ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ବର୍ଷା ଲାଗିରହିଛି। ରବିବାର ଦିନ ଲଘୁଚାପ ଗଭୀର ଅବପାତରେ ପରିଣତ ହେବାପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଏହା ଦ୍ଵାରା ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବାବେଳେ ଏହାରି ମଧ୍ୟରେ କିଛି ସ୍ଥାନରୁ ଦୁଃଖଦ ଖବର ଶୁଣିବାକୁ ମିଳିଛି। ତଥ୍ୟ ଅନୁସାରେ ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ କନ୍ୟା ରହିଥିବା ଜଣାପଡ଼ିଛି।

ଆସ୍କାରେ କାନ୍ଥ ପଡ଼ି ଶିଶୁ କନ୍ୟା ମୃତ, ୬ ଆହତ

ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଧରାକୋଟ ଥାନା ରାଶିବାଡ଼ି ରାମଚନ୍ଦ୍ରପୁର ଗାଁରେ ଏକ କାନ୍ଥ ପଡ଼ି ୬ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହେବା ସହ ଆଉ ୬ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୂତାବକ, ସମସ୍ତ ପିଲା ଏକାଠି ହୋଇ ଏକ କାନ୍ଥ ନିକଟରେ ଖେଳୁଥିଲେ। ବର୍ଷା କାରଣରୁ ଉକ୍ତ କାନ୍ଥଟି ଭିଜିଯାଇଥିଲା। ତେଣୁ ଅଚାନକ ଭୁଶୁଡ଼ିଯିବା ଯୋଗୁଁ କାନ୍ଥ ତଳେ ଚାପି ହୋଇ ଛୋଟ ଝିଅଟିର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୬ ଜଣ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରୋ ଭର୍ତ୍ତି କରାଯାଇଛି।ନାଳରେ ଭାସିଯାଇ ଚାଷୀଙ୍କ ମୃତ୍ୟୁ

ଲଘୁଚାପ ଜନିତ ବର୍ଷାରେ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇରହିଛି। ନଦୀ ନାଳରେ ଅଧିକ ପାଣି ପ୍ରବାହିତ ହେଉଛି। ଏହାରି ମଧ୍ୟରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ଜିଲ୍ଲାର ନୂଆଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୋରମରସିଂହ ଗାଁର କମ୍ବେଶ୍ଵର ପାଟ୍ଟାଶାଣୀ ନାମକ ଜଣେ ଯୁବ ଚାଷୀ ବର୍ଷା ସମୟରେ ଜମିକୁ ଧାନ ଫସଲ ଦେଖିବାକୁ ଯାଉଥିଲେ। ରାସ୍ତାରେ ନାଳ ପାରିହେବା ସମୟରେ ପାଣିର ସ୍ରୋତ ଅଧିକ ଥିବାରୁ ସେ ଭାସି ଯାଇଥିଲେ। ପରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା।

ସୂଚନା ଥାଉକି, ଚାଷୀ ଜଣଙ୍କୁ ମାତ୍ର ୨୯ବର୍ଷ ହୋଇଥିଲା। ପ୍ରାୟ ୬ ମାସ ପୂର୍ବରୁ ସେ ବିବାହ କରିଥିଲେ।

କେନ୍ଦ୍ରାପଡ଼ାରେ କାନ୍ଥ ଭୁଶୁଡ଼ି ୨ ମୃତ

ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ କାନ୍ଥ ଭୁଶୁଡ଼ି ଦୁଇ ଜଣ ବୟସ୍କଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଭୟ ମହାପାତ୍ର ଏବଂ ନର୍ମଦା ପୃଷ୍ଟି। ଅଭୟଙ୍କ ବୟସ ୬୨ ବର୍ଷ ହୋଇଥିବାବେଳେ ସେ ପାଟକୁରା ଥାନା ଅନ୍ତର୍ଗତ ବଡ଼ବେତର ଗାଁର ବସିନ୍ଦା ଅଟନ୍ତି। ସେହିପରି ମୃତ ନର୍ମଦାଙ୍କ ଘର ନିକିରାଇ ଥାନା ଅନ୍ତର୍ଗତ ବେଣୀପୁର ଡିହସାହି ଗାଁର ବୋଲି ଜଣାପଡ଼ିଛି।

Comment