ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମରେନ୍ଦ୍ର ସାହୁ, ଦେଶର ଷ୍ଟାର୍ଟଅପ୍‌ ଗ୍ୟାଲାକ୍ସିର ଜଣେ ସାଇନିଙ୍ଗ ଷ୍ଟାର। ବେଙ୍ଗାଳୁରୁ ବେସ୍‌ଡ ଷ୍ଟାର୍ଟଅପ୍‌ ‘ନେଷ୍ଟଆଓ୍ୱେ’ର ସେ ହେଲେ ସହ-ପ୍ରତିଷ୍ଠାତା ତଥା ସିଇଓ। ଦେଶର ବିଭିନ୍ନ ସହରରେ ଭଡ଼ା ଘର ସେବା ଯୋଗାଉଥିବା ‘ନେଷ୍ଟଆଓ୍ୱେ’ ଆଜିର ଦିନରେ ୨୫୦ ମିଲିଅନ୍‌ ଡଲାର‌ରୁ ଅଧିକ ଭେଲ୍ୟୁସନ୍‌ର କମ୍ପାନି। ହେଲେ ଦିନେ କମ୍ପାନିର ସିଇଓ ଅମରେନ୍ଦ୍ର ସାହୁଙ୍କୁ ଚିହ୍ନି ନପାରି ତାଙ୍କୁ ନିଜ ଅଫିସକୁ ଯିବାକୁ ଦେଇନଥିଲେ ସିକ୍ୟୁରିଟି। ତାହାଲେ କ’ଣ ଥିଲା ସେହି ଘଟଣା?

ଅମରେନ୍ଦ୍ରଙ୍କୁ କାହିଁକି ଚିହ୍ନିପାରିଲେନି ସିକ୍ୟୁରିଟି?

ଥରେ ଅମରେନ୍ଦ୍ର ସାହୁଙ୍କ ବାପା ବେଙ୍ଗାଳୁରୁ ଆସିଥିଲେ। ସେ ଅମରେନ୍ଦ୍ରଙ୍କ ଅଫିସ ଦେଖିବାକୁ ଚାହୁଁଥିଲେ। ସେତେବେଳକୁ ପ୍ରାୟ ହଜାରେ ଲୋକ ନେଷ୍ଟଆଓ୍ୱେ ଅଫିସ୍‌ରେ କାମ କରୁଥିଲେ। ଚକ୍‌ଚକ୍‌ କାଚ କୋଠାଘର। ହେଲେ ବାପାଙ୍କୁ ଧରି ଆସିଲା ବେଳେ ଅମରେନ୍ଦ୍ରଙ୍କୁ ସିକ୍ୟୁରିଟି ଗାର୍ଡ ଛାଡ଼ିଲେନି। କାରଣ ସେଦିନ ତରତରରେ ସେ ଆଇକାର୍ଡ ଭୁଲି ଯାଇଥିଲେ। ଅମରେନ୍ଦ୍ର ସାହୁଙ୍କୁ କହିବାକୁ ବି ଖରାପ ଲାଗୁଥାଏ ଯେ ସେ ଏଇ କମ୍ପାନିର ସିଇଓ। ସେତେବେଳେକୁ ତାଙ୍କ ବାପା ରାଗିକି ପଞ୍ଚମ। ସେଇଠୁ ଏଚ୍‌ଆର୍‌ ଆସି କହିବାରୁ ସିକ୍ୟୁରିଟି ତାଙ୍କୁ ଛାଡ଼ିଥିଲେ।

ସେଦିନ ତାଙ୍କ ବାପା କ୍ଷୁବ୍ଧ ହୋଇ ଅମରେନ୍ଦ୍ରଙ୍କୁ କହିଥିଲେ ଯେ, କ’ଣ ତୁ’ ସଂସ୍ଥା ତିଆରି କରିଛୁ, ତତେ କେହି ଚିହ୍ନନ୍ତନି। ତୋ’ ଦ୍ୱାରା କିଛି ହେବ ନାହିଁ। ତୁ ଗୁମାସ୍ତା ରଖ।

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍  ‘ଷ୍ଟାର୍ଟଅପ୍ ଷ୍ଟୋରି’ରେ ଏକ ସାକ୍ଷାତକାର ଦେଇ ଅମରେନ୍ଦ୍ର ସାହୁ ତାଙ୍କ ଜୀବନର ଏହି ଅଭୁଲା ସ୍ମୃତି ବିଷୟରେ କହିଛନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ ଚୀଙ୍କ ଏହି ‘ଷ୍ଟାର୍ଟଅପ୍‌ ଷ୍ଟୋରି’ର ଉପସ୍ଥାପନା କରୁଛନ୍ତି। ‘ଓଡ଼ିଶାଲାଇଭ୍‌’ ଫେସବୁକ୍‌ ଓ ୟୁଟ୍ୟୁବରେ ଦର୍ଶକ ଏହି ସାକ୍ଷାତକାର ଦେଖିପାରିବେ।

‘ନେଷ୍ଟଆଓ୍ୱେ’ କ’ଣ?

ଅଜଣା ସହରରେ ନିଜ ପାଇଁ ଏକ ଭଡ଼ା ଘର ଖୋଜିବା ଏକ ବଡ଼ ସମସ୍ୟା ହୋଇଥାଏ। ଏହି ସମସ୍ୟାର ଏକ ସହଜ ସମାଧାନ ସୂତ୍ର ବାହାର କରି ଅମରେନ୍ଦ୍ର ସାହୁ ଷ୍ଟାର୍ଟଅପ୍‌ ‘ନେଷ୍ଟଆଓ୍ୱେ’ ଆରମ୍ଭ କରିଥିଲେ। ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ନେଷ୍ଟଆଓ୍ୱେ’ ମାଧ୍ୟମରେ ଜଣେ ଅତି ସହଜରେ ଭଡ଼ାଘର ପାଇପାରୁଛନ୍ତି।

(ଯୁବ ଓଡ଼ିଆ ଉଦ୍ୟୋଗୀ ବା ଓଡ଼ିଶାରୁ ବ୍ୟବସାୟ ଆରମ୍ଭ କରିଥିବା ଅଭିନବ ଷ୍ଟାର୍ଟଅପ୍ ସଂସ୍ଥାମାନଙ୍କର ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ଦର୍ଶକ ଓ ପାଠକଙ୍କ ନିକଟରେ ପହଞ୍ଚାଇବା ’ଷ୍ଟାର୍ଟଅପ୍ ଷ୍ଟୋରି’  ସିରିଜ୍‌ର ଲକ୍ଷ୍ୟ। ଓଡ଼ିଶାଲାଇଭ୍‌ର ୟୁଟ୍ୟବ୍ ଓ ଫେସବୁକ୍ ଚ୍ୟାନେଲ୍‌ରେ ପ୍ରତି ମାସରେ ଷ୍ଟାର୍ଟଅପ୍‌ ଷ୍ଟୋରିର ନୂଆ ନୂଆ ଅଧ୍ୟାୟ ପ୍ରସାରିତ ହେଉଛି।)

Comment