ଓଡ଼ିଶାଲାଇଭ୍ ବ୍ୟୁରୋ

ଆତ୍ମଘୋଷିତ ଧର୍ମଗୁରୁ ତଥା ଡେରାସଚ୍ଚା ସୌଦା ବାବା ଗୁରୁମିତ୍ ସିଂହ ଓରଫ୍ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଡେରା ମ୍ୟାନେଜର ରଣଜିତ୍ ସିଂହ ହତ୍ୟା ମାମଲାରେ ସୋମବାର ସିବିଆଇର ସ୍ଵତନ୍ତ୍ର କୋର୍ଟ ତାଙ୍କୁ ୩୧ ଲକ୍ଷ ଟଙ୍କାର ଜରିମାନା ସହ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ରାମ ରହିମଙ୍କ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ।

ସେହିପରି ଜରିମାନା ବାବଦକୁ ରାମ ରହିମଙ୍କ ସହଯୋଗୀମାନଙ୍କୁ ମଧ୍ୟ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି କୋର୍ଟ।  ୨୦୦୨ ଡେରା ସୌଦାର ପୂର୍ବତନ ପ୍ରବନ୍ଧକ ରଣଜିତ୍ ସିଂହଙ୍କ ହତ୍ୟା ମାମଲାର ଶୁଣାଣି ଗତ ଅକ୍ଟୋବର ୮ରେ ସିବିଆଇ ସ୍ଵତନ୍ତ୍ର କୋର୍ଟରେ ହୋଇଥିଲା। ଏହି ମାମଲାରେ ରାମ ରହିମ ଏବଂ ତାଙ୍କ ସହଯୋଗୀମାନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଦୀର୍ଘ ୧୯ ବର୍ଷ ପରେ ଏହି ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଗୁରୁମିତ୍ ରାମ ରହିମ ବର୍ତ୍ତମାନ ରୋହତକ୍ ଜିଲ୍ଲାର ସୁନାରିଆ ଜେଲ୍‌ରେ କାରାଦଣ୍ଡ କାଟୁଛନ୍ତି। ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୁଇଜଣ ସ୍ୱାଧୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୨୦ ବର୍ଷ କାରାଦଣ୍ଡରେ ତାଙ୍କୁ ଦଣ୍ଡିତ କରିଥିଲେ। ଏହାପରେ ୨୦୧୯ ଜାନୁଆରି ୧୭ରେ ଉକ୍ତ କୋର୍ଟ ତାଙ୍କୁ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Comment