ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ସମୟରେ ମାସ୍କ ବ୍ୟବହାର କେତେ ଜରୁରୀ, କେଉଁ ମାସ୍କ ଆମକୁ ସଂକ୍ରମଣରୁ ସୁରକ୍ଷିତ ରଖିପାରିବ ସେନେଇ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ ।

କୋଭିଡ ୧୯କୁ ନେଇ ପୁଣିଥରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ପ୍ରଥମ ଏବଂ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଏଥିରୁ ସୁରକ୍ଷିତ ରହିବା ଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମାସ୍କକୁ ସୁବୁଠୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କୋଭିଡ ଆସିବା ପରେ ବଜାରରେ ବିଭିନ୍ନ ପ୍ରକାର ମାସ୍କ ଉପଲବ୍ଧ ହେଉଛି। ବିଭିନ୍ନ ଡିଜାଇନର ମାସ୍କର ଚାହିଦା ବଢ଼ୁଛି। କିନ୍ତୁ କେଉଁ ମାସ୍କ ଆମକୁ କୋଭିଡରୁ ସୁରକ୍ଷିତ ରଖିବା ତା’ ପ୍ରତି ବେଶୀ କେହି ଧ୍ୟାନ ଦେଉନାହାନ୍ତି।

କେଉଁ ମାସ୍କ ପିନ୍ଧିବା ଆବଶ୍ୟକ ?

ବର୍ତ୍ତମାନ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଦ୍ରୁତଗତିରେ ନିଜର କାୟା ବିସ୍ତାର କରୁଛି। ଏହି ସଂକ୍ରମଣକୁ ରୋକିବା ପାଇଁ ସଠିକ୍ ମାସ୍କ ପରିଧାନର ଆବଶ୍ୟକତା ରହିଛି। ଡାକ୍ତରଙ୍କ ମତରେ ଏହି ସମୟରେ ତିନି ସ୍ତର ବିଶିଷ୍ଟ ସର୍ଜିକାଲ ମାସ୍କ ହିଁ ଆମକୁ ସୁରକ୍ଷା ଦେଇପାରିବ। ତେଣୁ କପଡ଼ା ମାସ୍କ ବଦଳରେ ସର୍ଜିକାଲ ମାସ୍କ ଅଧିକ ସୁରକ୍ଷିତ।

ସର୍ଜିକାଲ ମାସ୍କ କେତେ ସୁରକ୍ଷିତ ?

ବିଶେଷଜ୍ଞଙ୍କ ମତରେ ସର୍ଜିକାଲ ମାସ୍କ ବ୍ୟବହାର କରିବା ଦ୍ୱାରା କୋଭିଡ ସଂକ୍ରମଣ ହାର ୯୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ । ବଜାରରେ ସର୍ଜିକାଲ ମାସ୍କ ସହଜରେ ଉପଲବ୍ଧ । ଏହାର ମୂଲ୍ୟ ୩ରୁ ୪ ଟଙ୍କା ହୋଇଥିବାରୁ ସମସ୍ତେ ଏହାକୁ କିଣି ବ୍ୟବହାର କରିପାରିବେ। କିନ୍ତୁ ଏହି ମାସ୍କ ପିନ୍ଧୁଥିଲେ କିଛି ଟା ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଯେମିତିକି, ସର୍ଜିକାଲ ମାସ୍କ ବ୍ୟବହାର କରି ବାହାରକୁ ଯାଇଥିଲେ ସେଠାରୁ ଫେରିବା ପରେ ବ୍ୟବହୃତ ମାସ୍କକୁ କାଢ଼ି ପେପରରେ ଗୁଡ଼ାଇ ଡିସପୋଜ କରିବା ଆବଶ୍ୟକ। ଏହାପରେ ହାତକୁ ସାନିଟାଇଜ କରିବା ଆବଶ୍ୟକ। ମାସ୍କ ବ୍ୟବହାର କରିବା ପରେ ତାକୁ ଏତେତେଣେ ପକାଇଲେ ତାହା ଅନ୍ୟମାନଙ୍କ ପାଇଁ ବିପଦ ଆଣିଥାଏ।

