ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଗୁଲାବ ଦୁର୍ବଳ ହୋଇ ଗୋଟିଏ ଗଭୀର ଅବପାତରେ ସକ୍ରିୟ ହୋଇ ରହିଥିଲା। ଏବେ ଏହି ଅବପାତ ଧୀରେ ଧୀରେ ଦୁର୍ବଳ ହେଉଛି। ଗତ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ ୬ ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଗଭୀର ଅବପାତର ସଂଗଠିତ ମେଘ ଖଣ୍ଡ ଗୁଡିକର କିଛି ଅଂଶ ଦକ୍ଷିଣ ଓଡ଼ିଶାର ଜିଲ୍ଲା ମଧ୍ୟକୁ ପ୍ରବେଶ କରୁଥିବାରୁ ବର୍ଷାର ପ୍ରଭାବ କିଛି ଜିଲ୍ଲାରେ ଲାଗି ରହିବାର ସମ୍ଭାବନା ରହିଛି। ଏଥି ସହିତ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ତେଣୁ ମଙ୍ଗଳବାର ଯାଏଁ ୩ ଜିଲ୍ଲା ନବରଙ୍ଗପୁର, ମୋରାପୁଟ ଏବଂ ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା ଓ କଳାହାଣ୍ଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟା ଗୁଲାବ ସ୍ଥଳଭାଗ ଛୁଇଁସାରିଥିଲେ ମଧ୍ୟ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ପୁରୀ, ଧାମରା ଏବଂ ପାରାଦୀପ ବନ୍ଦରକୁ ବିପଦ ମୁକ୍ତ କରାଯାଇଥିବାବେଳେ ଗୋପାଳପୁର ବନ୍ଦରରେ ଏବେ ବି ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେପଟେ ରବିବାର ବାତ୍ୟା ଗୁଲାବର ପ୍ରଭାବରେ ସର୍ବାଧିକ ୧୪୮.୦ ମିଲିମିଟର ବର୍ଷା କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀଠାରେ ରେକର୍ଡ କରାଯାଇଛି। ସେହିପରି ଗଜପତି ଜିଲ୍ଲାର ଆର ଉଦୟଗିରିଠାରେ ୬୯.୦ ମିଲିମିଟର, କୋରାପୁଟର ନନନ୍ଦପୁରଠାରେ ୭୫.୫ ମିଲିମିଟର, ଲମତାପୁଟଠାରେ ୭୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Comment