ଓଡ଼ିଶାଲାଇଭ୍ ବ୍ୟୁରୋ

ମୁମ୍ବାଇର ସାଇନିକା ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଦିଲ୍ଲୀର ନିର୍ଭୟା ହତ୍ୟାକାଣ୍ଡର ଘଟଣା ଭଳି ଏହି ଘଟଣାଟି ହୋଇଥିବାରୁ ଏହାକୁ ମୁମ୍ବାଇର ନିର୍ଭୟା ହତ୍ୟାକାଣ୍ଡ କୁହାଯାଉଛି।

କିଛି ଦିନ ପୂର୍ବରୁ ମୁମ୍ବାଇର ସାକିନାକା ଅଞ୍ଚଳର ଖୌରାନୀ ରୋଡଠାରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ଅଭିଯୁକ୍ତ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରିଥିଲେ ବୋଲି ସୂଚନା ରହିଛି। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ଡାକ୍ତରମାନଙ୍କ ଅନେକ ଉଦ୍ୟମ ପରେ ବି ଯୁବତୀ ଜଣଙ୍କ ଜୀବନ ଓ ମରଣ ସହ ସଙ୍ଘର୍ଷ କରି ଶେଷରେ ଆଖି ବୁଜିଛନ୍ତି।

ମୁମ୍ବାଇ ପୋଲିସ ଏକ ସିସିଟିଭି ଫୁଟେଜ ଆଧାରରେ ଏହି ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଉକ୍ତ ସିସିଟିଭିରେ ଦେଖିଥିବାକୁ ମିଳିଥିଲା ଯେ, ଅଭିଯୁକ୍ତ ଜଣକ ପ୍ରଥମେ ଯୁବତୀଙ୍କୁ ଦୁଷ୍ମର୍ମ କରିଥିଲା। ଏହାପରେ ତାଙ୍କୁ ମାରପିଟ୍ କରିବା ସହ ଲୁହା ରଡରେ ଆକ୍ରମଣ କରି ଏକ ଅଟୋ ମଧ୍ୟରେ ଛାଡ଼ି ପଳାଇଥିଲା।

ଏହି ଘଟଣା ଘଟିବାର ପାଖାପାଖି ୧୫ ମିନିଟ ପରେ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ଯୁବତୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ କଷ୍ଟ ପାଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ମୁମ୍ବାଇ ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି।

Comment