ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୫ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ତାଲିକା ସ୍ଥିର ହୋଇଥିବା ସୂଚନା ରହିଛି। ଏଥି ସହିତ ମାର୍ଚ୍ଚ ୫ ସୁଦ୍ଧା ଫଳାଫଳ ପ୍ରକାଶ କରି ନୂଆ ପ୍ରତିନିଧିଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ ଯୋଜନା କରାଯାଉଛି। ତେବେ ନିର୍ବାଚନ ନେଇ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ସଂରକ୍ଷଣ ପ୍ରକ୍ରିୟାରୁ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ସଙ୍କେତ ମିଳୁଛି। ସେପ୍ଟେମ୍ବର ୮ ତାରିଖରେ ସରପଞ୍ଚ, ୱାର୍ଡମେମ୍ବର, ପଞ୍ଚାୟତ ସମିତି ସଦସ୍ୟ ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ୨୬ ତାରିଖରେ ଚୂଡ଼ାନ୍ତ ତାଲିକା ଜାରି କରାଯିବ ବୋଲି ସୂଚନା ମିଳିଛି।

ସେହିପରି ଜିଲ୍ଲା ପରିଷଦ ପଦବୀ ପାଇଁ ୮ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରାଯାଇ ସେପ୍ଟେମ୍ବର ୩୦ ସୁଦ୍ଧା ଚୂଡ଼ାନ୍ତ  ତାଲିକା ପ୍ରକାଶ କରାଯାଇପାରେ। ଏଥି ପାଇଁ ତ୍ଵରିତ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତିରାଜ ବିଭାଗ ସଚିବ ଅଶୋକ ମିନା।

୨୦୨୨ ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତରାଜ ଦିବସ ଥିବାରୁ ତା’ ପୂର୍ବରୁ ପଞ୍ଚାୟତ ନିର୍ବାଚନ ସାରିବାକୁ ବିଭାଗ ପକ୍ଷରୁ ଯୋଜନା କରାଯାଉଛି। ଏଥି ସହିତ ମାର୍ଚ୍ଚ ୫ରେ ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ, ନିୟମ ଅନୁସାରେ ତା’ ପୂର୍ବରୁ ନିର୍ବାଚନ ସାରିବାକୁ ସରକାର ଲକ୍ଷ୍ୟ ରଖିଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

Comment