ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୁପାଣୀ ଇସ୍ତଫା ଦେଲାପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ସେନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଜେପି। ଦଳ ପକ୍ଷରୁ ରବିବାର ଅନୁଷ୍ଠିତ ହୋଇଥିବା ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ହେଭିୱେଟ ନେତାଙ୍କ ନାଁ ଚର୍ଚ୍ଚାରେ ରହିଥିବାବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୁଣିଥରେ ଚକିତ କଲାଭଳି ଏକ ନିଷ୍ପତ୍ତି ନିଆଯାଇଛି। ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କୁ ଚୟନ କରାଯାଇଛି।

ପୂର୍ବରୁ ଉତ୍ତରାଖଣ୍ଡ ଓ କର୍ଣ୍ଣାଟକର ସ୍ଥିତି ମଧ୍ୟ ସେହିଭଳି ରହିଥିଲା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନ୍ୟ ନେତାମାନଙ୍କ ନାଁ ଚର୍ଚ୍ଚାରେ ରହିଥିବାବେଳେ ବିଜେପି ପକ୍ଷରୁ ଅଲଗା ନେତାଙ୍କ ନାଁ ଘୋଷଣା କରାଯାଇଥିଲା।

ଭୂପେନ୍ଦ୍ର ପଟେଲ କିଏ?

୨୦୧୭ ମସିହା ବିଧାନସଭା ନିର୍ବାଚନରେ ଘଟଲୋଡ଼ିଆ ଆସନରୁ ନିର୍ବାଚିତ ହୋଇଥିଲେ ଭୁପେନ୍ଦ୍ର ପଟେଲ। ତାଙ୍କ ବିପକ୍ଷରେ ଲଢ଼ୁଥିବା କଂଗ୍ରେସ ଦଳର ନେତା ଶଶିକାନ୍ତ ପଟେଲଙ୍କୁ ପରାସ୍ତ କରି ସେ ବିଧାୟକ ହୋଇଥିଲେ। ଏହା ଥିଲା ତାଙ୍କର ରାଜନୀତିରେ ସବୁଠାରୁ ବଡ଼ ସଫଳତା। ବିଧାୟକଭାବରେ ନିର୍ବାଚିତ ହେବାପରେ ଏବେ ଦଳ ତାଙ୍କୁ ସିଧାସଳଖ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପାଇଁ ଚୟନ କରିଛି। ସୋମବାର ଅପରାହ୍ନ ୨.୩୦ ସମୟରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ତଥ୍ୟ ଅନୁସାରେ, ଭୂପେନ୍ଦ୍ର ପଟେଲ ଅହମ୍ମଦାବାଦ ମେମନଗର ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଛନ୍ତି। ଏଥିସହ ଅହମ୍ମଦାବାଦ ନଗର ନିଗମ ଏବଂ ସହରାଞ୍ଚଳ ଉନ୍ନୟନ କମିଟିର ମଧ୍ୟ ଅଧ୍ୟକ୍ଷ ଥିଲେ।

ଅହମ୍ମଦାବାଦର ଶିଲାଜ ଅଞ୍ଚଳରେ ଭୂପେନ୍ଦ୍ରଙ୍କ ଜନ୍ମ। ସେ ହେଉଛନ୍ତି ପଟିଦାର ସମ୍ପ୍ରଦାୟରେ ଜଣେ ଟାଣୁଆ ନେତା। ବିଧାୟକ ହେବା ପୂର୍ବରୁ ସେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବର୍ତ୍ତମାନର ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କର ଅତି ଘନିଷ୍ଠ ହେଉଛନ୍ତି ଭୂପେନ୍ଦ୍ର ପଟେଲ।

୨୦୦୧ ମସିହାରେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ସେଠାରେ ବିଜେପିର ରାଜ ଚାଲି ଆସୁଛି। ମୋଦୀ ଲଗାତାର ୩ ଥର ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ହେବାପରେ ରାଜ୍ୟର ଦାୟିତ୍ଵ ଆନନ୍ଦୀବେନ ପଟେଲଙ୍କୁ ଦିଆଯାଇଥିଲା ଅର୍ଥାତ୍ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ପରେ ବିଜୟ ରୂପାଣୀ ଓ ଏବେ ପଟିଦାର ସମ୍ପ୍ରଦାୟର ନେତା ଭୂପେନ୍ଦ୍ର ପଟେଲ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Comment