ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶ ଆଜି ପାଳୁଛି ୭୩ତମ ଗଣତନ୍ତ୍ର ଦିବସ। କରୋନା ପାଇଁ ଗତ ବର୍ଷ ପରି ଏବର୍ଷ ବି କଟକଣା ଭିତରେ ଦେଶରେ ଗଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ଵରର ଗାନ୍ଧୀମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଛି। ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।କରୋନା କଟକଣା ପାଇଁ ସ୍ଵଳ୍ପ ଉପସ୍ଥିତିରେ ଉତ୍ସବକୁ ପାଳନ କରାଯାଇଥିବା ବେଳେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ଗଣତନ୍ତ୍ର ଦିବସର ଲାଇଭ ପରେଡର ସିଧାପ୍ରସାରଣ କରାଯାଇଛି।

ଗଣତନ୍ତ୍ର ଦିବସ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରତିବର୍ଷ ଦେଶରେ ଧୁମଧାମରେ ଗଣତନ୍ତ୍ର ଦିବସ ପାଳନ ହୋଇଥାଏ। ଦିଲ୍ଲୀର ରାଜପଥରେ ହେଉଥିବା ପରେଡରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। କିନ୍ତୁ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଗଣତନ୍ତ୍ର ଦିବସ ଉତ୍ସବରେ କଟକଣା ଭିତରେ ପାଳିତ ହେଉଛି।୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ଭାରତ ମୁକ୍ତ ହୋଇଥିଲା। ସ୍ୱାଧୀନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା। ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ ୧୯୫୦ ମସିହା ଜାନୁଆରି ୨୬ରେ ସଂସଦରେ ଭାରତୀୟ ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହାପରେ ଭାରତ ନିଜକୁ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ପାଳନ ହୋଇଆସୁଛି।

Comment