ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ମୌସୁମୀ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ଦୀର୍ଘ ଦିନରୁ କରୋନାରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସାମିଲ ହୋଇଥିଲେ। ହସ୍ପିଟାଲରୁ ଭର୍ଚୁଆଲ୍‌ ମୋଡ୍‌ରେ ସାମିଲ ହୋଇ ପ୍ରଦୀପ୍ତ ନାୟକ ତାଙ୍କ ବାର୍ତ୍ତା ପହଞ୍ଚାଇଥିଲେ।

‘‘ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇନାହିଁ। କିନ୍ତୁ ଲୋକମାନେ ମୋତେ ଦେଇଥିବା ଦାୟିତ୍ୱ ସବୁବେଳେ ମୋର ପ୍ରାଥମିକତାରେ ରହିଆସିଛି । ବିଧାନସଭାର ଏହି ଅଧିବେଶନରେ ମୁଁ ଗୃହରେ ଉପସ୍ଥିତ ହୋଇ ନପାରିଲେ ମଧ୍ୟ ଡାକ୍ତରଖାନାରୁ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବି ଏବଂ ଓଡ଼ିଶାର ଲୋକଙ୍କ ସମସ୍ୟା ସବୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି’’, ଟୁଇଟ କରି କହିଛନ୍ତି ପ୍ରଦୀପ୍ତ ନାଏକ।

ଦୀର୍ଘ ଦିନରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।  ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ହେବାରେ ଲାଗିଛି।

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଦିବଙ୍ଗତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଥିଲେ। ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା। ଆଉ ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଗୃହକାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗରେ ହୋ ହାଲ୍ଲା କରିବା ସହ ନାରାବାଜି କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ କିଛି ସମୟ ମୁଲତବି ରଖାଯାଇଥିଲା।

Comment