ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓମିକ୍ରନ ପାଇଁ ରାଜ୍ୟରେ ତୃତୀୟ ଲହର କୋଭିଡ ଆସିଛି। ଏହି ନୂଆ ଭାରିଏଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। କିନ୍ତୁ ଏଥର ଯେମିତି ଲୋକଙ୍କ ଜୀବିକା ପ୍ରଭାବିତ ନହେବ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ରାଜ୍ୟରେ ଲକଡାଉନ କିମ୍ବା ସଟଡାଉନ କରାଯାଇନାହିଁ। ତେଣୁ ଅବହେଳା ନକରି କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ପ୍ରାୟ ୨ ପ୍ରତିଶତ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡ଼ୁଛି। ପୂର୍ବ ତୁଳନାରେ ଏବେ ହସ୍ପିଟାଲ ଓ ଆଇସିୟୁ କମ ଦରକାର ପଡ଼ୁଛି। ତେଣୁ ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ।’’

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସମସ୍ତ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଉଛି। ସେଥିରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ, ମେଡିସିନ ରଖାଯିବା ସହ ଡକ୍ଟର ଓ ପାରମେଡିକାଲ ଷ୍ଟାପ୍‌ଙ୍କୁ ନିଯୁକ୍ତ କରାଯାଇଛି। ତେଣୁ ରାଜ୍ୟବାସୀଙ୍କ ଲାଗି ଡରିବାର କିଛି କାରଣ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡର ସମସ୍ତ ନିୟମ ତଥା ମାସ୍କ ପିନ୍ଧିବା, ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯିବା, ବାରମ୍ବାର ସାବୁନରେ ହାତ ଧୋଇବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ୧୧ ହଜାର ରହୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

Comment