ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜାନୁଆରି ୭ରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ଲାଗୁ ହେବ ଗାଇଡ ଲାଇନ
  • କୋଭିଡର ତୃତୀୟ ଲହର ପ୍ରକ୍ରିୟା ଆରମ୍ଭ
  • ଅଧା କର୍ମଚାରୀରେ ଚାଲିବ ସରକାରୀ କାର୍ଯ୍ୟାଳୟ
  • ରାତି ୯ଟାରୁ ନାଇଟ କର୍ଫ୍ୟୁ
  • ଦୋକାନ, ବଜାର ଓ ମଲରେ ଭିଡ଼ ଜମିଲେ ୭ ଦିନ ତାଲା ପଡ଼ିବ
  • ଦ୍ଵାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ

ଦିନିକୁ ଦିନ କୋଭିଡର ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। କରୋନାର ନୂଆ ଭୂତାଣୁ ଓମିକ୍ରନ ଦ୍ରୁତଗତିରେ ବୃଦ୍ଧି ପାଉଛି। ବୁଧବାର ରାଜ୍ୟରେ ସଂକ୍ରମଣ ହାର ୭୯ ପ୍ରତିଶତ ରହିଛି। ରାଜ୍ୟରେ କୋଭିଡ଼ର ତୃତୀୟ ଲହର ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରଙ୍କ ତିନିଟି ମୂଳମନ୍ତ୍ର ମାନି ଚଳିଲେ କୋଭିଡ ପରିସ୍ଥିତିର ମୁକାବିଲା କରିହେବ ବୋଲି କୋଭିଡ ଗାଇଡ ଲାଇନ ସମ୍ପର୍କରେ ବିବରଣୀ ଦେବା ଅବସରରେ କହିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଏହି ତିନି ମୂଳମନ୍ତ୍ର ହେଲା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହ୍ୟାଣ୍ଡ ସାନିଟାଇଜ କରିବା।

ବୁଧବାର ଏସଆରସିଙ୍କ ପକ୍ଷରୁ କୋଭିଡ଼ ପାଇଁ ନୂଆ ଗାଇଡ ଲାଇନ ଜାରି କରାଯାଇଛି। ଏହା ଜାନୁଆରୀ ୭ରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ଲାଗୁ ହେବ। ଏସ୍ଆରସିଙ୍କ ନୂଆ ଗାଇଡ ଲାଇନ ଅନୁସାର ସହରାଞ୍ଚଳରେ ରାତି ୧୦ଟା ପରିବର୍ତ୍ତେ ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ। ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ। ମ୍ୟାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲିପାରିବ। ଅନଲାଇନରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଡାଉଟ କ୍ଲିଅର କ୍ଲାସ କରିପାରିବେ।

ରାଜନୈତିକ ଏବଂ ଶୈକ୍ଷିକ ସମାବେଶରେ ୧୦୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ରହିଛି। ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। ଘରୋଇ କାର୍ଯ୍ୟାଳୟ ମଧ୍ୟ କମ୍ କର୍ମଚାରୀରେ କାମ କରିବେ।

ବଜାର, ହାଟ ଏବଂ ମଲରେ ଭିଡ ଜମିଲେ ସମ୍ପୃକ୍ତ ମାଲିକମାନେ ଦାୟୀ ରହିବେ। ଆବଶ୍ୟକ ହେଲେ ଏକ ସପ୍ତାହ ପର୍ଯ୍ୟନ୍ତ ଦୋକା, ବଜାର ଏବଂ ମଲକୁ ବନ୍ଦ କରାଯିବ। ହୋଟେଲ ଓ ବାର୍ ରାତି ୯ଟା ଯାଏ ଖୋଲା ରହିବ। ଏଠାରେ ୫୦ ପ୍ରତିଶତ ଗ୍ରାହକ ରହିପାରିବେ।

ଫିଲ୍ମ ହଲ୍ ୫୦ ପ୍ରତିଶତ ଦର୍ଶକରେ ଚାଲିପାରିବ। ୫୦ ଜଣ ଲୋକଙ୍କୁ ନେଇ ଇଣ୍ଡୋର ଏବଂ ଆଉଟଡୋର ଫିଲ୍ମ ସୁଟିଂ ପାଇଁ ଅନୁମତି ରହିଛି। ଯାତ୍ରା ଦେଖିବାକୁ ୧ ହଜାର ଦର୍ଶକ ରହିପାରିବେ। ବାହାରଘର ଭୋଜି ପାଇଁ ୧୦୦ ଜଣ ଏବଂ ଶୁଦ୍ଧିକ୍ରିୟା ପାଇଁ ୫୦ ଜଣଙ୍କୁ ଅନୁମତି ରହିଛି । ବିବାହ ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣ ଯାଇପାରିବେ। ଅନ୍ୟ କୌଣସି କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ସରକାରୀ ମିଟିଂ ଏବଂ ଟ୍ରେନିଂରେ ୧୦୦ ଜଣଙ୍କୁ ଅନୁମତି ରହିଛି।

ହୋଟେଲ ଓ ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ସ୍କୁଲ, କଲେଜ ପିକନିକ, ବଣଭୋଜି କରାଯାଇପାରିବ ନାହିଁ। ପର୍ଯ୍ୟଟନସ୍ଥଳି ଗୁଡ଼ିକରେ ଭୋଜିଭାତ ଉପରେ ରୋକ ଲାଗୁ କରାଯାଇଛି। ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comment