତୀତର ଘଟଣାବଳୀକୁ ପଛରେ ପକାଇ ସମସ୍ତଙ୍କୁ ଦିନେ ନା ଦିନେ ଆଗକୁ ଯିବାକୁ ପଡ଼ିବ। ତେଣୁ ନୂଆ ଆରମ୍ଭକୁ ଅତୀତ କେବେ ବି ପ୍ରଭାବିତ କରିପାରିବନି। କ୍ୟାରିୟର ଶେଷ ୬ ମାସ ଏବଂ ଆଗାମୀ ୬ ମାସକୁ ଲକ୍ଷ୍ୟ ରଖି ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ’’, କହିଛନ୍ତି ଦେଶର ଜଣାଶୁଣା ଷ୍ଟାର୍ଟଅପ୍‌ ‘ନେଷ୍ଟଏଓ୍ଵେ’ର ସହ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରେନ୍ଦ୍ର ସାହୁ।

ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଷ୍ଟାର୍ଟଅପ୍ ଦୁନିଆ ସହ ଯୋଡ଼ି ସେମାନଙ୍କ ମନରେ ଉଦ୍ୟୋଗୀ ମନୋଭାବ ବଢ଼ାଇବା ଲାଗି ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି ‘ମିଟ୍ ଆଓ୍ଵାର ଷ୍ଟାର୍ଟଅପ୍ ହିରୋଜ୍’ କାର୍ଯ୍ୟକ୍ରମ। ବୁଧବାର ଦିନ ଏହାକୁ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଉଦଘାଟନ କରିଥିଲେ। ‘ମୋ କଲେଜ’ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ନେଷ୍ଟଏଓ୍ଵେ’ର ସିଇଓ ଅମରେନ୍ଦ୍ର ସାହୁ ଏଥିରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ନିଜ ଷ୍ଟାର୍ଟଅପ୍ ଯାତ୍ରା ବିଷୟରେ କହିଥିଲେ। ଏଥିରେ ବହୁ ଛାତ୍ରଛାତ୍ରୀ ସାମିଲ ହୋଇ ଷ୍ଟାର୍ଟଅପ୍‌କୁ ନେଇ ସେମାନଙ୍କ ମନରେ ଥିବା ଅନେକ ପ୍ରଶ୍ନର ଉତ୍ତର ପାଇଥିଲେ। ଏହି ଅବସରରେ ୫ ଜଣ ଶ୍ରେଷ୍ଠ ପ୍ରଶ୍ନକର୍ତ୍ତାଙ୍କୁ ମୋ କଲେଜ ଅଭିଯାନ ପକ୍ଷରୁ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଥିଲା।  ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ସୁବ୍ରତ ବାଗ୍‌ଚୀ କହିଥିଲେ, “ସମସ୍ତଙ୍କ ମନ ଭିତରେ ଉଦ୍ୟୋଗୀ ମନୋଭାବ ରହିବା ଦରକାର। ଜଣେ ଉଦ୍ୟୋଗୀ ହିଁ ଗୋଟିଏ ସଂସ୍ଥା ବା ଗୋଟିଏ ଅନୁଷ୍ଠାନକୁ ତିଆରି କରିଥାଏ। ତେଣୁ ଓଡ଼ିଶାକୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ନୂଆ ପରିଚୟ ଦେବାପାଇଁ ଆମମାନଙ୍କୁ ଉଦ୍ୟୋଗ ପଛର ଉଦ୍ୟୋଗୀଟିଏ ହେବାକୁ ପଡ଼ିବ।”

“ଆମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଖିରେ ଅନେକ ସ୍ୱପ୍ନ ରହିଛି। ସେମାନେ ସବୁ କ୍ଷେତ୍ରରେ ଦକ୍ଷ ଓ ସମର୍ଥ। ସେମାନଙ୍କୁ କେବଳ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ସେମାନଙ୍କ ସ୍ୱପ୍ନ, ପ୍ରତିଭାକୁ ସଫଳ ରୂପ ଦେବାକୁ ଏକ ମାଧ୍ୟମ ଦରକାର। ଏଥିପାଇଁ ‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ମିଟ୍ ଆୱାର ଷ୍ଟାର୍ଟଅପ୍ ହିରୋଜ୍’ର ପରିକଳ୍ପନା କରାଯାଇଛି। ଆଜି ଏହାର ପ୍ରଥମ ଓ୍ଵେବିନାରରେ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ତେଣୁ ଆଗାମୀ ଦିନରେ ଆହୁରି ଅଧିକ ଯୁବପିଢ଼ି ଏଥିରେ ସାମିଲ ହେବେ ବୋଲି ଆମେ ଆଶାବାଦୀ ଅଛୁ”, କହିଥିଲେ ଆକାଶ ଦାସନାୟକ।   ‘ମିଟ୍ ଆଓ୍ଵାର ଷ୍ଟାର୍ଟଅପ୍ ହିରୋଜ୍’ କାର୍ଯ୍ୟକ୍ରମରେ ଓଡ଼ିଶାଲାଇଭ୍, ୯୩.୫ ରେଡ୍ ଏଫଏମ, ପ୍ରିଲ୍ୟୁଡ୍ ମିଡିଆ କମ୍ୟୁନିକେସନ ଇଭେଣ୍ଟସ୍, ଦି କ୍ଲିକ୍, ଭୁବନେଶ୍ୱର ନାଇଟ୍‌ସ ରାଉଣ୍ଡ ଟେବୁଲ ୨୩୦ ଆଦି ପାର୍ଟନର୍‌ ଅଛନ୍ତି।

ପ୍ରତିଭାବାନ ଯୁବ ଓଡ଼ିଆ ଉଦ୍ୟୋଗୀ ଏବଂ ଓଡ଼ିଶାରୁ ଉଦ୍ୟୋଗ ଆରମ୍ଭ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସଫଳ ହୋଇଥିବା ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କୁ ନେଇ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡ଼ିଆ ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ଓ୍ଵେବସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’। ‘ଷ୍ଟାର୍ଟଅପ୍ ଓଡ଼ିଶା’ ସହଭାଗିତାରେ ପ୍ରସ୍ତୁତ ଏହି ଓ୍ଵେବସିରିଜ୍‌ରେ ‘ମୋ କଲେଜ’ ଅଭିଯାନ ନଲେଜ ପାର୍ଟନର ରହିଛି।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହାର ଉପସ୍ଥାପନା କରୁଛନ୍ତି। ଏହି ସିରିଜ୍‌ରେ ପ୍ରତି ମାସରେ ଜଣେ ସଫଳ ଯୁବ ଉଦ୍ୟୋଗୀଙ୍କ ଭିଡିଓ ସାକ୍ଷାତକାର ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସବୁକ୍ ଚ୍ୟାନେଲରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଆସୁଥିବା ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନଙ୍କ ସଂଘର୍ଷ ଓ ସଫଳତା କାହାଣୀକୁ ଓଡ଼ିଶାର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଯୋଡ଼ିବା ପାଇଁ ‘ମୋ କଲେଜ’ ଅଭିଯାନ ପକ୍ଷରୁ ଆରମ୍ଭ କରାଯାଇଛି ‘ମିଟ୍ ଆଓ୍ଵାର ଷ୍ଟାର୍ଟଅପ୍ ହିରୋଜ୍‌ କାର୍ଯ୍ୟକ୍ରମ’।

Comment