ଓଡ଼ିଶାଲାଇଭ୍‌ ବ୍ୟୁରୋ

 ‘‘ଋତୁସ୍ରାବ ଏକ ସ୍ୱାଭାବିକ ପ୍ରକ୍ରିୟା। ଏହାକୁ ନେଇ ଲଜ୍ଜା ଅନୁଭବ କରିବାର କୌଣସି କାରଣ ନାହିଁ। ଋତୁସ୍ରାବକୁ ନେଇ ସମାଜରେ ଚାଲିଥିବା ଭୁଲ ଧାରଣାକୁ ଭାଙ୍ଗିବା ଏବଂ ଏହା ସହିତ ଜଡ଼ିତ ଭୟ ଓ ଲଜ୍ଜାକୁ ଦୂର କରିବା ଦିଗରେ ସଚେତନତା ସୃଷ୍ଟି କରିବାକୁ ସମସ୍ତେ ଆଗେଇ ଆସିବା ଦରକାର। ଏ ସମ୍ପର୍କରେ ଆଲୋଚନା ହେବା ଆବଶ୍ୟକ”, ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ ୨୦୨୧ରେ ଯୋଗ ଦେଇ ୟୁନିସେଫ୍‌ ଓଡ଼ିଶାର ମୁଖ୍ୟ ମୋନିକା ନେଲସନ୍‌ ଏହା କହିଥିଲେ।

ସେହିପରି ‘ଆଇନା’ର ସମ୍ପାଦିକା ସ୍ନେହ ମିଶ୍ର କହିଥିଲେ, ‘‘ଋତୁସ୍ରାବ ବା ପିରିୟଡକୁ ନେଇ  ଗାଁ ଗହଳିରେ ଆଜିବି ଅନେକ ଭୁଲ ଧାରଣା ରହିଛି। ଏବେ ବି ଅନେକ ସାନିଟାରି ନାପକିନ ବଦଳରେ କପଡ଼ା ବ୍ୟବହାର କରୁଛନ୍ତି। ଋତୁସ୍ରାବ ବେଳେ ସ୍ୱଚ୍ଛତା କଥା ଭାବୁନାହାନ୍ତି। ଏହିଯୋଗୁଁ ଅନେକ ମହିଳା ବିଭିନ୍ନ ରୋଗର ଶିକାର ହେଉଛନ୍ତି। ତେଣୁ କଲ୍ଲୋଳ ୨୦୨୧ରେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଆମେ ନେଇଥିଲୁ। ପିଲାଙ୍କ ଦ୍ୱାରା ପ୍ରସ୍ତୁତ ଫିଲ୍ମଗୁଡ଼ିକ ଦେଖିବା ପରେ ଆମ ପରିଶ୍ରମ ସଫଳ ହୋଇଛି ବୋଲି ଅନୁଭବ ହେଲା।’’

ସ୍ୱେଚ୍ଛାସେବୀ ସଙ୍ଗଠନ ‘ଆଇନା’ ଓ ‘ୟୁନିସେଫ’ ଓଡ଼ିଶା ସହଭାଗିତାରେ ‘କଲ୍ଲୋଳ-୨୦୨୧’ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଶୁକ୍ରବାର ହୋଟେଲ କ୍ରାଉନରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ‘ଋତୁସ୍ରାବ ସମ୍ବନ୍ଧୀୟ ପରିଚ୍ଛନତା’ ପ୍ରସଙ୍ଗରେ ଶିଶୁମାନଙ୍କ ଦ୍ୱାରା ପ୍ରସ୍ତୁତ ୬ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ୨୬ ଜଣ ପିଲାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ଋତୁସ୍ରାବ ଓ ଏହି ସମୟର ସ୍ୱଚ୍ଛତା ଉପରେ ଆଧାରିତ ଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗରମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଅନୁସୂଚିତ ଜାତି ଓ ଜନଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ପୁନମ ଗୁହା, ଅଲିମ୍ପିଆନ ଦୂତୀ ଚାନ୍ଦ, ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ କଳାକାର ଶାଶ୍ୱତ ଯୋଶୀ, ୟୁନିସେଫ୍‌ର ୱାସ ବିଶେଷଜ୍ଞ ସିପ୍ରା ସକ୍ସେନା, ଫିଲ୍ମ ନିର୍ମାତା ସୁବାସ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ରାଜଧାନୀ ଭୁବନେଶ୍ୱର ତପୋବନ ହାଇସ୍କୁଲ ଓ କଳାହାଣ୍ଡି ଜିଲ୍ଲାର ମାଣିକେଶ୍ୱରୀ ହାଇସ୍କୁଲର ପିଲାଙ୍କୁ ପୁରସ୍କୃତ କରିଥିଲେ।

ପ୍ରସଙ୍ଗଭିତ୍ତିକ ପ୍ରମାଣିକ ଚିତ୍ର ଯେତେ ମନଛୁଆଁ ହୁଏ, ଜନଜୀବନର ସମସ୍ୟାଗୁଡ଼ିକ ବୁଝାଇବା ସେତେ ସହଜ ହୋଇଥାଏ, ଯାହା ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମରେ ହୋଇନଥାଏ ବୋଲି ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗରମ ଅଧ୍ୟକ୍ଷ କୁନା ତ୍ରିପାଠୀ କହିଥିଲେ।

‘‘ପିରିୟଡ ବା ଋତୁସ୍ରାବ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ। ଏହି ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା କରିବା ଆବଶ୍ୟକ। ଯାହାଦ୍ୱାରା ଝିଅମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ’’, କହିଥିଲେ ଅନୁସୂଚିତ ଜାତି ଓ ଜନଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ପୁନମ ଗୁହା।

ସେହିପରି ଅଲିମ୍ପିଆନ ଦୂତୀ ଚାନ୍ଦ ନିଜ ବକ୍ତବ୍ୟରେ କହିଥିଲେ, ‘‘ସାଧାରଣତଃ ପିରିୟଡ୍ସକୁ ଅନେକ ଲୋକ ଅଶୁଦ୍ଧ ବୋଲି ମନେ କରନ୍ତି। ଅନେକ ଲୋକ ତାକୁ ଘୃଣ୍ୟ ଦୃଷ୍ଟିରେ ଦେଖିଥାଆନ୍ତି। ଏହା ନାରୀ ଜାତି ପାଇଁ କଷ୍ଟସାଧ୍ୟ ହୋଇଥାଏ। ତେଣୁ ଲୋକେ ସଚେତନ ହେବା ଦରକାର।’’

କଲ୍ଲୋଳ ସବୁବେଳେ ନୂଆ ନୂଆ ବିଷୟ ବସ୍ତୁ ଉପରେ କାମ କରି ଆସୁଛି। ବିଶେଷକରି ଚଳିତ ଥର ଝିଅମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଇଛି। ତେଣୁ ଋତୁସ୍ରାବ ପରିଚ୍ଛନତା ଉପରେ ଯେଉଁ ପଦକ୍ଷେପ ନିଆଯାଇଛି ତାହା ପ୍ରଶଂସନୀୟ ବୋଲି କହିଥିଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ।

Comment