ଶୁଭଶ୍ରୀ ନାୟକ

ଓଲିଉଡର ଜଣାଶୁଣା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହିତ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର।

ତରଙ୍ଗ ଟେଲିଭିଜନରେ ଏକ ନୂଆ ଐତିହାସିକ ମେଗା ଧାରାବାହିକ ‘ଶ୍ରୀମନ୍ଦିର’ ପ୍ରସାରିତ ହେଉଛି। ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଜନ୍ମାଷ୍ଟମୀରୁ ଆରମ୍ଭ ହୋଇଥିବା ଏହି ମେଗା ଧାରାବାହିକରେ ଓଡ଼ିଶାର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଗଜପତି ପୁରୁଷୋତ୍ତମ ଦେବଙ୍କ ଚରିତ୍ରରେ ନଜର ଆସୁଛନ୍ତି। ଛୋଟ ପରଦାରେ ବୁଦ୍ଧାଦିତ୍ୟଙ୍କର ଏହା ପ୍ରଥମ ମେଗା ସିରିଏଲ। ଏଥିରେ ବୁଦ୍ଧାଦିତ୍ୟଙ୍କର ଗେଟଅପ୍‌ଠାରୁ ଆରମ୍ଭ କରି ଡାଏଲଗ ସବୁ କିଛି ନିଆରା ରହିଛି। ସମ୍ପୂର୍ଣ୍ଣ ଭାବେ ଏକ ନୂଆ ଅବତାରରେ ସେ ଦର୍ଶକଙ୍କ ନିକଟକୁ ଫେରିଛନ୍ତି। ତେବେ ଏହି ସିରିଏଲ କରିବା ପଛର କାରଣ, ଏହାର ଚରିତ୍ର ଓ ସୁଟିଂ ସେଟ୍‌ର ଅନୁଭୂତି ବିଷୟରେ ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି।

ଶ୍ରୀମନ୍ଦିର ଆଉ ମହାପ୍ରଭୁ ଜଗନ୍ନାଥ ମୋ ଭିତରେ ଅଛନ୍ତି

ଶ୍ରୀମନ୍ଦିର ସିରିଏଲରେ ମୁଁ ଗଜପତି ପରୁଷୋତ୍ତମ ଦେବଙ୍କ ଚରିତ୍ରରେ ଅଭିନୟ କରୁଛି। ଶ୍ରୀକ୍ଷେତ୍ର ସମ୍ପର୍କିତ ଏକ ମେଗା ଧାରାବାହିକରେ ଅଭିନୟ କରିବା ମୋ ପାଇଁ ସୌଭାଗ୍ୟ। ମୋର ପିଲାବେଳ ପୁରୀରେ କଟିଛି। ପିଲାବେଳୁ ହିଁ ମୁଁ ଜଗନ୍ନାଥ ପ୍ରେମୀ। ଆଗରୁ ଜଗନ୍ନାଥଙ୍କ ଉପରେ ହୋଇଥିବା ଦୁଇଟି ଫିଲ୍ମ ‘ତୁ ଥିଲେ ମୋ ଡର କାହାକୁ’ ଓ ‘ଜଗା ହାତରେ ପଘା’ରେ କାମ କରିଛି। ହେଲେ ‘ଶ୍ରୀମନ୍ଦିର’ ଧାରାବାହିକ ମୋ ପାଇଁ ନିଆରା।

ଶ୍ରୀମନ୍ଦିର ସିରିଏଲ ପାଇଁ ହଁ କରିବାକୁ ଡର ଲାଗିଥିଲା

ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଧାରାବାହିକ। ସେଥିରେ ଗଜପତିଙ୍କ ଚରିତ୍ରରେ ଅଭିନୟ କରିବା କଥା ଶୁଣିକି ହିଁ ମତେ ଡର ଲାଗିଥିଲା। କାହିଁକି ନା ରାଜା, ମହାରାଜାଙ୍କୁ ନେଇ ଆମ ଦେଶରେ କମ୍‌ କାହାଣୀ ଉପରେ ଫିଲ୍ମ ବା ସିରିଏଲ ହୋଇଛି। ସେଥିରେ ମୋଗଲ ସାମ୍ରାଜ୍ୟର କାହାଣୀ ଅଧିକ। କିନ୍ତୁ ଆମ ପୁରୀ ଗଜପତି ପୁରୁଷୋତ୍ତମ ଦେବଙ୍କୁ ନେଇ କିଛି କାହାଣୀ ନାହିଁ। ସେ କେମିତି ଚାଲୁଥିଲେ, ବସୁଥିଲେ, କଥା ହେଉଥିଲେ ତାହା ଜାଣିବା ପାଇଁ ମୋ ପାଖେ କିଛି ବିକଳ୍ପ ନଥିଲା। ସେଥିପାଇଁ ମୁଁ ଡରିଯାଇଥିଲି।

ଶ୍ରୀମନ୍ଦିରର ପ୍ରଯୋଜନା କରିଛନ୍ତି କୋଲକାତାର ସୁରିନ୍ଦର ଫିଲ୍ମସ୍‌ ଏବଂ ଏହାର କାହାଣୀ ପରିକଳ୍ପନା କରିଛନ୍ତି ରଞ୍ଜନ ଶତପଥୀ। ପୁରୁଷୋତ୍ତମଦେବଙ୍କ ସହଧର୍ମିଣୀ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଜାଗୃତି ରଥ।

