ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହର ୧୮ବର୍ଷ ପରେ ଅଲଗା ହୋଇଛନ୍ତି ତାମିଲ ସୁପରଷ୍ଟାର ଧନୁଶ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ। ପରସ୍ପର ସହମତିରେ ଧନୁଶ-ଐଶ୍ୱର୍ଯ୍ୟା ଅଲଗା ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ଖବର ଆସିବା ପରେ ଧନୁଶଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି। ଏହି ଯୋଡ଼ିଙ୍କୁ ପରଫେକ୍ଟ କପଲ କୁହାଯାଉଥିଲା। କାହିଁକି ଉଭୟେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଲେ ତାହା ଏବେ ବଡ଼ ପ୍ରଶ୍ନ।

ଐଶ୍ୱର୍ଯ୍ୟା ହେଉଛନ୍ତି ତାମିଲ ଫିଲ୍ମ ଜଗତର ଜଣେ ସଫଳ ନିର୍ଦ୍ଦେଶିକା ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ବଡ଼ ଝିଅ। ଧନୁଶଙ୍କଠାରୁ ଐଶ୍ୱର୍ଯ୍ୟା ବୟସରେ ଦୁଇ ବର୍ଷ ବଡ଼। ଫିଲ୍ମ ହଲରୁ ପ୍ରଥମ ଦେଖାରେ ଧନୁଶଙ୍କୁ ନିଜ ହୃଦୟରେ ଯାଗା ଦେଇଥିଲେ ଐଶ୍ୱର୍ଯ୍ୟା। ପରେ ଧୀରେ ଧୀରେ ଦୁଇଜଣଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ଦୁଇ ବର୍ଷ ଡେଟିଂ କରିବା ପରେ ଧନୁଶ ଏବଂ ଐଶ୍ୱର୍ଯ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ମନୋରଞ୍ଜନ ଜଗତରେ ବିବାହ-ବିଚ୍ଛେଦ ଏକ ସାଧାରଣ କଥା ହୋଇଥିଲେ ମଧ୍ୟ ଧନୁଶ-ଐଶ୍ୱର୍ଯ୍ୟା ଅଲଗା ହେବା ଖବରକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଐଶ୍ୱର୍ଯ୍ୟାଙ୍କ ସୁନାର ସଂସାର ଭାଙ୍ଗିବାରେ କାହାର ହାତ ରହିଛି ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି।

କେମିତି ହୋଇଥିଲା ପ୍ରଥମ ଦେଖା?

ଦିନେ ଧନୁଶ ନିଜ ପରିବାର ଲୋକଙ୍କ ସହ ତାଙ୍କ ଅଭିନିତ ଫିଲ୍ମ ‘କୋଧାଲ କୋଣ୍ଡେଁ’ର ପ୍ରଥମ ସୋ’ ଦେଖିବାକୁ ଯାଇଥିଲେ। ଇଣ୍ଟରଭାଲ ପର୍ଯ୍ୟନ୍ତ ସମସ୍ତେ ଧନୁଶଙ୍କୁ ଅଭିନନ୍ଦନ ଜଣାଉଥିଲେ। ଫିଲ୍ମ ସରିବା ପରେ ଧନୁଶ ପରିବାର ଲୋକଙ୍କ ସହ ଘରକୁ ଫେରୁ ଥିଲେ। ଏହି ସମୟରେ ଫିଲ୍ମର ପ୍ରଯୋଜକ ଧନୁଶଙ୍କୁ ଡାକି ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ଏବଂ ସୌନ୍ଦର୍ଯ୍ୟାଙ୍କ ସହ ପରିଚୟ କରାଇଥିଲେ। କିଛି ସମୟ ବାର୍ତ୍ତାଳାପ ପରେ ଧନୁଶ ଏବଂ ଐଶ୍ୱର୍ଯ୍ୟା ଯେ ଯାହା ବାଟରେ ଚାଲିଯାଇଥିଲେ।

ପରଦିନ ଐଶ୍ୱର୍ଯ୍ୟା ଗୋଟିଏ ଫୁଲ ତୋଡ଼ା ସହ ‘ଗୁଡ ୱର୍କ, ଟଚରେ ରହିବ’ ଲେଖା ଥିବା ଏକ ଚିଠି ଧନୁଶଙ୍କ ପାଖକୁ ପଠାଇଥିଲେ। ଫୁଲତୋଡ଼ା ଏବଂ ଚିଠି ପାଇବା ପରେ ଧନୁଶ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଧୀରେ ଧୀରେ ବନ୍ଧୁତାର ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ବଢ଼ିବାକୁ ଲାଗିଲା। ଇତି ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ଭଉଣୀ ସୌନ୍ଦର୍ଯ୍ୟା ଧନୁଶଙ୍କର ଭଲ ସାଙ୍ଗ ହୋଇଯାଇଥିଲେ। ଏହି ବାହାନାରେ ଐଶ୍ୱର୍ଯ୍ୟା ଏବଂ ଧନୁଶଙ୍କ ଦେଖାକ୍ଷାତା ଲାଗି ରହିବାରୁ ସମ୍ପର୍କ ଆହୁରି ନିବିଡ଼ ହୋଇଯାଇଥିଲା।

କେବେ ହୋଇଥିଲା ବିବାହ?

