ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ଆଲୋଚନା ଏବଂ ବାଦ ବିବାଦ ପରେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ମମିତାଙ୍କ ହତ୍ୟା ଘଟଣା ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି। ହେଲେ କିଛି ଗଣମାଧ୍ୟମ ତାଙ୍କୁ ବଦ୍‌ନାମ କରୁଥିବା ଦିବ୍ୟ ଶଙ୍କର ଅଭିଯୋଗ କରିଛନ୍ତି।ଶୁକ୍ରବାର ଏକ ପ୍ରେସ୍ ବିବୃତି ଜାରିକରି ମନ୍ତ୍ରୀ ଦିବ୍ୟ ଶଙ୍କର କହିଛନ୍ତି, “ମମିତା ମେହେରଙ୍କ ମୃତ୍ୟୁରେ ମୁଁ ଦୁଃଖିତ, ମର୍ମାହତ। ଜଣେ ବାପା ହିସାବରେ ତାଙ୍କ ପରିବାର ଲୋକଙ୍କ ଦୁଃଖ ମୁଁ ବୁଝିପାରୁଛି। ହେଲେ ଏ ଅପରାଧ ସହିତ ମୋର କୌଣସି ସମ୍ପର୍କ ନାହିଁ। ଯେ କେହି ବି ଏ ଅପରାଧ କରିଛି ତାକୁ କଡ଼ା ଦଣ୍ଡ ମିଳୁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମମିତାଙ୍କ ମୃତ୍ୟୁ ଘଟଣାରେ କିଛି ଗଣମାଧ୍ୟମ ମତେ ବଦନାମ କରୁଛନ୍ତି। ମୋ ଚରିତ୍ର ସଂହାରର ଅଭିଯାନ ଚଳାଇଛନ୍ତି, ଯାହା ମୋ ପରିବାରକୁ ବହୁତ ଆଘାତ ଦେଇଛି। ତେଣୁ ମୋ ପରିବାର ପକ୍ଷରୁ ୩ଟି ଗଣମାଧ୍ୟମ ସଂସ୍ଥା ‘ଅର୍ଗସ୍ ଟିଭି’, ‘ଓଟିଭି’ ଏବଂ ‘ଓଡ଼ିଶା ରିପୋର୍ଟର’ ନାଁରେ ମାନହାନୀ ମକଦ୍ଦମା (କ୍ରିମିନାଲ୍ ଏବଂ ସିଭିଲ୍ ଧାରାରେ) କରିଛି। ମୋ ବିଷୟରେ ମିଥ୍ୟା ଏବଂ ମନଗଢ଼ା ଅଭିଯୋଗ ଆଣିବାରୁ ଏହି ପଦକ୍ଷେପ ମୁଁ ନେଇଛି।ଅନ୍ୟପଟେ ମହାଲିଙ୍ଗ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ସମ୍ପର୍କରେ ସ୍ପଷ୍ଟୀକରଣ ରଖି ମନ୍ତ୍ରୀ କହିଛନ୍ତି ଯେ, ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ତେଣୁ ମୁଁ ମଧ୍ୟ ଜନ ପ୍ରତିନିଧି ଭାବେ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେଇଥାଏ ଏବଂ ପରେ ସେଠି କିଛି ଅପରାଧ ଘଟେ, ସେଥିପାଇଁ ମତେ ଦାୟୀ କରାଯାଇପାରିବ ନାହିଁ।ସେହିପରି ବିରୋଧୀ ଦଳ ଏବଂ ଗଣମାଧ୍ୟମକୁ ଜବାବ ଦେଇ ଦିବ୍ୟ ଶଙ୍କର କହିଛନ୍ତି, “ଏହି ଅପରାଧ ମାମଲାରେ ଯଦି ଆପଣଙ୍କ ପାଖରେ ମୋ ବିରୋଧରେ କିଛି ପ୍ରମାଣ ଅଛି ତେବେ ତାକୁ ପୋଲିସ କିମ୍ଵା କୋର୍ଟକୁ ଦିଅନ୍ତୁ। ମୁଁ ଅପରାଧୀ ବୋଲି ପ୍ରମାଣିତ ହେଲେ କେବଳ ମନ୍ତ୍ରୀ ପଦରୁ ଇସ୍ତଫା ନୁହେଁ, ସମ୍ପୂର୍ଣ୍ଣ ରାଜନୀତିରୁ ସନ୍ନ୍ୟାସ ନେଇଯିବି।”

ଏଥିସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବାୟୁସେନାର ଆଦର୍ଶ ନେଇ ମୁଁ ରାଜନୀତିକୁ ଆସିଛି। ନିଜେ ପଛେ କ୍ଷତିଗ୍ରସ୍ତ ହେବି, କିନ୍ତୁ ଜଣେ ହେଲେ ବ୍ୟକ୍ତିକୁ ଦୁଃଖ ଭୋଗିବାକୁ ଦେବିନି। ଏହି ପଣରେ ସେନା ଛାଡ଼ି ମୁଁ ଜନ ସେବା ପାଇଁ ରାଜନୀତିକୁ ଆସିଛି। ତେଣୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କ ଶପଥ, ଏହି ଅପରାଧ ସହ ମୋର କୌଣସି ସମ୍ପୃକ୍ତି ନାହିଁ।କଳାହାଣ୍ଡିର ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେହି ସ୍କୁଲ ପରିଚାଳନା କମିଟିର ସଭାପତି ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରି ଗାତରେ ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏହି ମାମଲାରେ ଗୋବିନ୍ଦ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ତେବେ ଗୋବିନ୍ଦଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ଥିବା ସହ ଏହି ହତ୍ୟାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ତେଣୁ ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ପୂରା ଉଷ୍ମ। ବିରୋଧୀ ବିଜେପି ଓ କଂଗ୍ରେସ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଓ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

Comment