ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ନିଜ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରୁଥିବା ଆକାଶ ଦାସନାୟକ ଶୁକ୍ରବାର ଦିନ ବୃଦ୍ଧାଶ୍ରମରେ ଜନ୍ମଦିନ ପାଳନ କରିଛନ୍ତି।

ଓଲିଉଡ୍‌ ଅଭିନେତା ଓ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ତଥା ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ମୁଖ୍ୟ ଆକାଶ ଦାସନାୟକ ଆଜି ଭିନ୍ନ ଢଙ୍ଗରେ ନିଜର ଜନ୍ମଦିନ ପାଳିଛନ୍ତିା ଭୁବନେଶ୍ୱରସ୍ଥିତ ‘ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ’ରେ ନିଜ ଜନ୍ମଦିନ ପାଳି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଛନ୍ତି ଆକାଶ।

ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ‘ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ’ ଏହି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଲାଗି ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଆୟୋଜନ କରିଥିଲା। ଏଠାରେ ସେମାନଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ଦିଆଯାଇଥିଲା ଏହି ଶିବିରରେ ‘ଶ୍ରୀ ହସ୍ପିଟାଲ’, ‘ଭୂମିକା ଚକ୍ଷୁ ଚିକିତ୍ସାଳୟ’ ଓ ‘ସାଇଟୋପଟ୍‌’ର ଡାକ୍ତର ଯୋଗ ଦେଇଥିଲେ।

ବୃଦ୍ଧାଶ୍ରମର ଅନ୍ତେବାସୀମାନେ ଆକାଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲୋ ସେଠାରେ ଆକାଶ ନିଜ ଜନ୍ମଦିନ କେକ୍ କାଟି ଖୁସି ବାଣ୍ଟିଲେ ବଢ଼େ ବୋଲି କହିଥିଲେ।

ସେହିପରି ଏହି ଅବସରରେ ଅନ୍ୟମାନଙ୍କୁ ବାର୍ତ୍ତା ଦେବାକୁ ଯାଇ ସେ କହିଥିଲେ,‘‘କୋଭିଡ୍‌ ତୃତୀୟ ଲହରର ଆଶଙ୍କା ରହିଛି। ଏଥିରେ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି କୁହାଯାଉଛି। ତେଣୁ ସମସ୍ତେ ଛୋଟ ପିଲାମାନଙ୍କ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ।  ମାସ୍କ ବ୍ୟବହାର କରନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ଜରୁରୀ କାମ ଥିଲେ ପିଲାମାନଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଅନ୍ତୁ ନାହିଁ’’।

ଆକାଶ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରି ଆସୁଛନ୍ତି।

ଆଜିର କାର୍ଯ୍ୟକ୍ରମରେ ‘ଉଡ୍ର ଚାରିଟେବୁଲ୍‌ ଟ୍ରଷ୍ଟ’ର ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଭବାନୀ ଶଙ୍କର ଜେନା, ଦେବୀ ପ୍ରସାଦ ମଙ୍ଗରାଜ, ରୋଜାଲିନ୍ ଖଣ୍ଡୁଆଳ, କିଶୋର ଦାସ, ସୌମ୍ୟ ରଞ୍ଜନ ରାଉତ, ପ୍ରମୋଦ ବଳ, ଭାଗ୍ୟଧର ସାମଲ, ପ୍ରୟାଗ ସାମଲ, ଶୁଶ୍ରୀ ଏମ୍ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।

Comment