ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜ ସ୍ଥାନ ବଜାୟ ରଖିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ଗୁରୁବାର ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ -୨୦୨୧ ପ୍ରକାଶ ପାଇଥିବା ବେଳେ ପୁଣି ଥରେ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ସୋଆ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିଛି।

୨୦୦୭ ମସିହାରେ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ହାସଲ କରିଥିବା ସୋଆ ଏନ୍‌ଆଇଆର୍‌ଏଫ୍ ୨୦୨୦ରେ ୨୦ ତମ ସ୍ଥାନ ହାସଲ କରିଥିଲା୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ଲଗାତର ୬ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନକୁ ହାସଲ କରିବାରେ ସଫଳ ହୋଇପାରିଛି ସୋଆ।ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ରାଙ୍କିଙ୍ଗ ପ୍ରକାଶ ପାଇଛି।

ସୋଆ ରାଙ୍କିଙ୍ଗ୍‌ର ସାମଗ୍ରିକ ବର୍ଗରେ ଗତ ବର୍ଷ ଦେଶରେ ୩୮ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଗୋଟିଏ ପାଦ ଆଗକୁ ଆସି ୩୭ତମ ସ୍ଥାନ ହାସଲ କରିଛି। ସେହିପରି ୨୦୨୦ରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କ୍ଷେତ୍ରରେ ୩୪ତମ ସ୍ଥାନରେ ଥିବା ବେଳେ ଚଳିତ ବର୍ଷ ୩୨ତମ ସ୍ଥାନରେ ରହିଛି।

ମେଡିକାଲ୍ କଲେଜ ବର୍ଗରେ ଗତ ବର୍ଷ ୨୩ତମ ସ୍ଥାନ ହାସଲ କରିଥିବା ବେଳେ ଚଳିତ ବର୍ଷ ଦୁଇ ପାଦ ଆଗକୁ ଆସି ୨୧ତମ ସ୍ଥାନରେ ପହଞ୍ଚିଛି ସୋଆ। ଚଳିତବର୍ଷ ଡେଣ୍ଟାଲ କ୍ୟାଟେଗୋରୀରେ ୧୪ତମ ସ୍ଥାନରେ ରହିଛି ସୋଆ।

ସାମଗ୍ରିକ, ମେଡିକାଲ୍ ଏବଂ ଡେଣ୍ଟାଲ୍ ବର୍ଗରେ ସୋଆ ଓଡ଼ିଶାର ଶ୍ରେଷ୍ଠ ଅନୁଷ୍ଠାନ ଭାବେ ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗରେ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଇଞ୍ଜିନିୟରିଂ କ୍ଷେତ୍ରରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉରକେଲା ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର ପରେ ଓଡ଼ିଶାରେ ତୃତୀୟ ସ୍ଥାନରେ ରହିଛି ସୋଆ।

ନ୍ୟାସ୍‌ନାଲ୍ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ପକ୍ଷରୁ ସୋଆକୁ ସର୍ବୋଚ୍ଚ ଗ୍ରେଡ୍ ସହିତ ରି-ଆକ୍ରିଡିଟେଡ୍ କରାଯାଇଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିକୁ ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌), ୟୁଏସ୍‌ଏ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଛି।ସୋଆ ଅଧିନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଡେଣ୍ଟାଲ ସାଇନ୍‌ସେସ୍‌, ମ୍ୟାନେଜମେଂଟ ସାଇନ୍‌ସେସ୍‌, ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେସନ୍‌, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ନର୍ସିଂ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଣ୍ଟ, ଲିଗାଲ୍ ଷ୍ଟଡିଜ୍ ଓ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଭଳି ୯ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ୯୫ଟି ଏକାଡେମିକ ପ୍ରୋଗ୍ରାମ୍ ପ୍ରଦାନ କରାଯାଉଛି ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ବିଶ୍ଵବିଦ୍ୟାଳୟର ସମସ୍ତ ଡିନ୍‌, ଫ୍ୟାକଲ୍ଟି ମେମ୍ବର୍ସ, ଗବେଷକ ଏବଂ ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଯୋଗୁଁ ହିଁ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଏହି ସମ୍ମାନଜନକ ସ୍ଥାନ ହାସଲ କରିପାରିଛି ବୋଲି କହିଛନ୍ତି।

Comment