ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଶି ଦଶକରେ କେତେକ ହିନ୍ଦୀ ସିନେମା ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦର୍ଶକ ପ୍ରାୟତଃ ପ୍ରଖ୍ୟାତ ଅଭିନେତା କାଦର ଖାନଙ୍କ ସହିତ ଶକ୍ତି କପୁରଙ୍କୁ ଦେଖିବାକୁ ପାଉଥିଲେ। ନିଜର ଦମଦାର ଖଳନାୟକ ଭୂମିକା ପାଇଁ ସେ ବେଶ ଚର୍ଚ୍ଚିତ। ଆଜି ଏହି ଅଭିନେତା ନିଜର ୬୯ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ଶକ୍ତି କପୁରଙ୍କ ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ଯାତ୍ରା।

କାଦର ଖାନ୍ ଓ ଶକ୍ତି କପୁରଙ୍କ ଯୋଡ଼ି ସହିତ କେତେକ ହିନ୍ଦୀ ଫିଲ୍ମରେ ଅନ୍ୟତମ ଲୋକପ୍ରିୟ ହାସ୍ୟାଭିନେତା ଅଶ୍ରାନୀ ବି ଯୋଡ଼ି ହେଉଥିବାର ନଜିର ରହିଛି। ଜିତେନ୍ଦ୍ରଙ୍କ ଅଭିନୀତ ମୱାଲି, ତୋନ୍‌ଫା, ଜଷ୍ଟିସ ଚୌଧୁରୀ ଏହାର କେତେକ ଉଦାହରଣ।

ଓଡ଼ିଆ ସିନେମା ଓ ଯାତ୍ରାରେ ବି ଶକ୍ତି କପୁର

ବଲିଉଡର ବ୍ୟାଡମ୍ୟାନ୍‌ ଶକ୍ତି କପୁର ଓଲିଉଡରେ ବି ନିଜର କରିସ୍ମା ଦେଖାଇଛନ୍ତି। ସେ ୨୦୦୩ରେ ମୁକ୍ତିଲାଭ କରିଥିବା ହିଟ୍ ଓଡ଼ିଆ ସିନେମା ‘ବାହୁଡ଼ିବେ ମୋ ଜଗା ବଳିଆ’ରେ ପ୍ରଥମେ ଅଭିନୟ କରି ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏଥିରେ ତାଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ସିନେମାରେ ହର ପଟ୍ଟନାୟକ ଅଭିନୟ କରିଥିଲେ ହେଁ ଶକ୍ତି କପୁରଙ୍କ ଚରିତ୍ରଟିକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ବିଭୁତି ରାଉତରାୟଙ୍କ ପ୍ରଯୋଜିତ ତଥା ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ବାହୁଡ଼ିବେ ମୋ ଜଗାବଳିଆ’ରେ ସିଦ୍ଧାନ୍ତ, ଶ୍ରୀତମ୍, ଜ୍ୟୋତି ଓ ଉଷସୀ ପ୍ରମୁଖ ଲିଡରୋଲରେ ଥିଲେ।

ଏହା ପରେ ଶକ୍ତି କପୁର ଦ୍ୱିତୀୟ ଥର ପାଇଁ ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଛାତି ତଳେ ଡିଂଡଙ୍ଗ’ରେ ଅଭିନୟ କରିଥିଲେ। ଏଥିରେ ଅବଶ୍ୟ ଶକ୍ତି କପୁର ଖାସ୍‌ କମାଲ ଦେଖାଇ ପାରିନଥିଲେ। ଏହି ସିନେମାରେ ସବ୍ୟସାଚୀ, ଅର୍ଚ୍ଚିତା, ବର୍ଷା ପ୍ରିୟଦର୍ଶିନୀ ଓ ସମ୍ବିତ ପ୍ରମୁଖ ଅଭିନୟ କରିଥିଲେ। ମଞ୍ଜରୀ ମୁଭିଜ୍‌ ବ୍ୟାନରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ। ସେହିପରି ଶକ୍ତି କପୁର ଇଣ୍ଟର୍ଣ୍ଣ ମିଡିଆ ଯାତ୍ରାରେ ବି ଅଭିନେତା ଭାବେ ଯୋଗ ଦେଇଥିଲେ।

