ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାବିଶ୍ୱରେ ମ୍ୟାଲେରିଆକୁ ନେଇ ଚନ୍ତା ବଢ଼ୁଥିଲା ବେଳେ ଏହାକୁ ରୋକିବାକୁ ପ୍ରସ୍ତୁତ ହୋଇଛି ମ୍ୟାଲେରିଆ ଟିକା। ଆଫ୍ରିକୀୟ ଦେଶ ମାଲୱି ବିଶ୍ଵର ପ୍ରଥମ ଦେଶ ଭାବେ ଏହି ଟିକା ପ୍ରସ୍ତୁତ କରିଛି। ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ମଧ୍ୟ ମିଳିଛି । ଡବ୍ଲୁଏଚଓ ପକ୍ଷରୁ ମ୍ୟାଲେରିଆ ଟିକା ଆରଟିଏସ-ଏସଏଏସ୦୧କୁ ଅନୁମୋଦନ ମିଳିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନମ ସୂଚନା ଦେଇଛନ୍ତି ।

ଏହି ଟିକାର ସାଧାରଣ ନାମ ରଖାଯାଇଛି ‘ମସକ୍ୟୁରିକ୍ସ।’ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ମ୍ୟାଲେରିଆ ଟିକା ହେଉଛି ମଶା କାମୁଡିବା ଯୋଗୁଁ ବ୍ୟାପୁଥିବା ସଂକ୍ରମଣ ବିରୋଧରେ ବିଶ୍ୱର ପ୍ରଥମ ଟିକା। ସାରା ବିଶ୍ୱରେ ମଶାଜନିତ ସଂକ୍ରମଣ ଯୋଗୁଁ ପ୍ରତିବର୍ଷ ୪ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି।

ବିଶେଷ ଭାବରେ ଆଫ୍ରିକାର ପିଲାମାନଙ୍କର ଏହି ରୋଗରେ ପ୍ରାଣ ଯାଇଥାଏ। ବିଶ୍ୱ ଜନସଂଖ୍ୟା ପାଇଁ ଆରଟିଏସ-ଏସଏଏସ୦୧ ମ୍ୟାଲେରିଆ ଟିକା ଆଗାମୀ ଦିନରେ ଏକ ଉଲ୍ଲେଖନୀୟ ଘଟଣା ହେବ।

୨୦୧୯ରୁ ଘାନା, କେନିଆ ଓ ମାଲୱିରେ ଏହି ଟିକାର ୨ ନିୟୁତରୁ ଅଧିକ ଡୋଜ ପିଲାମାନଙ୍କୁ ଦିଆଯାଇଥିଲା। ଏହି ପରୀକ୍ଷାମୂଳକ ଟିକାକରଣରେ ସଫଳତା ମିଳିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବ୍ୟାପକ କରିବା ପାଇଁ ଅନୁମୋଦନ ଦେଇଛି।

ପ୍ରଥମେ ଫାର୍ମାସ୍ୟୁଟିକାଲ୍ସ କମ୍ପାନି ଜିଏସକେ ୧୯୮୭ରେ ଏହି ଟିକା ପ୍ରସ୍ତୁତ କରିଥିଲା। ଟିକାର ପରୀକ୍ଷା ହୋଇଥିବା ଦେଶଗୁଡିକରେ ଏହାର ସକରାତ୍ମକ ଫଳାଫଳ ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ଅନୁଯାୟୀ ଏହି ଟିକାର ୪ଟି ଡୋଜକୁ ଶିଶୁ ଜନ୍ମରୁ ଦୁଇ ବର୍ଷ ଭିତରେ ନେବାକୁ ପଡ଼ିବ।

ମ୍ୟାଲେରିଆ କେତେ ମାରାତ୍ମକ ତାହା ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହେବ। ବିଶ୍ୱରେ ପ୍ରତି ଦୁଇ ମିନିଟରେ ଜଣେ ଛୋଟ ପିଲା ମ୍ୟାଲେରିଆ ଯୋଗୁଁ ପ୍ରାଣ ହରାଇଥାନ୍ତି। ମୋଟ ମ୍ୟାଲେରିଆ ମୃତ୍ୟୁରୁ ଅଧାରୁ ଅଧିକ ଆଫ୍ରିକା ଓ ନାଇଜେରିଆରେ ଦେଖିବାକୁ ମିଳେ। ଜ୍ୱର, ମୁଣ୍ଡବିନ୍ଧା ଓ ମାଂସପେଶୀରେ ଯନ୍ତ୍ରଣା ହେଉଛି ମ୍ୟାଲେରିଆର ପ୍ରଥମ ଲକ୍ଷଣ।  ଅନ୍ୟପଟେ ଏହି ଟିକାର ମୂଲ୍ୟ ଓଡ଼ିଶା ପାଇଁ ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତରେ ଓଡ଼ିଶା ହେଉଛି ସବୁଠାରୁ ଅଧିକ ମ୍ୟାଲେରିଆ ପ୍ରବଣ ରାଜ୍ୟ। ମ୍ୟାଲେରିଆ ମୃତ୍ୟୁରେ ମଧ୍ୟ ଏକଦା ଓଡ଼ିଶାରେ ସର୍ବାଧିକ ଥିଲା।

୨୦୧୬ ମସିହା ପରଠାରୁ ଅବଶ୍ୟ ମ୍ୟାଲେରିଆ ମୃତ୍ୟୁ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇଛି। ତଥାପି ଜାତୀୟ ହାର ତୁଳନାରେ ଏଠି ମ୍ୟାଲେରିଆର ପ୍ରଭାବ ଅଧିକ। ତେଣୁ ଟିକା ବଜାରକୁ ଆସିବା ପରେ ଓଡ଼ିଶା ସରକାର ଏହାକୁ ଏକ ମିଶନ ମୋଡରେ ଗ୍ରହଣ କରି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ଛୁ ମାନଙ୍କ ଟିକାକରଣ ପ୍ରତି ଆଗଭର ହେବେ ବୋଲି ଅନୁମାନ କରାଯାଉଛି।

Comment