ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାତି ତାପମାତ୍ରା ୪ରୁ ୬ ଡିଗ୍ରୀ ତଳକୁ ଖସିବ
  • ୪ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ
  • ୧୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାରେ ଜାରି ଶୀତ ଲହର ଯୋଗୁଁ ଅସ୍ତବ୍ୟସ୍ତ ହେଲେଣି ଲୋକେ। ଆଗକୁ ଶୀତର ପ୍ରକୋପ ଆହୁରି ବଢ଼ିବ। ଦୁଇ ତିନି ଦିନ ମଧ୍ୟରେ ରାତି ତାପମାତ୍ରା ୪ରୁ ୬ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ପାଣିପାଗ ବିଭାଗ ପକ୍ଷରୁ ୪ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ କନ୍ଧମାଳ। ଏହି ୪ ଜିଲ୍ଲାର ଅଧିକାଂଶ ସ୍ଥାନରେ ଅତିପ୍ରବଳ ଶୀତ ଅନୁଭୂତ ହେବାର ପୂର୍ବାନୁମାନ କରାଯାଇଛି। ଏହା ସହିତ ପ୍ରବଳ ଶୀତର ପୂର୍ବାନୁମାନ କରି ୧୭ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆଗାମୀ ୫ ଦିନ ପାଇଁ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ସ୍ଵାଭାବିକଠାରୁ ୪ରୁ ୬ ଡିଗ୍ରୀ ତଳୁ ଖସିବାର ସମ୍ଭାବନା ରହିଛି। ସୋମବାର ରାତିରେ ପୂର୍ବ ଅପେକ୍ଷା ଶୀତ ଲହର ଅଧିକ ରହିଥିଲା। ସାରା ରାଜ୍ୟରେ ଜାଡ଼ର ମାଡ଼ରେ ଥରଥର ହେଉଛନ୍ତି ଲୋକେ।

ମଙ୍ଗଳବାର ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ଵର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, ଦେବଗଡ଼ ଏବଂ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଓ୍ସାର୍ଣ୍ଣିଂ ଜାରି କରାଯାଇଛି। ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ପ୍ରବାହ ବଢ଼ିବାର ସମ୍ଭାବନା ରହିଛି।

ଆସନ୍ତା ୨୨ ତାରିଖ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର, କଟକ, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ଓ୍ସାର୍ଣ୍ଣିଂ ଜାରି କରାଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ପାରଦ ତଳକୁ ଖସୁଥିବାରୁ ଦାରିଙ୍ଗବାଡିରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଅତ୍ୟଧିକ ଥଣ୍ଡା ଯୋଗୁ ଲୋକେ ଘରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ। ସୁନ୍ଦରଗଡ ଜିଲ୍ଲାରେ ପାରଦ ୪ ଡିଗ୍ରୀ ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। କଳାହାଣ୍ଡି ଜିଲ୍ଲାରେ ହାଡଭଙ୍ଗା ଶୀତ ଯୋଗୁଁ ଘରେ ବନ୍ଦୀ ହୋଇ ରହିଛନ୍ତି ଲୋକେ।

Comment