ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ କାର୍ଯ୍ୟ ଦିବସରେ ବି ଗୃହ କାର୍ଯ୍ୟ ସଠିକ୍ ଭାବରେ ଚାଲିପାରିନାହିଁ। ବିରୋଧୀଙ୍କ ହଙ୍ଗାମା ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ କୋଠରୀ ଘେରିବା ନେଇ ଉପବାଚସ୍ପତି ରଜନୀ କାନ୍ତ ସିଂ ଗୃହକୁ ଅପରାହ୍ନ ୪ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ଆଜି ଗୃହରେ କଂଗ୍ରେସ ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦେଇଥିଲା। ଏହାକୁ ବାଚସ୍ପତି ଗ୍ରହଣ କରିନଥିଲେ। ତେଣୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ଵରେ କଂଗ୍ରେସ ଦଳର ନେତାମାନେ ହଙ୍ଗାମା କରିଥିଲେ। ବିଜେପି ନେତାମାନେ ମଧ୍ୟ ପୋଡିୟମ ନିକଟକୁ ଯାଇ ନାରାବାଜୀ ଦେଇଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

ବାଚସ୍ପତିଙ୍କ ଏହି ଘୋଷଣା ପରେ ଉଭୟ ବିରୋଧୀ ଦଳର ନେତାମାନେ ତାଙ୍କ କୋଠରୀ ଘେରାଉ କରିଥିଲେ। କିଛି ସମୟ ପରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ସମାନ ପରିସ୍ଥିତି ଉପୁଜିବାରୁ ଗୃହକୁ ଅପରାହ୍ନ ୪ଯାଏଁ ମୁଲତବୀ ଘୋଷଣା କରାଯାଇଛି।

ଏ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, “ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ଏହା ହେଉଛି ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏନେଇ କଂଗ୍ରେସ ପକ୍ଷରୁ ମୁଲତବୀ ନୋଟିସ୍ ଦିଆଯାଇଥିଲେ ମଧ୍ୟ ସରକାର ଏ ସମ୍ପର୍କରେ ଆଲୋଚନା କରିବାକୁ ଡରୁଛନ୍ତି।”

ସେପଟେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, “ବିରୋଧୀ ଦଳ ନେତାଙ୍କୁ ମୁଁ କଡା ଭାଷାରେ ସମାଲୋଚନା କରୁଛି। ସେମାନେ ଏବେ ଲୁଚକାଳି ଖେଳୁଛନ୍ତି।”

ଆଜି ବିଧାନସଭା ଅଧିବେଶନରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା ହେବାର ରହିଛି। ଏଥିସହ ଉଚ୍ଚଶିକ୍ଷା ସମବାୟ ଓ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଉପରେ ମଧ୍ୟ ଆଲୋଚନା ହେବ।

Comment