ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ବଢ଼ିବାରେ ଲାଗିଛି। ଏହି କାରବାରକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ୍ ପରିବର୍ତ୍ତନ’। ଅକ୍ଟୋବର ୩୦ରେ ଆନ୍ଧ୍ରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ଦାମୋଦର ଗୌତମ ସାଓ୍ଵଙ୍ଗ ବିଶାଖାପାଟଣାରେ ଏହାର ଶୁଭାରମ୍ଭ କରିଛନ୍ତି।“ଅକ୍ଟୋବର ୩୦ରୁ ଆନ୍ଧ୍ର-ଓଡ଼ିଶା ସୀମାରେ ‘ଅପରେସନ୍ ପରିବର୍ତ୍ତନ’ ଆରମ୍ଭ ହୋଇଛି। ଏହି ଅପରେସନ୍‌କୁ ପ୍ରତିଦିନ ଜାରି ରଖି ଆସନ୍ତା ନଭେମ୍ବର ୩୦ ସୁଦ୍ଧା ଗଞ୍ଜେଇ ଚାଲାଣର ନେଟଓ୍ଵର୍କକୁ ମୂଳପୋଛ କରାଯିବ। ଏହି ଅପରେସନ୍‌ରେ ବିଶାଖାପାଟଣା ଜିଲ୍ଲାରେ ମୋଟ ୧୩୦ ଜଣ ପୋଲିସ କର୍ମଚାରୀଙ୍କ ଗୋଟିଏ ଟିମ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଶାଖାପାଟଣା ଗ୍ରାମାଞ୍ଚଳ ଏସ୍‌ପି ବି. କ୍ରିଷ୍ଣା ରାଓ ଏହି ଟିମର ମୁଖ୍ୟ ରହିଛନ୍ତି। ପ୍ରଥମ ଦିନରେ ଆନ୍ଧ୍ର-ଓଡ଼ିଶା ସୀମାର ମାଡୁଗୁଳା ପଞ୍ଚାୟତର ମୋଟ ୮୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି”, କହିଛନ୍ତି ଆନ୍ଧ୍ରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦାମୋଦର ଗୌତମ ସାଓ୍ଵଙ୍ଗ।

ଆନ୍ଧ୍ର-ଓଡ଼ିଶା ସୀମାରେ ମାଓବାଦୀଙ୍କ ପ୍ରଭାବ ଅଧିକ ଥିବାରୁ ଏହାର ଫାଇଦା ଉଠାଇ ବ୍ୟବସାୟୀମାନେ ବ୍ୟାପକ ଗଞ୍ଜେଇ ବ୍ୟବସାୟ କରୁଛନ୍ତି। ହେଲେ ସୀମାର ଆଭ୍ୟନ୍ତରୀଣ ଅଞ୍ଚଳରେ ଗଞ୍ଜେଇ ଚାଷକୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ଡ୍ରୋନ୍ କ୍ୟାମେରା, ସାଟେଲାଇଟ୍ ଫଟୋ ସହ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି। ଏଥିଲାଗି ଇଣ୍ଟେଲିଜେନ୍ସ ବିଭାଗର କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯାଇଛି।ଆନ୍ଧ୍ର-ଓଡ଼ିଶା ସୀମାରେ ମୋଟ ୧୫୦୦୦ ଏକର ଜମିରେ ଗଞ୍ଜେଇ ଚାଷ ହେଉଛି। ସାଧାରଣତଃ ଆଦିବାସୀ ଶ୍ରେଣୀର ଲୋକମାନେ ଗଞ୍ଜେଇ ଚାଷ କରି ଏହାକୁ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟକୁ ଚାଲାଣ କରୁଛନ୍ତି। ତେଣୁ ଆନ୍ଧ୍ର ପୋଲିସ ପକ୍ଷରୁ ସୋମବାର ବିଶାଖାପାଟଣାରେ ଡିଜିପି ଗୌତମ ସାଓ୍ଵଙ୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳର ପୋଲିସ ଅଧିକାରୀ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ନିଶା ନିବାରଣ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଡିଜିପି ଗୌତମ ସମସ୍ତ ରାଜ୍ୟର ସୀମାରେ ଗଞ୍ଜେଇ ଚାଷ ଓ ବ୍ୟବସାୟୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।

Comment