ଓଡ଼ିଶାଲାଇଭ୍ ବ୍ୟୁରୋ

ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନର ଆଜି ଥିଲା ଶେଷ ଦିନ। ବିରୋଧୀଙ୍କ ହୋ-ହାଲ୍ଲା ଭିତରେ ସରିଛି ମୌସୁମୀ ଅଧିବେଶନ। ଚଳିତ ଅଧିବେଶନ ସେପ୍ଟେମ୍ବର ୧ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ସମୁଦାୟ ୮ଟି କାର୍ଯ୍ୟ ଦିବସ ରହିଥିଲା। ସେଥିମଧ୍ୟରୁ ୭ଟି ସରକାରୀ କାର୍ଯ୍ୟ ଦିବସ ଓ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ। ତେବେ ବିରୋଧୀଙ୍କ ହାଙ୍ଗାମା ଭିତରେ ଚଳିତ ଅଧିବେଶନରେ ସମୁଦାୟ ୧୩ ବିଲ ପାରିତ ହୋଇଛି।

ଆଜି ଗୃହରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ରିପୋର୍ଟ ଉପସ୍ଥାପନ କରିଥିଲେ। ଉଚ୍ଚଶିକ୍ଷା ଫଳାଫଳ, ଆର୍ଥିକ କ୍ଷେତ୍ର ଉପରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛିା ଏଥିସହ ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉପରେ ରଖିବା ନେଇ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସଙ୍କଳ୍ପ ଆଗତ କରିଥିଲେ।

ସଙ୍କଳ୍ପଟିକୁ ରାଜ୍ୟ ଓବିସି କମିସନରଙ୍କ ନିକଟକୁ ବିଧାନସଭା ପକ୍ଷରୁ ପଠାଯିବ। କମିସନ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଇବେ। ସୂଚନା ଯୋଗ୍ୟ ଯେ, ଗୃହରେ ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା ନେଇ ଆଲୋଚନା ହେଉଥିବାବେଳେ ବିରୋଧୀ କଂଗେସ ଓ ବିଜେପି ନେତାମାନେ ଅନୁପସ୍ଥିତ ଥିଲେ।

ଅଧିବେଶନ ଆରମ୍ଭ ଦିନରୁ ହିଁ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା। ପ୍ରତିଦିନ ବିରୋଧୀ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ପୋଡିୟମ ନିକଟରେ ନାରାବାଜୀ ଦେଉଥିଲେ। କେତେବେଳେ ମାହାଙ୍ଗା ଡବଲ ମଡର୍ ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କରିବା ପ୍ରସଙ୍ଗ, ପୁଣି କେତେବେଳେ ମରୁଡ଼ି ଓ ଚାଷୀଙ୍କୁ ନେଇ ଚର୍ଚ୍ଚା। ଗତ ଦୁଇ ଦିନ ହେବ ଖଣି ଦୁର୍ନୀତି ଓ ଅଗୁରୁବାର ଦିନ ଜଗତସିଂହପୁର ଯୁବକ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ନେତାମାନେ ଶାସକ ଦଳକୁ ଘେରିଥିଲେ। ଏଥିସହ ବୁଧବାର ଦିନ ଖଣି ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାମାନେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କୋଠରୀ ମଧ୍ୟ ଘେରିଥିଲେ।

Comment