ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଗୁଲାବ ଅତିକ୍ରମ କରିବା ପରେ କ୍ଷୟକ୍ଷତି ଆକଳନ କରିଛନ୍ତି ଏସଆରସି ପ୍ରଦୀପ ଜେନା। ଏନେଇ ଏକ ସମ୍ବାଦିକ ସମ୍ମିଳନୀ କରି ସମସ୍ତ ସୂଚନା ଦେଇଛନ୍ତି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ପ୍ରକୋପରେ ଯେତିକି ବର୍ଷା ଆକଳନ କରାଯାଇଥିଲା, ସେହି ତୁଳନାରେ କମ୍ ବର୍ଷା ଏବଂ ପବନ ହୋଇଛି। ଏଥିସହ ସର୍ବାଧିକ ବର୍ଷା କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ହୋଇଥିବା କହିଛନ୍ତି ଏସଆରସି।

ସେ କହିଛନ୍ତି, “ବାତ୍ୟା ପ୍ରଭାବରେ ଜିଲ୍ଲାଗୁଡ଼ିକରେ କମ୍ ପବନ ଓ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ତାହା ହୋଇନାହିଁ। ଏପର୍ଯ୍ୟନ୍ତ ବିଶେଷ କିଛି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଆସିନାହିଁ। ବାତ୍ୟା ଗୁଲାବ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଆଉ ମାତ୍ର ଦୁଇରୁ ତିନି ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ। ଏହାପରେ ଓଡ଼ିଶା ଅତିକ୍ରମ କରିବ ବୋଲି ଭୁବନେଶ୍ଵର ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।”ସେ ଆଉ ମଧ୍ୟ କହିଛନ୍ତି, “ବାତ୍ୟାର ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବର୍ଷା ଜାରି ରହିଛି। ସର୍ବାଧିକ ବର୍ଷା ୧୪୮ ମିଲିମିଟର କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ରେକର୍ଡ କରାଯାଇଛି। ଏଥି ସହିତ ମାଲକାନଗିରିର ଗୋଟିଏ ବ୍ଲକରୁ ୧୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଗଜପତି ଜିଲ୍ଲାରେ ଗୋସାଣିରୁ ୮୩ ମିଲିମିଟର, ମୋହନାରୁ ୭୦ ମିଲିମିଟର, ପାରଳାଖେମୁଣ୍ଡିରୁ ୬୦ ମିଲିମିଟର, ନୂଆଗଡ଼ରୁ ୫୧ ମିଲିମିଟର ରେକର୍ଡ କରାଯାଇଛି।”

ଗଜପତି ଓ କୋରାପୁଟରେ କେବଳ ଦୁଇରୁ ତିନୋଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା। ସମସ୍ତ ସ୍ଥାନରେ ମଧ୍ୟମ ହାଲୁକା ବର୍ଷା ହୋଇଛି। ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି। ଖୁଣ୍ଟ ଉପୁଡି ନାହିଁ। ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି। ଯାହାକି ବର୍ଷା କମିଲା ପରେ ମରାମତି କରାଯିବ ବୋଲି କହିଛନ୍ତି ଏସଆରସି।

ବାତ୍ୟାରେ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ। କ୍ଷୟକ୍ଷତି ଆକଳନ କରି ଜିଲ୍ଲାପାଳମାନଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ବାତ୍ୟା ସମୟରେ ୪୬ ହଜାର ୭୫ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୧୧୮୯ଟି ବାତ୍ୟା ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇଥିଲା। ୧୫୩୩ ଆସନ୍ନ ପ୍ରସବାଙ୍କୁ ବିଭିନ୍ନ ମା’ ଗୃହ, ସିଏଚସି, ପିଏଚସିକୁ ସ୍ଥାନାନ୍ତର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Comment