ନିଜ ସହ ଅନ୍ୟମାନଙ୍କୁ ସୁରକ୍ଷା ଦେଇଥାଏ ମାସ୍କ

ଅନେକ ଲୋକଙ୍କର ଅଭିଯୋଗ ଯେ, ମାସ୍କ ପିନ୍ଧିଲେ ସେମାନଙ୍କୁ ଅଣନିଶ୍ୱାସୀ ଲାଗୁଛି । ପ୍ରାରମ୍ଭିକ ସମୟରେ ଏହିଭଳି ଅନୁଭବ ହୁଏ, କିନ୍ତୁ ଧୀରେ ଧୀରେ ଆମେ ତାହା ସହ ଅଭ୍ୟସ୍ତ ହୋଇଗଲେ ସହଜ ଲାଗିବ। ମାସ୍କ ପିନ୍ଧିବା ଦ୍ୱାରା ନିଜକୁ ସୁରକ୍ଷିତ ରଖିବା ସହ ନିଜ ଆତ୍ମୀୟ ତଥା ଆପଣଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ମଧ୍ୟ ସୁରକ୍ଷିତ ରହିପାରିବେ। କେବଳ ଗୋଟିଏ ମାସ୍କ ପରିଧାନ ହିଁ କୋଭିଡ ମହାମାରୀରୁ ମୁକୁଳିବାର ଏକମାତ୍ର ବାଟ।

ଓମିକ୍ରନ ସମୟରେ କେମିତି ରହୁଛି ଲକ୍ଷଣ ?

ଓମିକ୍ରନରେ କୌଣସି ବିଶେଷ ଲକ୍ଷଣ ଦେଖାଯାଉ ନାହିଁ । ଅନେକଙ୍କଠାରେ କୌଣସି ଲକ୍ଷଣ ରହୁନାହିଁ । ତେଣୁ ଏହାକୁ ହାଲୁକା ଭାବେ ନନେଇ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକତା ରହିଛି । ଓମିକ୍ରନ କ୍ଷତିକାର ହୋଇନଥିଲେ ମଧ୍ୟ ଏହା ଦ୍ରୁତ ସଂକ୍ରମକ।

କେତେ କ୍ଷତିକାରକ ତୃତୀୟ ଲହର ?

ତୃତୀୟ ଲହରରେ ଲୋକ କୋଭିଡ ଆକ୍ରାନ୍ତ ହୋଇ ଭେଣ୍ଟିଟିଲେଟରରେ ରହୁଛନ୍ତି । ୨ ପ୍ରତିଶତ ଲୋକ ଭଲ ହୋଇ ଘରକୁ ଫେରୁଥିବାବେଳେ ୨ରୁ ୩ ପ୍ରତିଶତଙ୍କର ମୃତ୍ୟୁ ହେଉଛି। କିଛି ଲୋକ ଭଲ ହେଲା ପରେ ମଧ୍ୟ ସେମାନଙ୍କର ଅକ୍ସିଜେନର ଆବଶ୍ୟତକା ରହୁଛି। ଏହା ଡେଲ୍ଟା ପରି ମାରାତ୍ମକ ହୋଇନଥିଲେ ମଧ୍ୟ ଏହା କିଛି ଲୋକଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ କୋଭିଡରେ ଗୁରୁତର ହେବାର ସମ୍ଭାବନା ଅଧିକ ରହିଛି।home isolation-2

କୋଭିଡ ପଜିଟିଭ ହେଲେ କଣ କରିବେ ?

କୋଭିଡ ନିୟମ ମାନିବା ସହ ସତର୍କତା ଅବଲମ୍ବନ କଲେ କୋଭିଡ ସହ ମୁକାବିଲା କରିହେବ। ଏହା ସତ୍ତ୍ଵେ ଯଦି କେହି କୋଭିଡ ଆକ୍ରାନ୍ତ ହୁଅନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜର ଯତ୍ନ ନେବା ଦ୍ୱାରା ଏହି ସମସ୍ୟାରୁ ମୁକୁଳି ହେବ।

କେବେ କମିବ ସଂକ୍ରମଣ ହାର ?

ଡେଲ୍ଟା ଭଳି ମୃତ୍ୟୁ ସଂଖ୍ୟା ବଢ଼ୁନଥିଲେ ମଧ୍ୟ ଓମିକ୍ରନରେ ମୃତ୍ୟୁ ହେବାର ଭୟ ରହିଛି। ତେଣୁ ସମସ୍ତଙ୍କୁ ସତର୍କ ହୋଇ ରହିବାକୁ ପଡ଼ିବ। ଆଗକୁ ଆଉ ଦୁଇ ତିନି ମାସ ସଂକ୍ରମଣ ବଢ଼ିବ ବୋଲି ଆକଳନ କରାଯାଇଛି। ଦୁଇ ମାସ ପରେ ଧୀରେ ଧୀରେ କୋଭିଡ ସଂକ୍ରମଣ ହାର କମିବାକୁ ଲାଗିବ। ଜୁଲାଇ ମାସ ବେଳକୁ ସଂକ୍ରମଣ ହାର କମିବା ସହ ମାସ୍କ ପିନ୍ଧିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ସଂକ୍ରମଣ ବଢ଼ୁଥିବାରୁ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାର ଆବଶ୍ୟକତା ରହିଛି।

Comment