ଓଡ଼ିଶାଲାଇଭ୍ ବ୍ୟୁରୋ

  • ପଞ୍ଚାୟତ ସ୍ତରର କମ୍ୟୁନିଟି ଷ୍ଟାଫମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା
  • ପ୍ରତି ଜିଲ୍ଲାରେ ନିର୍ମାଣ ହେବ ମିଶନ ଶକ୍ତି ଭବନ
  • ମିଶନ ଶକ୍ତି ଫେଡେରେସନର ସଦସ୍ୟମାନଙ୍କ ବୈଠକ ଓ ଗସ୍ତ ଭତ୍ତା ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର
  • ମା’ମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ମିଶନ ଶକ୍ତି ସବୁବେଳେ ବାଟ ଦେଖାଇ ଚାଲିବ: ମୁଖ୍ୟମନ୍ତ୍ରୀ

ମିଶନ ଶକ୍ତି ମା’ମାନଙ୍କୁ ଆହୁରି ସଶକ୍ତିକରଣ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ପାଇଁ ‘ଇ-ମାର୍କେଟ ପୋର୍ଟାଲ’ର ଲୋକାର୍ପଣ ସହିତ ସୁଧ ରିହାତି ପ୍ରଦାନ, ଅନ୍‌ଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା, ଫେଡେରେସନ ଇସି ମେମ୍ବରମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ ଭତ୍ତା ଘୋଷଣା ଆଦି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହାଦ୍ଵାରା ତୃଣମୂଳ ସ୍ତରରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆହୁରି ଜୋରଦାର ହେବା ସହିତ ମହିଳାମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, “ମା’ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ। ଓଡ଼ିଶା, ମିଶନ ଶକ୍ତି ମା’ମାନଙ୍କ ସଶକ୍ତିକରଣ ଦିଗରେ ସବୁବେଳେ ବାଟ ଦେଖାଇ ଚାଲିବ। ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମା’ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ବିଭାଗ ରହିଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମିଶନ ଶକ୍ତିର ମା’ମାନଙ୍କୁ ୫ ହଜାର କୋଟି ଟଙ୍କାର ସରକାରୀ କାମ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା। ଏବେ ଆମ ସରକାରର ୨୧ଟି ବିଭାଗ ଜରିଆରେ ମା’ମାନଙ୍କୁ କାମ ଯୋଗା ଯାଉଛି। ମା’ମାନଙ୍କ ଆର୍ଥିକ ଉନ୍ନତି ଲାଗି ଆମ ସରକାର କାମ କରୁଛି। ଏବେ ସବୁ ପଞ୍ଚାୟତରେ ମିଶନ ଶକ୍ତି ଭବନ ନିର୍ମାଣ କରଯାଉଛି। ଏଥିସହ ସବୁ ବ୍ଲକରେ ବ୍ଲକ ମିଶନ ଶକ୍ତି ଭବନ ଏବଂ ରାଜ୍ୟସ୍ତରୀୟ ମିଶନ ଶକ୍ତି ଭବନ ମଧ୍ୟ ନିର୍ମାଣ କରାଯିବ।

ସେହିପରି ପ୍ରତି ଜିଲ୍ଲାରେ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ଲେଖାଏଁ ବଜେଟ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ସବୁ ଫେଡେରେସନ ଇସି ମେମ୍ବରମାନଙ୍କୁ ଟ୍ରାଭେଲ ଖର୍ଚ୍ଚ ଦେବାକୁ ଘୋଷଣା ହୋଇଛି। ଏନେଇ ୨ ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ସେହିପରି ମିଶନ ଶକ୍ତି ମା’ମାନଙ୍କ ଦ୍ଵାରା ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିଭୂମି ରଖିବା ସହିତ ମିଶନ ଶକ୍ତିର ଅନ୍‌ଲାଇନ ମାର୍କେଟିଂର ଶୁଭାରମ୍ଭ କରିଛନ୍ତି। ଏହାଦ୍ଵାରା ସାରା ବିଶ୍ଵରେ ମିଶନ ଶକ୍ତି ମା’ମାନଙ୍କର ଦ୍ରବ୍ୟ ବିକ୍ରୟ ହୋଇପାରିବ ଏବଂ ଆମେରିକା ଓ ଲଣ୍ଡନର ଲୋକମାନେ ମୟୂରଭଞ୍ଜ ଓ ମାଲକାନଗିରିର ମିଶନ ଶକ୍ତି ମା’ମାନଙ୍କର ଦ୍ରବ୍ୟ କିଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆର୍ଥିକ ଦୃଷ୍ଟିରୁ ମା’ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ଗାଁରେ ବ୍ୟାଙ୍କ ନାହିଁ, ସେଠାରେ ସ୍ଵୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖୀମାନଙ୍କୁ ଦାୟିତ୍ଵ ଦିଆଯିବ।ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ, “କୋଭିଡଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ ସମୟରେ ମିଶନ ଶକ୍ତିର ମା’ମାନେ ଭଲ କାମ କରିଛନ୍ତି। ସେଥିପାଇଁ ଓଡ଼ିଶା ସେମାନଙ୍କ ପାଖରେ ଋଣୀ। ଆମ ମା’ମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି।”ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ, ମିଶନ ଶକ୍ତି ବିଭାଗର କମିସନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩୧୪ ବ୍ଲକ୍‌ର ବ୍ଲକ୍‌ ଫେଡେରେସନର ସଭାନେତ୍ରୀମାନେ ଯୋଗ ଦେଇଥିଲେ। ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍‌ସିପାତ୍ର, ବରଗଡ, ନୂଆପଡା, ଗଞ୍ଜାମ ଓ ମୟୂରଭଞ୍ଜର ମିଶନ ଶକ୍ତି ବ୍ଲକ୍‌ ସଭାନେତ୍ରୀମାନଙ୍କ ସହିତ ମତ ବିନିମୟ କରିଥିଲେ।

Comment