ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ। ଏହି ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି ପୂର୍ବ କଳିଙ୍ଗପଟ୍ଟନମରେ ଲ୍ୟାଣ୍ଡଫଲ କରିପାରେ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଏହି ଲଘୁଚାପ କ୍ଷେତ୍ର ଶେଷ ୬ ଘଣ୍ଟା ମଧ୍ୟରେ ୧୪ କିଲୋମିଟର ବେଗରେ ଉପକୂଳ ଆଡ଼କୁ ଗତି କରୁଛି। ଏହା ଏବେ ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବରେ ୫୧୦ କିଲୋମିଟର ଦୂରରେ ରହିଛି ଏବଂ କଳିଙ୍ଗପଟ୍ଟନମର ପୂର୍ବ ଦିଗରେ ୬୬୦ କିଲୋମିଟର ଦୂରରେ ରହିଛି। ଏହି ସାମୁଦ୍ରିକ ଝଡ଼ ସେପ୍ଟେମ୍ବର ୨୬ ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଏହି ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବ। ଏଥିସହ ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ମଧ୍ୟ ପ୍ରଭାବ ପଡ଼ିବା ନେଇ ଆଶାଙ୍କା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ଏବେଠାରୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ଅକସ୍ମାତ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ଉପୁଜିପାରେ ବୋଲି ଆଗୁଆ ସତର୍କ କରିଛି ପାଣିପାଗ ବିଭାଗ।

Comment