ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହରଙ୍କ ହତ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ବିଜେପି ଭୁବନେଶ୍ୱର ଡିସିପି ଅଫିସ ଘେରାଉ କରିଥିଲା ବେଳେ ଆଜି କଳାହାଣ୍ଡି ଯାଇ ମମିତାଙ୍କ ପରିବାରକୁ ଭେଟିଛି କଂଗ୍ରେସର କେନ୍ଦ୍ରୀୟ ଟିମ୍‌।

ମମିତାଙ୍କ ପରିବାରକୁ ଭେଟିଛି କଂଗ୍ରେସର କେନ୍ଦ୍ରୀୟ ଟିମ୍‌। କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଆଜି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହାପରେ ସେମାନେ ବଲାଙ୍ଗିର ଯାଇ ମମିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଝିଅକୁ ଉଚିତ ନ୍ୟାୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ କେନ୍ଦ୍ରୀୟ ଟିମ୍‌ ସହ ମମିତାଙ୍କ ଘର ଲୋକଙ୍କ ସହ ଆଲୋଚନା କରିଛନ୍ତି।

‘‘ଓଡ଼ିଶାରେ ବିଜେଡି ଶାସନରେ ଗୁଣ୍ଡାରାଜ ଚାଲିଛି। ଯେଉଁମାନଙ୍କ ନାଁରେ ଅଭିଯୋଗ ରହିଛି ଦଳ ସେମାନଙ୍କୁ ସୁରକ୍ଷା ଦେଉଛି। ଯେତେବେଳେ ଯାଏଁ ନିରପେକ୍ଷ ଯାଞ୍ଚ ନହୋଇଛି ଓ ଗୃହରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ନଦେଇଛନ୍ତି ସେତେବେଳ ଯାଏଁ ମମିତାଙ୍କୁ ନ୍ୟାୟ ମିଳିପାରିବନି’’, କହିଛନ୍ତି ରଣଦୀପ ସୂର୍ଯେୱାଲା।

ସେହିପରି ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି,‘‘ ମମିତାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଶେଷ ଯାଏଁ ଲଢ଼ିବ। ତାଙ୍କ ପରିବାରକୁ ଦଳ ସହଯୋଗ ଯୋଗାଇ ଦେବ। ଦରକାର ପଡ଼ିଲେ ମୁଁ ପୁଣି କଳା କୋର୍ଟ ପିନ୍ଧିବି ମମିତାଙ୍କ ପାଇଁ ଲଢ଼ିବି।‘’

Comment