ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର ଦୁର୍ଦ୍ଦାନ୍ତ ମାଓନେତା ଆର୍.କେ ଓରଫ ରାମକୃଷ୍ଣଙ୍କ ମୃତ୍ୟୁପରେ ମାଓନେତ୍ରୀ ଶ୍ଵେତା ଆତ୍ମସମର୍ପଣ କରିଛନ୍ତି। ଶନିବାର ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ଏସ୍‌ପି ବି. କ୍ରିଷ୍ଣ ରାଓଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛନ୍ତି।

ବର୍ତ୍ତମାନ ଆନ୍ଧ୍ର ଓଡିଶା ସୀମାରେ ସକ୍ରିୟ ଥିବା ପେଦାବାୟାଲୁ ଏରିଆ କମିଟି ମାଓ ଦଳର ଟପ୍ ମାଓ ନେତା ଜାମ୍ବରୀର ଭାଣିଜୀ ହେଲେ କେ.କୁମାରୀ ଓରଫ ଶ୍ଵେତା। ସେ ୨୦୦୯ ମସିହାରେ ନିଜ ମାମୁ ଜାମ୍ବରୀର ପ୍ରୋତ୍ସାହନରେ ଗାଲୀକୋଣ୍ଡା ମାଓ ଦଳରେ ସାମିଲ ହୋଇଥିଲେ ଏବଂ ପ୍ରଶିକ୍ଷଣ ଶେଷ କରିବା ପରେ ୨୦୧୫ ମସିହାଠାରୁ ପେଦାବାୟାଲୁ ଏରିଆ କମିଟି ମାଓ ଦଳରେ ଜଣେ ଟପ ମାଓନେତ୍ରୀ ରୂପେ କାର୍ଯ୍ୟ କରୁଥିଲେ।

ଶ୍ଵେତା ନାମରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିଭିନ୍ନ ପୋଲିସ ଥାନାରେ ୪୬ରୁ ଊର୍ଦ୍ଧ୍ଵ ମାମଲା ରହିଛି। ସେ ୬ ଜଣକୁ ହତ୍ୟା, ୫ଟି ମାଓ ପୋଲିସ ଗୁଳିବିନିମୟ ସାମିଲ, ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ, ୩ଟି ସ୍ଥାନରେ ସରକାରୀ ଯାନବାହାନରେ ନିଆଁ ଲଗାଇବା, ୨ଟି ଅପହରଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏଥିସହ ଶ୍ଵେତା ନାମରେ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ୨୦୧୫ ମସିହାରେ ୪ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା।ଆତ୍ମସମର୍ପଣ ପରେ ଶ୍ଵେତା କହିଛନ୍ତି ଯେ, ଟପ୍ ମାଓନେତା ଆର୍.କେଙ୍କ ମୃତ୍ୟୁ ପରେ ବର୍ତ୍ତମାନ ମାଓ ଦଳରେ ଗୋଷ୍ଠୀ କନ୍ଦଳ ଦେଖାଦେବା ସହ ମାଓନେତ୍ରୀ ଅରୁଣା ଓ ଅନ୍ୟ ସଦସ୍ୟମାନଙ୍କ ଦ୍ୱାରା ନିର୍ଯ୍ୟାତନା ଦିଆଯାଉଛି। ସେହିପରି ଗତ ୧୧ ବର୍ଷ ଧରି ନିଜ ପରିବାର ସହ ମିଶିବା ପାଇଁ ସୁଯୋଗ ଦିଆଯାଉ ନାହିଁ। ଅନ୍ୟପଟେ ଆଦିବାସୀ ଇଲାକାରେ ପୋଲିସ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ତେଣୁ ମୁଁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଛି।

ଆତ୍ମସମର୍ପଣ ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଥଇଥାନ ନିୟମ ଅନୁଯାଇ ମାଓ ନେତ୍ରୀ ଶ୍ଵେତାକୁ ସମସ୍ତ ସରକାରୀ ସାହାଯ୍ୟ ପ୍ରଦାନ କରାଯିବା ସହ ତାଙ୍କ ଉପରେ ରହିଥିବା ୪ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଏସ୍‌ପି ବି. କ୍ରିଷ୍ଣ ରାଓ ପ୍ରକାଶ କରିଛନ୍ତି।

Comment