ଆଜିର ଡିଜିଟାଲ ଯୁଗରେ ଲୋକେ ଓ୍ୱେବ ସିରିଜ ପଛରେ ପଡ଼ିଛନ୍ତି। ତେଣୁ ତାଙ୍କୁ ଆମ ଇତିହାସ ଆଉଥରେ ମନେ ପକାଇଦେବାରେ ଏହି ଶ୍ରୀମନ୍ଦିର ସିରିଏଲ ବଳିଷ୍ଠ ଭୂମିକା ନେବ ବୋଲି ମୁଁ ଆଶା ରଖିଛି।

ପରଦାକୁ ନୁହେଁ ମୁଁ ଚରିତ୍ରକୁ ଗୁରୁତ୍ୱ ଦିଏ

ଛୋଟ ପରଦା, ବଡ଼ ପରଦା ମୁଁ ଏମିତି କିଛି ଭାବେନି। ମୁଁ ଟେଲି ଧାରାବାହିକରୁ ହିଁ କ୍ୟାରିୟର ଆରମ୍ଭ କରିଥିଲି। ହିନ୍ଦୀ ସିରିଏଲ ‘ମେହର’, ‘କ୍ୟା ହୁଆ ତେରୋ ଓ୍ୱାଦା’, ‘ସିଆଇଡି’, ‘କୁମ୍‌କୁମ୍‌’, ‘ସ୍ତ୍ରୀ ତେରି କାହାନୀ’ ଭଳି ସିରିଏଲ କରିଥିଲି। ୧୦ ବର୍ଷ ପରେ ବି ଲୋକ ତାକୁ ମନେ ରଖିଛନ୍ତି। ତେଣୁ ମୁଁ ପରଦାକୁ ନୁହେଁ ବରଂ ଚରିତ୍ରକୁ ବଡ଼ ଭାବେ। ସେଥିରୁ ମତେ ବହୁତ ସଫଳତା ମିଳିଛି। କହିବାକୁ ଗଲେ ମୁଁ ଆଗରୁ ‘ସାଧବ ବୋହୁ’ରେ ବି ହୋଷ୍ଟିଂ କରିଛି। ଆଓ୍ୱାର୍ଡ ସୋ’ ବି ଉପସ୍ଥାପନା କରିଛି। ସେଥିରେ ମତେ ଦର୍ଶକଙ୍କ ଅହେତୁକ ଭଲ ପାଇବା ମିଳିଛି। ମୁଁ ବହୁତ କମ୍‌ ଫିଲ୍ମ କରିବାକୁ ଭଲ ପାଏ। କାରଣ ମୁଁ ଫିଲ୍ମର କାହାଣୀ ଓ ଚରିତ୍ରକୁ ଗୁରୁତ୍ୱ ଦିଏ।

‘ଜଗା ହାତରେ ପଘା’ରେ ଖଳନାୟକ ଭୂମିକା କରିବା କଷ୍ଟ ଥିଲା

‘ଫିଲ୍ମ ଜଗା ହାତରେ ପଘା’ରେ ମୁଁ ଖଳନାୟକ ଭୂମିକା କରିଥିଲି। ଯେହେତୁ ମୁଁ ଜଗନ୍ନାଥଙ୍କ ଭକ୍ତ ତେଣୁ ଏ ଚରିତ୍ର କରିବା ମୋ ପାଇଁ କଷ୍ଟ ଥିଲା। ତେଣୁ ସବୁ ଦିନ ସୁଟିଂ ଯିବା ଆଗରୁ ମୁଁ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଥିଲି। ତାଙ୍କୁ କ୍ଷମା ମାଗୁଥିଲି।

ବୁଦ୍ଧାଦିତ୍ୟ ମହାନ୍ତି କଟକର ଶେଖ ବଜାରଠାରେ ଜନ୍ମ ଗ୍ରହଣ କରିଥିଲେ। ସେ କଟକ ଜିଲ୍ଲାର ଷ୍ଟୁଆର୍ଟରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ନିଜ ଶିକ୍ଷା ସମାପ୍ତ କରିଥିଲେ। ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ମାଳବିକା ରାୟଙ୍କ ସେ ପୁଅ ଓ ମହାଶ୍ୱେତା ରାୟଙ୍କ ପୁତୁରା ବୁଦ୍ଧାଦିତ୍ୟ ହିନ୍ଦୀ ଟିଭି ଜଗତର ଜଣେ ଜଣାଶୁଣା ଅଭିନେତା

୨୦୦୭ରେ ଫିଲ୍ମ ‘ଆଇ ଲଭ ମାଇଁ ଇଣ୍ଡିଆ’ରେ ବୁଦ୍ଧାଦିତ୍ୟ ଓଲିଉଡରେ ଡେବ୍ୟୁ କରିଥିଲେ। ତା’ପରେ ୨୦୦୮ରେ ‘ନନ୍ଦିନୀ ଆଇ ଲଭ ୟୁ’, ୨୦୦୯ରେ ‘ପାଗଳ କରିଛି ପାଉଁଜି ତୋର’, ‘ପ୍ରେମରୋଗୀ’, ୨୦୧୦ରେ ‘ତୁ ଥିଲେ ମୋ ଡର କାହାକୁ’,‘ସଞ୍ଜୁ ଆଉ ସଞ୍ଜନା’, ୨୦୧୧ରେ ‘ଲୋଫର୍’ ଫିଲ୍ମରେ ସେ ଅଭିନୟ କରିଛନ୍ତି।

Comment