ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବାତ୍ୟା ଗୁଲାବ ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଶ୍ରୀକାକୁଲମ, ବିଜୟନଗରମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ରବିବାର ଠାରୁ ଏ ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି। ଫଳରେ ଏହି ଜିଲ୍ଲାର ପାଖାପାଖି ୭ ହଜାର ଲୋକ ପାଣି ଘେରରେ ରହିଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ବିଶାଖାପାଟଣା ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏମିତି କି ଅନେକଙ୍କ ଘରେ ପାଣି ପଶି ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଭଳି ଖବର ବିଶାଖାପାଟଣା ଜିଲ୍ଲାପାଳ ଏବଂ ମେୟରଙ୍କ ପାଖରେ ପହଞ୍ଚିବାମାତ୍ରେ, ସେମାନେ ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସ୍ଥାନାନ୍ତର କରିବା ସହ ଉକ୍ତ ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷରେ ବିଶାଖାପାଟଣା ଜିଲ୍ଲାର ପାହାଡିଆ ଓ ମାଓପ୍ରବଣ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବହୁ ନଦୀରେ ପାଣି ବିପଦ ସଙ୍କେତ ଉପର ଦେଇ ଗତି କରୁଛି। ଏହା ଦ୍ଵାରା ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି। ସୂଚନା ଅନୁସାରେ ବିଶାଖାପାଟଣା ଜିଲ୍ଲାର ଅନେକ ଲୋକ ପ୍ରଭାବିତ ହୋଇଛନ୍ତି।ରବିବାର ବାତ୍ୟା ଗୁଲାବ ପ୍ରଭାବରେ ଜିଲ୍ଲାରେ ଏକ ଅଘଟଣ ଘଟିଛି। ବାତ୍ୟା ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଥିବା ସତ୍ତ୍ଵେ ଶ୍ରୀକାକୁଲମ ଜିଲ୍ଲାରେ ଡଙ୍ଗା ଓଲଟି ୨ ଜଣ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ଭିତରୁ ଜଣେ ଏପର୍ଯ୍ୟନ୍ତ ନିଖୋଜ ରହିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ହାଇଦ୍ରାବାଦରୁ ଶ୍ରୀକାକୁଲମ ଆସୁଥିବା ଗୋଟିଏ ଯାତ୍ରୀବାହୀ ବସ ବିଶାଖାପାଟଣା ନିକଟରେ ଓଲଟି ପଡିଛି। ସେଥିରେ ଥିବା ୨୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ପାହାଡ଼ରୁ ମାଟି ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comment