ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ପୁଣି ଥରେ ଆଉ ଏକ ବାତ୍ୟା ଆଶଙ୍କା ଦେଖାଯାଇଛି। ‘ୟାସ୍‌’ ପରେ ଏ ବର୍ଷର ଦ୍ୱିତୀୟ ବାତ୍ୟା ‘ଜଓ୍ୱାଦ’ ଆସନ୍ତା ୪ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୪ ତାରିଖ ଦିନ ବାତ୍ୟା ଭୀଷଣ ରୂପ ନେବ ଓ ଏହାର କେନ୍ଦ୍ରସ୍ଥଳରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବ।

ପ୍ରାଥମିକ ଆକଳନ ଅନୁଯାୟୀ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳ ଛୁଇଁଲାବେଳକୁ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିବ।

ସେହିପରି ବାତ୍ୟା ପ୍ରଭାବରେ ୩ ତାରିଖ ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇ ଯାଇପାରେ। ୩ ତାରିଖ ରାତି ସୁଦ୍ଧା ବର୍ଷାର ପରିମାଣ ବଢ଼ିବ। ୪ ଓ ୫ ତାରିଖ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏଥିପାଇଁ ବିଭିନ୍ନ ଜିଲ୍ଲା ଲାଗି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର।

ସେହିପରି ୪ ତାରିଖରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଉପକୂଳବର୍ତ୍ତୀ ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ସେଥିପାଇଁ ଏହି ଜିଲ୍ଲାରେ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ।

ଅନ୍ୟପଟେ ଏବେ ଧାନ ପାଚିବା ସମୟ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ପରାମର୍ଶ ମଧ୍ୟ ଦିଆଯାଇଛି।

Comment