ଶକ୍ତି କପୁରଙ୍କ କ୍ୟାରିଅର ବେଷ୍ଟ୍ କମିକ୍ ରୋଲ୍‌ ନନ୍ଦୁ (ରାଜା ବାବୁ):- ଡେଭିଡ ଧୱନଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଫିଲ୍ମ ‘ରାଜା ବାବୁ’ରେ ନନ୍ଦୁ ଚରିତ୍ରରେ ନଜର ଆସିଥିଲେ ଶକ୍ତି କପୁର। ଏଥିରେ ତାଙ୍କ ଅଭିନୟ ଓ ଗେଟଅପ୍‌ ଦର୍ଶକଙ୍କୁ ହସର ଖୋରାକ ଯୋଗାଇଥିଲା। ‘ରାଜାବାବୁ’ର ନନ୍ଦୁ ଚରିତ୍ର ପାଇଁ ଶକ୍ତି କପୁର ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ଫିଲ୍ମ ଫେଆର୍‌ ଆଓ୍ବାର୍ଡ ଲାଭ କରିଥିଲେ।

କ୍ରାଇମ୍ ମାଷ୍ଟର ଗୋଗୋ (ଅନ୍ଦାଜ୍ ଅପ୍‌ନା ଅପ୍‌ନା)

୧୯୯୪ରେ ରିଲିଜ୍‌ ହୋଇଥିବା ସୁପରହିଟ୍ କମେଡି ଫିଲ୍ମ ‘ଅନ୍ଦାଜ୍‌ ଆପ୍‌ନା ଆପ୍‌ନା’ରେ ଅଭିନେତା ଶକ୍ତି କପୁର କ୍ରାଇମ୍ ମାଷ୍ଟର ଗୋଗୋ ଭୂମିକାଟି ଖୁବ୍‌ ମଜାଦାର। ଏଥିରେ ତାଙ୍କର ସଂଳାପ ଆଁଖେଁ ନିକାଲକେ ଗୋଟିୟା ଖେଲୁଙ୍ଗା… ଖୁବ୍ ଲୋକପ୍ରିୟ ହୋଇଥିଲା। ରାଜ କୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମୀର ଖାନ୍, ସଲମାନ୍ ଖାନ୍, କରିସ୍ମା କପୁର ଓ ରବିନା ଟଣ୍ଡନ ଲିଡରୋଲରେ ଥିଲେ।

ରଙ୍ଗିଲା (ଜୁଡ୍‌ୱା)

୧୯୯୭ର ସୁପରହିଟ୍‌ କମେଡି ଫିଲ୍ମ ହେଲା ‘ଜୁଡ୍ଓ୍ବା’ ଏଥିରେ ଶକ୍ତି କପୁରଙ୍କ ଅଭିନୀତ ଚରିତ୍ରଟି ଥିଲା ରଙ୍ଗିଲା। ଡେଭିଡ ଧୱନଙ୍କ ନିର୍ଦ୍ଦେଶିତ ‘ଜୁଡୱା’ର ରଙ୍ଗିଲା ଭୂମିକା ପାଇଁ ବି ଚର୍ଚ୍ଚାରେ ଥିଲେ ଶକ୍ତି କପୁର।

ମାମା ଠାକୁର (କୁଲି ନଂ୧)

୧୯୯୭ର ସୁପରହିଟ୍‌ କମେଡି ଫିଲ୍ମ ‘କୁଲି ନଂ-୧’ରେ ଅଭିନେତା ଶକ୍ତି କପୁର ‘ମାମା ଠାକୁର’ ଭୂମିକା ନିଭାଇ ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଥିଲେ। ଡେଭିଡ ଧୱନଙ୍କ ଏହି ଫିଲ୍ମରେ ଗୋବିନ୍ଦା ଓ କରିସ୍ମା କପୁର ଲିଡ୍‌ ରୋଲ୍‌ରେ ଥିଲେ।

ବଟୁକ୍‌ ନାଥ୍‌ (ଚାଲବାଜ୍‌):- ‘ଚାଲବାଜ୍‌’- ପଙ୍କଜ ପରାଶରଙ୍କ ନିର୍ଦ୍ଦେଶିତ ଏକ ସୁପରହିଟ୍‌ ଫିଲ୍ମ। ଏହି ଫିଲ୍ମରେ ଶକ୍ତି କପୁରଙ୍କ ଅଭିନୀତ ଚରିତ୍ରର ନାଆଁ ଥିଲା ‘ବଟୁକନାଥ୍‌’। ଏଥିରେ ତାଙ୍କ ମୁହଁରେ ଥିବା ଏକ ସଂଳାପ ଖୁବ୍ ମଜାଦାର ଥିଲା। ତାହା ହେଲା- ମେଁ ନହ୍ନା ସା ଛୋଟାସା ପ୍ୟାରା ସା ବଚ୍ଚା ହୁଁ…।

Comment