ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସେହିପରି ମହାନଦୀରେ ଜଳସ୍ତର ବୃଦ୍ଧି କାରଣରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଏନେଇ ବୁଧବାର ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଏବେ ମୁଣ୍ଡଳି ୬.୪ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଅଧିକ ଗେଟ୍ ଖୋଲିଲେ ୭ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। କିନ୍ତୁ ତଳିଆ ଅଞ୍ଚଳର ସ୍ଥିତି ବେଶି ଖରାପ ହେବନାହିଁ।”

ସେ ଆଉ ମଧ୍ୟ କହିଛନ୍ତି, “ହୀରାକୁଣ୍ଡ ତଳ ମୁଣ୍ଡରେ ବର୍ଷା କମିଛି କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏବେ ୨.୫୮ଲକ୍ଷ କ୍ୟୁସେକ ଜଳ ଡ୍ୟାମରେ ପ୍ରବେଶ କରୁଛି ଏବଂ ୨.୨୫ଲକ୍ଷ ବାହାରୁଛି। ଏଥିସହ ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୨୮.୨୩ ଫୁଟ ରହିଛି। ଏବେ ୧୩ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବାବେଳେ ଦରକାର ପଡ଼ିଲେ ଆଉ ଅଧିକ ଗେଟ୍ ଖୋଲାଯିବ।”

ଲଗାଣ ବର୍ଷା ଯୋଗୁଁ ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ, ୨ ନିଖୋଜ, ୧୯୩ଟି ରାସ୍ତା ଜଳମଗ୍ନ ହୋଇଥିଲା। ଏବେ ବର୍ଷା କମିବା ପରେ ପରିସ୍ଥିତି ଧୀରେଧୀରେ ସୁଧୁରୁଛି। ତେଣୁ ଆସନ୍ତା ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା।

Comment