ଦୁହିଁଙ୍କ ସମ୍ପର୍କରେ ଜାଣିବା ପରେ ବାପା ରଜନୀକାନ୍ତ ଏବଂ ମା’ ଉଭୟଙ୍କ ବିବାହ ପାଇଁ ସ୍ଥିର କରିଥିଲେ। ରଜନୀକାନ୍ତଙ୍କ ଘରେ ବିବାହ ପାଇଁ ଆୟୋଜନ ହୋଇଥିଲା। ଏଥିରେ ବହୁ ନେତା, ବଡ ବଡ ଲୋକ ଏବଂ ନାମୀ କଳାକାଳମାନେ ସମାଲି ହୋଇଥିଲେ । ୨୦୦୪ ନଭେମ୍ବର ୧୮ ତାରିଖରେ ଉଭୟ ଧନୁଶ ଏବଂ ଐଶ୍ୱର୍ଯ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ୨୦୦୬ରେ ପ୍ରଥମ ପୁଅ ଏବଂ ୨୦୧୦ରେ ଦ୍ୱିତୀୟ ପୁଅ ଜନ୍ମ ହୋଇଥିଲେ। ବେଶ୍ ହସଖୁସିଲେ ଚାଲିଥିଲା ପରିବାର।

କାହିଁକି ଭଲ ଲାଗିଲେ ଐଶ୍ୱର୍ଯ୍ୟା?

ଏକ ସାକ୍ଷାତକାରରେ ଧନୁଶଙ୍କୁ ପ୍ରଶ୍ନ କରାଯାଇଥିଲା ଐଶ୍ୱର୍ଯ୍ୟା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ବୋଲି ତାଙ୍କୁ ଜୀବନ ସାଥୀ କରିବାକୁ ନିଷ୍ପତ୍ତି ନେଇଥିଲେ କି? ଏହାର ଉତ୍ତରରେ ଧନୁଶ କହିଥିଲେ ଐଶ୍ୱର୍ଯ୍ୟା ଜଣେ ସୁପରଷ୍ଟାରଙ୍କ ଝିଅ ହୋଇ ମଧ୍ୟ ତାଙ୍କ ଜୀବନଶୈଳି ପୁରା ସାଦାସିଧା। ସମସ୍ତଙ୍କ ପ୍ରତି ତାଙ୍କର ଉତ୍ତମ ବ୍ୟବହାର ଏବଂ ସରଳ କଥାବାର୍ତ୍ତା ମୋତେ ଭଲ ଲାଗିଥିଲା। ତେଣୁ ତାଙ୍କୁ ଜୀବନ ସାଥୀ କରିବାକୁ ମୁଁ ନିଶ୍ଚିତ କରିଥିଲି।

ଧନୁଶଙ୍କ ସହ ଶ୍ରୁତିଙ୍କ ନାଁକୁ ନେଇ ଗୁଜବ ଉଠିଥିଲା

୨୦୧୨ ମସିହାରେ ଐଶ୍ୱର୍ଯ୍ୟା ତାମିଲ ଫିଲ୍ମ ‘ଥ୍ରୀ’ ଜରିଆରେ ନିର୍ଦ୍ଦେଶନା ଜଗତରେ ପାଦ ଦେଇଥିଲେ। ଐଶ୍ୱର୍ଯ୍ୟା ଏହି ଫିଲ୍ମରେ ଧନୁଶଙ୍କ ବିପକ୍ଷରେ ନିଜ ପିଲାବେଳର ସାଂଗ ଶ୍ରୁତି ହାସନଙ୍କୁ ନାୟିକା ଭାବେ ନେଇଥିଲେ। ଫିଲ୍ମ ସୁଟିଂ ସମୟରେ ଧନୁଶ ଏବଂ ଶ୍ରୁତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଖବର ଘୁରି ବୁଲିଲା। ଏହା ଐଶ୍ୱର୍ଯ୍ୟା ଏବଂ ଧନୁଶଙ୍କ ବିବାହ ସମ୍ପର୍କ ଉପରେ ପ୍ରଭାବ ପକାଇଲା। ପରେ ବିଭିନ୍ନ ସ୍ଥାନରେ ଧନୁଶ ଏବଂ ଶ୍ରୁତିଙ୍କୁ ଦେଖିବାକୁ ମିଳିଲା। ଏହାକୁ ନେଇ ଧନୁଶ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କରେ ତିକ୍ତତା ଆସିବାକୁ ଲାଗିଲା। କିଛି ଦିନ ପରେ କିନ୍ତୁ ସବୁ ଠିକ୍ ହୋଇଯାଇଥିଲା।

Comment