ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରରେ କମିସନରେଟ୍ ପୋଲିସ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ଶୁକ୍ରବାର ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କ ବଦଳି ହୋଇଛି। ତାଙ୍କୁ ଭୁବନେଶ୍ଵର ଡିସିପି କାର୍ଯ୍ୟାଳୟକୁ ବଦଳି କରାଯାଇଛି।

ଏଥିସହ ସାଉଥ୍ ସିଟି ବାର୍ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କୁ ଥାନାରେ ଅଟକ ରଖାଯାଇଛି। ବାର୍‌ର ଲାଇସେନ୍ସ ସେପ୍ଟେମ୍ଵର ମାସରୁ ଶେଷ ହୋଇଥିଲେ ବି ତାହାକୁ ବେଆଇନ୍ ଭାବେ ଚାଲୁ ରଖାଯାଇଥିଲା। ଏହାସହ କୋଭିଡ କଟକଣାକୁ ଉଲଙ୍ଘନ କରି ଡେରି ରାତି ଯାଏଁ ବାର୍‌ ଚାଲୁଥିଲା। ତେଣୁ ବାର୍ ମାଲିକଙ୍କୁ ପୋଲିସ ଅଟକ ରଖିବା ସହ କମିସନରେଟ୍ ପୋଲିସର କନ୍‌ଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ଵନ କରିଛି। ପ୍ରସନ୍ନ ଭୁବନେଶ୍ଵର ହାବିଲଦାର୍ ଏବଂ କନ୍‌ଷ୍ଟେବଳ ସଂଘର ସଭାପତି ମଧ୍ୟ ଅଛନ୍ତି। ସେ ତାଙ୍କ ଭାଇଙ୍କ ନାଁରେ ଲିଜ୍‌କୁ ନେଇ ସାଉଥ୍ ସିଟି ବାର୍ ଚଳାଉଥିଲେ।ତେବେ ଜଣେ ପୋଲିସ କର୍ମଚାରୀଙ୍କ ଦ୍ଵାରା ବାର୍‌ ନିୟନ୍ତ୍ରିତ ହେଉଥିବା ବେଳେ କିଭଳି ଭାବେ ସେଠାରେ କରୋନା ନିୟମ ଉଲଙ୍ଘନ କରାଯାଇ ଡେରି ରାତି ପର୍ଯ୍ୟନ୍ତ ବାର୍‌କୁ ଚଲାଯାଉଥିଲା ତାକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି।

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଗତ ଅକ୍ଟୋବର ୧୦ରେ ପାତ୍ରପଡ଼ା ନିକଟସ୍ଥ ଏକ ପୋଖରୀରୁ ଠାବ କରାଯାଇଥିଲା। ହୋଟେଲର ବିଲ୍‌ ପେମେଣ୍ଟକୁ ନେଇ ମନୀଷ ଏବଂ ତାଙ୍କ ସାଙ୍ଗମାନଙ୍କ ଭିତରେ ଝଗଡ଼ା ହେବା ଫଳରେ ହାତିହାତିରୁ ମନୀଷଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ମନୀଷଙ୍କ ୩ ଜଣ ସାଙ୍ଗକୁ ପୋଲିସ ଗିରଫ କରି ଜେରା କରୁଛି।

Comment