ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ବରମୁଣ୍ଡାସ୍ଥିତ ଶତାବ୍ଦୀ ନଗର ଡ୍ରେନରେ ଛାତ୍ର ଭାସିଯାଇ ମୃତ୍ୟୁ ଘଟଣାରେ ବିଏମସିକୁ ଦାୟୀ କରିଛି ବିଜେପି। ଏଥିପାଇଁ ବିଜେପି କର୍ମୀମାନେ ବିଏମସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି।

ସୋମବାର ପଞ୍ଚସଖା ନଗର ଡ୍ରେନରୁ ନିଖୋଜ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତ ଦେହ ମିଳିବାପରେ ଜିଲ୍ଲା ସଭାପତି ବାବୁ ସିଂ ଓ ଦିଲ୍ଲୀପ ମହାନ୍ତିଙ୍କ ନେତୃତ୍ଵରେ ଶତାଧିକ ବିଜେପି କର୍ମୀ, ମହିଳା ମୋର୍ଚ୍ଚାର ସଦସ୍ୟମାନେ ପ୍ରତିବାଦ କରି ବିଏମସି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସେମାନଙ୍କ ଦାବି, ମୃତ ଛାତ୍ରଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯିବା ସହ ବିଏମସି କମିସନରଙ୍କୁ ଗିରଫ କରାଯାଉ।

ବିଜେପି ପକ୍ଷରୁ ଆଉ ମଧ୍ୟ କୁହାଯାଇଛି, ସ୍ମାର୍ଟ ସିଟି ଘୋଷଣା ହେବାପରେ ବି କାହିଁକି ରାଜଧାନୀରେ ଡ୍ରେନଗୁଡ଼ିକର କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନାହିଁ। ବାରମ୍ବାର ଅଭିଯୋଗ ପରେ ବି ବିଏମସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସେଥିପାଇଁ ଅନେକଙ୍କ ପ୍ରାଣହାନୀ ଘଟୁଛି। ଯଦି ବର୍ଷା ଦିନ ପୂର୍ବରୁ ସରକାର ଏବଂ ବିଏମସି ପକ୍ଷରୁ ଡ୍ରେନଗୁଡ଼ିକ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥାନ୍ତା, ତେବେ ଏଭଳି ଅଘଟଣ ଘଟିନଥାନ୍ତା। ତେଣୁ ଆଜି ଛାତ୍ର ମୃତ୍ୟୁ ପାଇଁ ବିଏମସି ସମ୍ପୂର୍ଣ୍ଣ ଦାୟୀ।

ବିକ୍ଷୋଭ ପ୍ରଦର୍ଶନ ସମୟରେ ଉଭୟ ପୋଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ବିଏମସି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକେଇବାକୁ ଚେଷ୍ଟା କରିଛି।

ସେପେଟ ମୃତ ଛାତ୍ର ଜ୍ୟୋତି ପ୍ରକାଶଙ୍କ ପରିବାର ପାଇଁ ରିଲିଫ କୋଡ ଅନୁସାରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।

LEAVE A REPLY

Please enter your comment!
Please enter your name here