ଓଡ଼ିଶାଲାଇଭ୍ ବ୍ୟୁରୋ

‘ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ବା ସସ୍‌ଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍‌ସ ହାସଲରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଭୂମିକା’ ବିଷୟ ଉପରେ ଭୁବନେଶ୍ଵରସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଏକ ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଆସନ୍ତାକାଲି ପାଇଁ ଏକ ସୁଦୃଢ଼ ସମାଜ ନିର୍ମାଣ କ୍ଷେତ୍ରରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଅଗ୍ରଣୀ ଭୂମିକା ନିଭାଉଥିବା ଏହି ଆଲୋଚନାରେ ମତ ପ୍ରକାଶ ପାଇଛି।

ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଡିନ୍ ପ୍ରଫେସର ପ୍ରଶାନ୍ତ ମହାନ୍ତି ସ୍ଵାଗତ ଭାଷଣ ଦେଇ ଏହି ଆଲୋଚନାଚକ୍ରକୁ ଆରମ୍ଭ କରିଥିଲେ।

“କେବଳ ସରକାର ଏକାକୀ ଭାବେ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିପାରିବେ ନାହିଁ। ତେଣୁ ବିଶ୍ୱବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନଗୁଡ଼ିକ ଏ ଦିଗରେ ଆଗେଇ ଆସି ପ୍ରମୁଖ ଭୂମିକା ନେବାର ଆବଶ୍ୟକତା ରହିଛି”, କହିଥିଲେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ।

ଏହି ଅବସରରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ (ବିପିୟୁଟି)ର ପୂର୍ବତନ କୁଳପତି ପ୍ରଫେସର ଓମକା ନାଥ ମହାନ୍ତି ପ୍ରକୃତିକୁ ସମ୍ମାନ ଦେବା କ୍ଷେତ୍ରରେ ଗୁରୁତ୍ଵାରୋପ କରିଥିଲେ। ସେହିପରି ଆଲୋଚନାଚକ୍ରର ଶିକ୍ଷା ଅଧିବେଶନରେ ଭାଷାବିତ୍ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଗୁଣାତ୍ମକ ଶିକ୍ଷା ପାଇଁ ଭାଷାର ମହତ୍ୱ ବିଷୟରେ କହିଥିଲେ।

ଜାମିଆ ମିଲିଆ ଇସଲାମିଆର ପ୍ରଫେସର ବିଶ୍ୱଜିତ ଦାସ ଜାତି ସମ୍ବନ୍ଧୀୟ ଭେଦଭାବ ହ୍ରାସ କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକ କିପରି ସେମାନଙ୍କର ଭୂମିକା ଗ୍ରହଣ କରିପାରନ୍ତି ସେ ବିଷୟରେ ଆଲୋଚନା କରିଥିଲେ। ଏଥିସହିତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଉପରେ ହୋଇଥିବା ଅଧିବେଶନରେ ଅଭୟ ମିଶ୍ର ଏବଂ ଡକ୍ଟର ଇ ଭେଙ୍କଟ ରାଓ ‘ଚିରସ୍ଥାୟୀ ବିକାଶ ଲକ୍ଷ୍ୟ’ ହାସଲ କରିବାରେ ଉତ୍ତମ ସ୍ୱାସ୍ଥ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସେହିପରି ପ୍ରଫେସର ଡାକ୍ଟର ସ୍ମିତା ମିଶ୍ର, ସୁଚିତ୍ରା ପ୍ରଧାନ, ସଂଗ୍ରାମ କେଶରୀ ଲେଙ୍କା, ୟୁଏନ୍‌ଡିପିରୁ ଉପାସନା ସିକ୍ରି, ସୁଖମାନ ରାନ୍ଧୱା ଏବଂ ନନ୍ଦିତା ମଥୁର, ଟାଟା ଷ୍ଟିଲରୁ ପ୍ରସାଦ ନନ୍ଦା ପ୍ରମୁଖ ‘ଲିଙ୍ଗଗତ ସମାନତା’ ଭଳି ବିଭିନ୍ନ ବିଷୟରେ ସେମାନଙ୍କର ମତ ରଖିଥିଲେ।

ଏହି ଅବସରରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ। ଏଥିରେ ଦେଶର ବିଭିନ୍ନ କୋଣରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ସ୍କଲାରମାନେ ଯୋଗ ଦେଇଥିଲେ। ଏଥିସହିତ ଆଲୋଚନାଚକ୍ରରେ ପ୍ରଫେସର ଉମାକାନ୍ତ ନାୟକ, ପ୍ରଫେସର ଦୀପନକର ଭଟ୍ଟାଚାର୍ଯ୍ୟ, ଡକ୍ଟର ଗିରିଜା ନନ୍ଦିନୀ, ଡକ୍ଟର ରୁକ୍ମିଣୀ ମିଶ୍ର, ଡକ୍ଟର ନୀତେଶ ଧର ବଡଜ୍ଞାନ, ଡକ୍ଟର ଯଶସ୍ୱୀ ନାୟକ ଏବଂ ଡକ୍ଟର ପ୍ରଜନା ପାଣି ଆଦି ଉପସ୍ଥିତ ଥିଲେ।

ଶେଷରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡକ୍ଟର ଛାୟାବ୍ରିତା ମାଝି ଅଧିବେଶନର ସାରାଂଶ କହିଥିଲେ ଏବଂ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ପ୍ରଫେସର ଅନୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comment