ଓଡ଼ିଶାଲାଇଭ୍ ବ୍ୟୁରୋ

  

ସ୍ଵାମୀଙ୍କ ସହ ରହିବା ପାଇଁ ୪୪ ଦିନ ହେଲା ସଂଘର୍ଷ ଚଳାଇ ସୁମିତଙ୍କ ଘର ଆଗରେ ଧାରଣା ଦେଇଥିଲେ ତପସ୍ଵିନୀ । ତପସ୍ଵିନୀ ଓ ସୁମିତଙ୍କ ବିବାହ ବିବାଦକୁ ନେଇ ମଙ୍ଗଳବାର ଜିଲ୍ଲା ଜଜ୍ କୋର୍ଟ ରାୟ ପ୍ରକାଶ କରିଛନ୍ତି। ତପସ୍ଵିନୀ ସୁମିତଙ୍କ ଘରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପ୍ରତି ମାସରେ ତପସ୍ଵିନୀଙ୍କୁ ୧୭ ହଜାର ଟଙ୍କା ଖର୍ଚ୍ଚ ପାଇଁ ସୁମିତ ମାସର ୧୦ ତାରିଖ ସୁଦ୍ଧା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବାରୁ ଏକାଠି ରହିବା ସମ୍ଭବ ନୁହେଁ କହି କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ସୁମିତ। ସେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହେବେ ବୋଲି ତାଙ୍କ ଓକିଲ ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

ଛତ୍ରପୁରର ତପସ୍ଵିନୀ ଦାଶ ଏବଂ ବାଲିସିରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଯୁବ ଡାକ୍ତର ସୁମିତ ସାହୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ବର୍ଷ ପରିବାରର ଅଜାଣତରେ ଉଭୟେ କୋର୍ଟରେ ବିବାହ କରି ଏକାଠି ରହୁଥିଲେ। ପରେ ସୁମିତଙ୍କ ପରିବାର ଲୋକେ ତପସ୍ଵିନୀଙ୍କୁ ଘରକୁ ନେଇଥିଲେ। ପରେ ତାଙ୍କୁ ବିଭିନ୍ନ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଚାପ ପକାଇ ତାଙ୍କ ଗର୍ଭ ନଷ୍ଟ କରାଯାଇଥିବା ତପସ୍ଵିନୀ ସାଂଘାତିକ ଅଭିଯୋଗ ଆଣି ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଥାନାରୁ ମାମଲା ଉଠାଇବା ପରେ ସୁମିତ ଓ ତପସ୍ଵିନୀଙ୍କ ବାହାଘର କରାଇଦେବାକୁ ସୁମିତଙ୍କ ପରିବାର ଲୋକେ ପ୍ରତିଶ୍ରୁତି ଦେଇଥିଲେ।

ଗତ ବର୍ଷ ନଭେମ୍ବର ମାସ ୨୨ତାରିଖ ବିବାହ ଲଗ୍ନ ମଧ୍ୟ ଧାର୍ଯ୍ୟ ହେଲା। କିନ୍ତୁ ସୁମିତଙ୍କ ପରିବାର ଲୋକେ ବିବାହ ପାଇଁ କୌଣସି ବନ୍ଦୋବସ୍ତ କରିନଥିଲେ। ନ୍ୟାୟ ପାଇଁ ତପସ୍ଵିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ଶ୍ଵଶୁରଘର ସମ୍ମୁଖରେ ଧାରଣାରେ ବସିଲେ। ବିଭିନ୍ନ ମହଲରୁ ସମର୍ଥନର ସୁଅ ଛୁଟିଲା। ଗତ ବର୍ଷ ଡିସେମ୍ବର ୯ ତାରିଖ ବ୍ରହ୍ମପୁର ଏସଡିଜେଏମ୍ ଉଭୟ ସୁମିତ ଓ ତପସ୍ଵିନୀଙ୍କୁ ସାତଦିନ ଏକଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ଡିସେମ୍ବର ୧୧ ତାରିଖ ସୁମିତ ବାଲିସିରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇ ତପସ୍ଵିନୀ ରହୁଥିବା ଘରକୁ ଆଉ ଫେରିନଥିଲେ। ତପସ୍ଵିନୀ ସୁମିତଙ୍କୁ ଫୋନ କରିଥିଲେ ମଧ୍ୟ କୌଣସି ଉତ୍ତର ପାଇନଥିଲେ। ପରେ ସେ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ସୁମିତ ଅସୁସ୍ଥତା କାରଣରୁ ଛୁଟିରେ ଥିବା ପୋଲିସ୍ ଛାନଭିନ ସମୟରେ ଜାଣିବାକୁ ପାଇଥିଲା। ତା’ ପରେ ସୁମିତ ଆଉ ତପସ୍ଵିନୀଙ୍କ ପାଖକୁ ଫେରି ନଥିଲେ। ସେହିଦିନଠାରୁ ତପସ୍ଵିନୀ ସୁମିତଙ୍କ ଘର ସମ୍ମୁଖରେ ପୁଣି ଧାରଣାରେ ବସିଥିଲେ।

Comment