ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ‘ମୋ କଲେଜ ଅଭିଯାନ’ ଅଧୀନରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ପ୍ରଥମ ପର୍ଯ୍ୟାୟ ଅନୁଦାନ ରାଶି ଦିଆଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦଘାଟନ କରି ୧୨ଟି ମହାବିଦ୍ୟାଳୟ ଓ ଦୁଇଟି ବିଶ୍ଵବିଦ୍ୟାଳୟ ଲାଗି ମୋଟ ୧ କୋଟି ୫୦ ଲକ୍ଷ ୫୬ ହଜାର ଟଙ୍କା ପ୍ରଦାନ କରିଛନ୍ତି।

‘‘ମୋ କଲେଜ ଅଭିଯାନ ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ମିଳିଥିବା ଅର୍ଥର ଦୁଇ ଗୁଣା ରାଶି ରାଜ୍ୟ ସରକାର ପ୍ରଦାନ କରିବା ଲାଗି ବ୍ୟବସ୍ଥା ହୋଇଛି। ଏହି ଟଙ୍କାରେ ୫ଟି ଅଧୀନରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୦ ଟି କଲେଜର ବିକାଶ କରାଯିବ। ଏହାଦ୍ଵାରା କ୍ୟାମ୍ପସ, କ୍ଲାସରୁମ ବଦଳିବା ସହିତ ସ୍ନାତକ ଓ ସ୍ନାତକୋତ୍ତର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ’’, ଉଦଘାଟନୀ କାର୍ଯ୍ୟକ୍ରମରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।mo college

ସେ ଆହୁରି ମଧ୍ୟ କହିଥିଲେ, ‘‘ରାଜ୍ୟରେ ହାଇସ୍କୁଲ ଟ୍ରାନ୍ସଫର୍ମେସନ ସଫଳତା ହାସଲ କରିଛି। ସ୍କୁଲର ସଫଳତା ପରେ ଉଚ୍ଚ ଶିକ୍ଷାନୁଷ୍ଠାନ ଦିଗରେ ପଦକ୍ଷେପ ନିଆଯାଇଛି। ନଭେମ୍ବର ୧୪ ସୁଦ୍ଧା ୧ ହଜାର ବିଦ୍ୟାଳୟ ଲୋକାର୍ପିତ ହେବାକୁ ଯାଉଛି। ଏହା ପିଲାଙ୍କ ସ୍କୁଲ ଶିକ୍ଷାକୁ ଆହୁରି ଦୃଢ଼ କରିବ।’’

ସେହିପରି ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ କଲେଜ ଦିନର ସମୟକୁ ମନେ ପକାଇଥିଲେ। ସେ କହିଥିଲେ, ‘‘ଜୀବନର ସବୁଠୁ ସୁବର୍ଣ୍ଣ ସମୟ ହେଉଛି କଲେଜ ଦିନ। ଏହି ସମୟରେ ମନରେ ସ୍ଵପ୍ନ, ସଂଘର୍ଷ ଓ ଅସୀମ ସମ୍ଭାବନା ଥାଏ। ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାକୁ ଶକ୍ତି ମିଳିଥାଏ। ତେଣୁ କଲେଜ ରୂପାନ୍ତରଣ ଯୁବପିଢ଼ିଙ୍କୁ ସଠିକ ମାର୍ଗଦର୍ଶନ ଦେଇପାରିବ।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ ସ୍ଵାଗତ ଭାଷଣ ଦେଇଥିଲେ। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟ ସରକାଙ୍କ ବରିଷ୍ଠ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟ କୁଳପତି, ବିଭିନ୍ନ କଲେଜର ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Comment