ଓଡ଼ିଶାଲାଇଭ୍ ବ୍ୟୁରୋ

ଜର୍ମାନୀରେ ଶେଷ ହୋଇଛି ଆଞ୍ଜେଲା ମାର୍କେଲଙ୍କ ୧୬ ବର୍ଷର ରାଜନୈତିକ ଯାତ୍ରା। ସାଧାରଣ ନିର୍ବାଚନରେ ମାର୍କେଲଙ୍କ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି। ମାର୍କେଲଙ୍କ ‘ଖ୍ରୀଷ୍ଟିଆନ୍ ଡେମୋକ୍ରାଟିକ୍ ୟୁନିଅନ’ ଠାରୁ ସ୍ୱଳ୍ପ ବ୍ୟବଧାନରେ ଜିତିଛି ମେଣ୍ଟ ଦଳ ‘ସୋସିଆଲ ଡେମୋକ୍ରାଟିକ୍ ପାର୍ଟି’। ଏହା ଫଳରେ ଜର୍ମାନୀ ଚାନସେଲର ଭାବେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଓଲାଫ୍ ସ୍ଲୋଜ୍‌ଙ୍କୁ ନୂଆଁ ଚାନସେଲର ହେବା ପାଇଁ ସୁଯୋଗ ମିଳିଛି।

ତେବେ ଆସନ୍ତା ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ମାର୍କେଲ ହିଁ ଏହି ପଦରେ ରହି କାର୍ଯ୍ୟଭାର ସମ୍ଭାଳିବେ ବୋଲି ଘୋଷଣା ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ‘ସୋସିଆଲ୍‌ ଡେମୋକ୍ରାଟିକ୍‌ ପାର୍ଟି’ ମାତ୍ର ୧.୬% ପଏଣ୍ଟରେ ବିଜୟୀ ହୋଇଛି। ‘ଦି ଫେଡେରାଲ୍‌ ଜର୍ମାନ୍‌ ଇଲେକ୍ସନ ଏଜେନ୍‌ସି’ ଉପରୋକ୍ତ ଫଳାଫଳ ଘୋଷଣା କରିଛି। ରବିବାର ସନ୍ଧ୍ୟାରେ ଏକଜିଟ୍‌ ପୋଲ୍‌ ଘୋଷିତ ହେବାପରେ ‘ସୋସିଆଲ୍‌ ଡେମୋକ୍ରାଟିକ୍‌ ପାର୍ଟି’ ମୁଖ୍ୟାଳୟରେ ଆନନ୍ଦ ଉତ୍ସବ ଆରମ୍ଭ ହୋଇଯାଇଥିଲା। ସମର୍ଥକମାନେ ସେମାନଙ୍କ ଦଳର ପ୍ରାର୍ଥୀ ଓଲାଫ୍‌ ସ୍ଲୋଜ୍‌ଙ୍କୁ ଉତ୍ସାହ ଦେବା ପାଇଁ ତାଳି ମାରି ‘ଓଲାଫ୍‌!’ ‘ଓଲାଫ୍‌!’ ଧ୍ଵନି ଦେଇଥିଲେ।ଏସବୁ ପରେ ବି ମାର୍କେଲଙ୍କୁ ଭୁଲି ପାରୁନାହାଁନ୍ତି ଜର୍ମାନୀର ଲୋକେ।। ତାଙ୍କର ଶାସନ ଶୈଳୀକୁ ଏବେବି ମନେ ପକାଉଛନ୍ତି ଜର୍ମାନବାସୀ। ତାଙ୍କ ସମୟରେ ଜର୍ମାନୀ ଏକ ସୁଦୃଢ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଭା ହୋଇପାରିଥିଲା। କିନ୍ତୁ ନିର୍ବାଚନ ପୂର୍ବରୁ ଆଉ ଚାନସେଲର ହେବେ ନାହିଁ ଘୋଷଣା କରିଥିଲେ ମାର୍କେଲ। ହୁଏତ ସେଥିପାଇଁ ତାଙ୍କ ଦଳ ବହୁମତ ପାଇବାରୁ ବଞ୍ଚିତ ହେଲା ବୋଲି କୁହାଯାଉଛି।

ଜର୍ମାନୀ ସାଧାରଣ ନିର୍ବାଚନର ଫଳ ପ୍ରକାଶ ପାଇବା ପରେ ଭାରତରେ ଅବସ୍ଥାପିତ ଜର୍ମାନୀର ରାଷ୍ଟ୍ରଦୂତ ୱାଲଟର ଜେ ଲିଣ୍ଡନର କହିଛନ୍ତି ଯେ, ଭାରତ ସହିତ ଜର୍ମାନୀର ସମ୍ପର୍କ ପୂର୍ବବତ ରହିବ। ଜର୍ମାନୀରେ ମିଳିତ ସରକାର କ୍ଷମତାକୁ ଆସିଥିଲେ ହେଁ ଭାରତ ସହିତ ସମ୍ପର୍କରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାଷ୍ଟ୍ରଦୂତ କହିଛନ୍ତି ଯେ, ଉଭୟ ଦେଶ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ଖୁବ ଭଲ ରହିଛି। ଭାରତରେ ଜର୍ମାନୀର ଦୁଇ ହଜାର କମ୍ପାନି ନିୟୋଜିତ ଥିବାବେଳେ ୨୫ ହଜାର ଭାରତୀୟ ଛାତ୍ର ଜର୍ମାନୀରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି। ତା’ଛଡ଼ା ବିଶ୍ୱର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ ପ୍ରସଙ୍ଗରେ ଉଭୟ ଦେଶର ମତ ସମାନ ରହିଛି।

Comment