ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି ଶନିବାର ବିଧିବଦ୍ଧ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ମିଶିଛନ୍ତି। ନବରଙ୍ଗପୁରରେ ଆୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ନିଜ ସମର୍ଥକମାନଙ୍କୁ ଧରି ଶଙ୍ଖ ଫୁଙ୍କିଛନ୍ତି ପ୍ରଦୀପ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ରମେଶ ମାଝି, ବିଜେଡିର ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଉପସ୍ଥିତିରେ ପ୍ରଦୀପ ମାଝି ବିଜେଡିରେ ସାମିଲ ହୋଇଛନ୍ତି।   ଓଡ଼ିଶା ପ୍ରଦେଶ କଂଗ୍ରେସର ଜଣେ ହେଭିଓ୍ଵେଟ୍ ନେତା ଥିଲେ ପ୍ରଦୀପ ମାଝି। ୨୦୦୯ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ନବରଙ୍ଗପୁର ଆସନରୁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜାତୀୟ ରାଜନୀତିରେ ମଧ୍ୟ ପ୍ରଦୀପଙ୍କ ବେଶ୍ ଦବ୍‌ଦବା ରହିଥିଲା। ଗୋଟିଏ ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବହୁ ନିକଟତର ହୋଇପାରିଥିଲେ। ସେହିପରି ରାଜ୍ୟ କଂଗ୍ରେସରେ ପ୍ରଦୀପଙ୍କୁ ବହୁ ବଡ଼ ପଦବୀ ମିଳିଥିଲା। କଂଗ୍ରେସରୁ ଇସ୍ତଫା ଦେବ ବେଳକୁ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ।ହେଲେ ଗତ ଅକ୍ଟୋବର ୨୨ରେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ଦଳରେ ଆଉ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳୁନଥିବା କହି ଦଳ ଛାଡ଼ିଥିଲେ ପ୍ରଦୀପ। ଏହାପରେ ସେ ଶାସକ ଦଳ ବିଜେଡିରେ ମିଶିବା ନେଇ ଘୋଷଣା କରିଥିଲେ।

Comment