ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆ କପ୍ ୨୦୨୨ ପାଇଁ ଭାରତୀୟ ମହିଳା ଦଳର ନାମ ଘୋଷଣା ହୋଇଯାଇଛି। ଏହି ଦଳରେ ସମୁଦାୟ ୨୩ ଜଣ ଖେଳାଳି ସ୍ଥାନ ପାଇଥିବାବେଳେ ସେଥିରେ ଦୁଇ ଓଡ଼ିଆ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ପାନ୍ନା ରହିଛନ୍ତି। ପ୍ୟାରୀ ଖାଖା ଫରୱାର୍ଡ ଖେଳାଳି ଭାବେ ଦଳରେ ଖେଳୁଥିବାବେଳେ ମନୀଷା ପାନ୍ନା ଡିଫେଣ୍ଡର ଭାବେ ଖେଳିବେ।

ଏହି ଦୁଇ ଖେଳାଳି ପୂର୍ବରୁ ଜାତୀୟ ଦଳରେ ସାମିଲ ହୋଇ ବହୁ ମ୍ୟାଚ ଖେଳିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଦଣ୍ଡିଆପାଲ୍ଲିର ଝାଡ଼ତରଙ୍ଗରେ ଏହି ଦୁଇ ଖେଳାଳିଙ୍କ ଘର। ୟୁଏଇ ଗସ୍ତ ପୂର୍ବରୁ ଏହି ଖେଳାଳିଙ୍କୁ ଫୁଟବଲ ମ୍ୟାଚ ଆସୋସିଏସନ ଅଫ ଓଡ଼ିଶା ବା ଫାଓ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ୟୁଏଇ ଏବଂ ବାହାରିନ ଠାରେ ଅକ୍ଟୋବର ୨ ତାରିଖରୁ ଭାରତୀୟ ମହିଳା ଫୁଟବଲ ଦଳ ୪ଟି ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ ଖେଳିବାକୁ ଯାଉଛି। ଏହି ମ୍ୟାଚ ଅକ୍ଟୋବର ୨ରୁ ଆରମ୍ଭ ହୋଇ ଅକ୍ଟୋବର ୧୩ ଯାଏଁ ଚାଲିବ। ଭାରତୀୟ ଦଳ ଜାମସେଦପୁର ଠାରେ ଅଭ୍ୟାସ ଜାରି ରଖିଥିବାବେଳେ ଆଜି ଦିଲ୍ଲୀ ଗସ୍ତ କରିଛି। ବୁଧବାର ଦଳ ୟୁଏଇ ଗସ୍ତ କରିବ ବୋଲି ସୂଚନା ରହିଛି।

ଖେଳର କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବର ୨ ରେ  ୟୁଏଇ ବିପକ୍ଷରେ ଖେଳିବ ଭାରତ। ସେହିପରି ଅକ୍ଟୋବର ୪ରେ ଭାରତ ବନାମ ତ୍ୟୁନିସିଆ, ଅକ୍ଟୋବର ୧୦ରେ ଭାରତ ବନାମ ବାହାରିନ ଏବଂ ଅକ୍ଟୋବର ୧୩ରେ ଭାରତ ବନାମ ଚାଇନିଜ ତାଇପେଙ୍ଗ। ଏହି ଚାରୋଟି ମ୍ୟାଚ ଖେଳି ସାରିବା ପରେ ଦଳ ସ୍ଵଦେଶ ଫେରିବ।

Comment