ଓଡ଼ିଶାଲାଇଭ୍ବ୍ୟୁରୋ

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। କାହାକୁ ଓମିକ୍ରନ ହେବାର ଆଶଙ୍କା ଅଧିକ ଏବଂ କିପରି ଏହାର ମୁକାବିଲା କରିହେବ ସେ ସମ୍ପର୍କରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହି ଭ୍ୟାରିଏଣ୍ଟ ଅଧିକ କ୍ଷତିକାରକ ହୋଇନଥିଲେ ମଧ୍ୟ ଏହା ଦ୍ରୁତ ସଂକ୍ରମକ ପରିଲକ୍ଷିତ ହେଉଛି। କିନ୍ତୁ ଏହି ଭାରିଏଣ୍ଟ ସମସ୍ତଙ୍କୁ ସମାନ ଭାବେ ପ୍ରଭାବିତ କରିବ ନାହିଁ। ଭିନ୍ନ ଭିନ୍ନ ଲୋକଙ୍କଠାରେ ଏହାର ଭିନ୍ନ ପ୍ରଭାବ ଦେଖାଯାଉଛି ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି।

କେଉଁମାନଙ୍କୁ ଓମିକ୍ରନ ହେବାର ଆଶଙ୍କା ଅଧିକ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଆଦୌ ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଓମିକ୍ରନ ହେବାର ଆଶଙ୍କା ଅଧିକ ରହିଛି। ଏହାସହ ଗୋଟିଏ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତି ଓମିକ୍ରନ କବଳରେ ପଡ଼ିବାର ସମ୍ଭାବନା ମଧ୍ୟ ଅଧିକ ରହିଛି।

ଓମିକ୍ରନର ଲକ୍ଷଣ?

ଭାରତରେ ଦେଖା ଦେଇଥିବା ଓମିକ୍ରନର ଲକ୍ଷଣ ସାଧାରଣ ଥଣ୍ଡା ଜ୍ଵର, ନାକରୁ ପାଣି ବାହାରିବା, ଛିଙ୍କ ହେବା, ତଣ୍ଟି କୁଣ୍ଡାଇ ହେବା, ନାକ ବନ୍ଦ ହେବା ଓ ବେଳେ ବେଳେ କାଶ ହେବା। କିଛି କ୍ଷେତ୍ରରେ ଜ୍ଵର, ମୁଣ୍ଡବିନ୍ଧା ସହ ଦେହ ଦରଜ ଭଳି ଲକ୍ଷଣ ରହୁଛି। ଏହି ଲକ୍ଷଣମାନ ଦେଖା ଦେଲେ ତୁରନ୍ତ କୋଭିଡ ପରୀକ୍ଷା କରାଇବା ଆବଶ୍ୟକ।

ସାଉଥ ଆଫ୍ରିକାରେ ପ୍ରଥମେ ଓମିକ୍ରନ ଭ୍ୟାରିଏଣ୍ଟକୁ ଚିହ୍ନଟ କରାଯାଇଥିଲା। କିନ୍ତୁ ସେଠାରେ ଓମିକ୍ରନର ଯେଉଁ ଲକ୍ଷଣ ଥିଲା ତାହା ଭାରତରେ ସମ୍ପୂର୍ଣ୍ଣ ଭିନ୍ନ।

ପୂର୍ବ ଭଳି ଓମିକ୍ରନରେ ସ୍ଵାଦ କିମ୍ବା ଗନ୍ଧ ଉପରେ ପ୍ରଭାବ ଦେଖିବାକୁ ମିଳୁନାହିଁ। ଅକ୍ସିଜେନ ସାଚୁରେସନ ମଧ୍ୟ କମୁନାହିଁ। ଏହାକୁ ସାଧାରଣ ରୋଗ ବୋଲି ଏବେ କୁହାଯାଉଛି।covid testing centers-2

କେତେବେଳେ ଟେଷ୍ଟ କରିବେ?

ଓମିକ୍ରନ ଦ୍ରୁତ ସଂକ୍ରମକ। ଯଦି କାହାକୁ ଓମିକ୍ରନ ଲକ୍ଷଣ ଦେଖାଯାଏ ତରୁନ୍ତ ଟେଷ୍ଟ କରାଇନେବା ଆବଶ୍ୟକ। ଦେହ ଦରଜ, ତଣ୍ଟି ଦରଜ, ଜ୍ଵର, ମୁଣ୍ଡବିନ୍ଧା, ଥଣ୍ଡା ଭଳି ଲକ୍ଷଣ ଦିଶିଲେ ତୁରନ୍ତ ଟେଷ୍ଟ କରାଇ ନେବା ଦରକାର। ଆବଶ୍ୟକ ହେଲେ ନିଜୁ ସଙ୍ଗରୋଧ କରିବା ଦ୍ଵାରା ସଂକ୍ରମଣ ରୋକା ଯାଇପାରିବ।

ବୟସ୍କଙ୍କ ପାଇଁ ବିପଦ

ଡାକ୍ତରଙ୍କ କହିବା ଅନୁସାରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ବହୁବିଧ ରୋଗରେ ପୀଡ଼ିତ ରୋଗୀ, ମଧୁମେହ, ରକ୍ତଚାପ ଏବଂ ହୃଦରୋଗ ଥିବା ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ହେଲେ ଗୁରୁତର ହେବା ସମ୍ଭାବନା ଅଧିକ ରହିଛି। ଏହା ସହ ଗୋଟିଏ ଡୋଜ ଟିକା ନେଇ ଦ୍ଵିତୀୟ ଡୋଜ ବହୁ ବିଳମ୍ବରେ ନେଇଥିବା ବ୍ୟକ୍ତି ଓମିକ୍ରନରେ ଗୁରୁତର ହେବାର ଆଶଙ୍କା ରହିଛି।

କାହିଁକି ନେବେ ପ୍ରିକସନ ଡୋଜ?

କୋଭିଡ ମୁକାବିଲା ପାଇଁ ବର୍ତ୍ତମାନ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଇଛି। ଟିକା ନେଇଥିବା କାଭିଡ ଆକ୍ରାନ୍ତ ଗୁରୁତର ହେବା ଆଶଙ୍କା କମ୍‌ ରହିଛି। ତେଣୁ ଏବେ ସାରାଦେଶରେ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା, ୬୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ପ୍ରକିସନ ଡୋଜ୍‌ ମଧ୍ୟ ଦିଆଯାଉଛି। ଡବଲ ଡୋଜ ଟିକାକରଣର ୯ ମାସ ପରେ ପ୍ରିକସନ ଡୋଜ ନେବାକୁ ପରାମର୍ଶ ଦିଆଯାଇଛି। ପ୍ରିକସନ ଡୋଜ ୩ ମାସ ପର୍ଯ୍ୟନ୍ତ କାମ କରିଥାଏ। ପ୍ରିକସନ ଡୋଜର ୯୦ ପ୍ରତିଶତ ପର୍ଯ୍ୟନ୍ତ ଓମିକ୍ରନ ସହ ମୁକାବିଲା କରିବାର କ୍ଷମତା ରହିଛି।

Comment