ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗର ତିନୋଟି ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଘୋଷଣା ହେବ। ତେବେ ସମସ୍ତଙ୍କ ନଜରରେ ରହିଛି ଭବାନୀପୁର ଆସନ। ସେହି ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଛନ୍ତି। ଦିଦିଙ୍କ ବିପକ୍ଷରେ ରହିଛନ୍ତି ବିଜେପିର ନେତ୍ରୀ ପ୍ରିୟଙ୍କା ତିବ୍ରେୱାଲ। ସେହିପରି ସିପିଆଇଏମର ଶ୍ରୀଜୀବ ବିଶ୍ଵାସ ଏହି ଲଢେଇରେ ସାମିଲ ହୋଇଛନ୍ତି।

ରାଜନୀତି କ୍ଷେତ୍ରରେ ସର୍ବଦା ଚର୍ଚ୍ଚାରେ ରହିଆସିଛି ପଶ୍ଚିମବଙ୍ଗ ନିର୍ବାଚନ। ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପରାଜୟ ପରେ ଭବାନୀପୁରରୁ ପୁଣିଥରେ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ନିର୍ବାଚନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ। ଯଦି ଫଳାଫଳ ମମତାଙ୍କ ସପକ୍ଷରେ ନଗଲା, ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିପାରେ।

ନିୟମ ଅନୁସାରେ କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି, ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ। ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡେ। ତେଣୁ ଏହି ନିର୍ବାଚନ ମମତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ସେପ୍ଟେମ୍ବର ୩୦ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା। ଭବାନୀପୁର ଉପନିର୍ବାଚନରେ ମୋଟ ୫୩.୩୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି।

Comment