ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବା ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କଟକସ୍ଥିତ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।

ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବକ୍ସିବଜାର ଛକଠାରୁ ଶୋଭାଯାତ୍ରାରେ ବାହାରି ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଯୁବ କଂଗ୍ରେସ ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ହେଉନଥିବା ଅଭିଯୋଗ କରିବା ସହ ସ୍ମାରକ ପତ୍ର ଦେଇଥିଲେ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଡକ୍ଟର ଲେଙ୍କା ଦାବି କରିଥିଲେ। ଏହା ନହେଲେ ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୁବ କଂଗ୍ରେସ କର୍ମୀ ଘେରାଉ କରିବ ବୋଲି ସେ କହିଥିଲେ । ଏଥିସହ ମନ୍ତ୍ରୀଙ୍କୁ ସବୁ ସ୍ଥାନରେ କଳାପତାକା ଦେଖାଇ ରାଜ୍ୟବ୍ୟାପୀ ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ।

ଦାବିପତ୍ର ପ୍ରଦାନ ସମୟରେ ଉପସଭାପତି ମହମ୍ମଦ ଅଲିମ, ବୀରେନ୍ଦ୍ର ବାଗ, ସୁନିତା ବାଗ, ବିଶ୍ୱରଞ୍ଜନ ଦାଶ, ଆର୍ଯ୍ୟବୀର ଲେଙ୍କା, ତ୍ରିଲୋଚନ ପାଣିଗ୍ରାହୀ, ବିକି ଚକ୍ରବର୍ତୀ, ସାଉଲ ମଙ୍ଗରାଜ, ପ୍ରଶାନ୍ତ ମଲ୍ଲିକ, ସତ୍ୟପ୍ରକାଶ ସାମଲ, ମହମ୍ମଦ ସାହେବ, ଅମ୍ରିତା ଦାଶ, ପ୍ରଦୀପ ସାହୁ, ଜ୍ଞାନରଞ୍ଜନ ରାଉତ, ମନୋରଞ୍ଜନ ପଟ୍ଟନାୟକ ଓ କମଳ ଚରଣ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

Comment