ଓଡ଼ିଶାଲାଇଭ୍ ବ୍ୟୁରୋ  

 

  • ବର୍ଷକୁ ୨ଟି ସମେଟିଭ୍ ପରୀକ୍ଷା ହେବ
  • ୫୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ୩୦୯୩ କେନ୍ଦ୍ରରେ ପରୀକ୍ଷା ହେବ
  • ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା
  • ପରୀକ୍ଷା କେନ୍ଦ୍ର ଅଧିକ୍ଷକଙ୍କ ପାଖରେ ଜମା ହେବ ମୋବାଇଲ 

ଆସନ୍ତାକାଲିଠାରୁ ଆରମ୍ଭ ହେବ ମ୍ୟାଟ୍ରିକ ସମେଟିଭ୍-୧ ପରୀକ୍ଷା। ଏହା ରାଜ୍ୟରେ ପ୍ରଥମ ଥର ପାଇଁ କରାଯାଉଛି। ସମେଟିଭ୍ ପରୀକ୍ଷା ଏକ ନୂଆ ଫର୍ମୁଲା। ଯାହା ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ସହାୟକ ହୋଇପାରିବ। କୋଭିଡ କଟକଣାର ସମସ୍ତ ନିୟମ ପାଳନ କରାଯାଇ ଜାନୁଆରି ୫ରୁ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା କରାଯିବ। ଦିନକୁ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପରୀକ୍ଷା ନିମନ୍ତେ ସମସ୍ତ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି।

ପରୀକ୍ଷା କେନ୍ଦ୍ରକୁ ସଫାସୁତର ରଖାଯିବା ସହ ସାନିଟାଇଜ କରାଯାଇଛି। କୋଭିଡ ନିୟମ ପାଳନ ପୂର୍ବକ ପରୀକ୍ଷା କେନ୍ଦ୍ରରେ ନିୟମିତ ବ୍ୟବଧାନରେ ଛାତ୍ରଛାତ୍ରୀଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଛି। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଏବଂ ବାହାରିବା ସମୟରେ ଛାତ୍ରାଛାତ୍ରୀ ହାତ ସାନିଟାଇଜ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ବାହାର ଲୋକ କେନ୍ଦ୍ର ପରିସରକୁ ଆସିବା ନିଷେଧ କରାଯାଇଛି। ସମେଟିଭ୍ ପରୀକ୍ଷା ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି।

କରୋନା କଟକଣା ମଧ୍ୟରେ ରାଜ୍ୟର ୩ ହଜାର ୯୩ଟି କେନ୍ଦ୍ରରେ ସମେଟିଭ୍-୧ ପରୀକ୍ଷା କରାଯିବ। ମୋଟ ୫ ଲକ୍ଷ ୩୭ ହଜାର ମ୍ୟାଟ୍ରିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ୩୧୧ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରଖାଯାଇଛି। ଛାତ୍ରଛାତ୍ରୀ ୫୦ ମାର୍କର ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବା ଉପରେ ରୋକ ଲଗାଯାଇଛି। ପରୀକ୍ଷା କେନ୍ଦ୍ର ଅଧିକ୍ଷକଙ୍କ ନିକଟରେ ସମସ୍ତେ ମୋବାଇଲ ଜମା କରିବେ। ଆବଶ୍ୟକ ହେଲେ ଶିକ୍ଷକଙ୍କୁ ସର୍ତ୍ତମୂଳକ ଭାବେ ମୋବାଇଲ ଦିଆଯିବ।

Comment