ଡକ୍ଟର ଫକୀର ମୋହନ ନାହକ

ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ୍ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଆମେ ତ ଭାଗ୍ୟବାନ୍ ପିଲାରେ … ଆଉ କେ ଆମ ପରି ଥିଲାରେ…। ପିଲାଦିନେ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ପଢ଼ିଥିବା ଏହି କବିତାରେ ଗୋଟିଏ ଶବ୍ଦ ଥିଲା “କଳମୁକୁର”। ଏମିତି ହିଁ ଦିନେ ସନ୍ଧ୍ୟାରେ ଲଣ୍ଠନ ଲଗାଇ ଗାଁରେ ପାଠ ପଢ଼ି ବସିଥିଲା ବେଳେ, ବାପା ପଚାରିଲେ ଏ ଶବ୍ଦଟିର ଅର୍ଥ କଣ? ମୁଁ ତାର ଉତ୍ତର ଦେଇପାରିନଥିଲି। ତାଗିଦ୍ କଲେ ବାପା .. କି ପାଠ ପଢୁଛି ତୁ? ତା ପରେ କହିଲେ, କଳମୁକୁର ମାନେ ଟେଲିଭିଜନ୍।

ହଁ କେମିତି ବା ଜାଣିଥାନ୍ତି? ସେତେବେଳ ଯାଏଁ ମୁଁ ଟେଲିଭିଜନ୍ କଣ ଜାଣିନଥିଲି। କାରଣ, ସେତେବେଳେ ଗାଁରେ କାହା ଘରେ ବି ଟେଲିଭିଜନ୍ ନଥିଲା। ତା ଛଡ଼ା ଗାଁ ବାହାରକୁ ଯାଇ ସହରରେ କା ଘରେ ଟେଲିଭିଜନ୍ ଦେଖିବାର ସୁଯୋଗ ମୋ ପାଖରେ ନଥିଲା। ତେଣୁ କେବଳ ଶବ୍ଦଟି ସହିତ ପରିଚିତ ହେବା ବ୍ୟତୀତ ମୋ ପାଖରେ ଆଉ କିଛି ଉପାୟ ନଥିଲା। ହଁ.. ମୁଁ କିନ୍ତୁ ଟେଲିଭିଜନକୁ ନେଇ କିଛି କଳ୍ପନା କରିଥିଲି। ଭାବୁଥିଲି, ଦର୍ପଣଟିଏ ହୋଇଥିବ, ଯାହା ସାମ୍ନାରେ ଠିଆ ହେଲେ ସେ କଥା କହୁଥିବ।

ଓଡ଼ିଶାରେ କିନ୍ତୁ ସେତେବେଳକୁ ଟେଲିଭିଜନ୍ ଆସି ସାରିଥାଏ। ଗତ ଶତାବ୍ଦୀର ସତୁରି ଦଶକରେ ଓଡ଼ିଶା ପରିଚିତ ହୋଇଥିଲା ଟେଲିଭିଜନ ସହିତ। କିନ୍ତୁ ପ୍ରଥମ ଥର ପାଇଁ ଯେତେବେଳେ ୧୯୭୫-୭୬ ମସିହାରେ ଦେଶର ଛଅଟି ରାଜ୍ୟରେ ଉପଗ୍ରହ ନିର୍ଦ୍ଦେଶିତ ଟେଲିଭିଜନ ପରୀକ୍ଷଣ ଆରମ୍ଭ ହେଲା, ସେତେବେଳେ ହିଁ ଏହି ପରୀକ୍ଷଣରେ ଓଡ଼ିଶାକୁ ସାମିଲ କରାଯାଇଥିଲା।

ପରବର୍ତ୍ତୀ ସମୟରେ ଦିଲ୍ଲୀ ଏସୀୟ କ୍ରୀଡ଼ା ବେଳେ ୧୯୮୨ ମସିହାରେ ଦେଶରେ ଆରମ୍ଭ ହେଲା ରଙ୍ଗିନ ପ୍ରସାରଣ। ସେହି ସମୟରେ ଓଡ଼ିଶାରେ ଦୂରଦର୍ଶନର ଭିତ୍ତିଭୂମିର ବିକାଶ ହେବା ସଙ୍ଗେ ସଙ୍ଗେ କିଛି ସମୟ ପାଇଁ ଓଡ଼ିଶାବାସୀଙ୍କୁ ଓଡ଼ିଆ କାର୍ଯ୍ୟକ୍ରମ ଦେଖିବା ସୁଯୋଗ ମିଳିଲା। ତେବେ ଖବର ପ୍ରସାରଣ ଆରମ୍ଭ ହେଲାବେଳକୁ ନବେ ଦଶକ। କିନ୍ତୁ ସ୍ୱତନ୍ତ୍ର ଭାବେ ଓଡ଼ିଆ ଭାଷାରେ ଏକ ଟେଲିଭିଜନ୍ ଚାନେଲ ଆରମ୍ଭ ହେଲା ୧୯୯୪ ମସିହାରେ ଡିଡି-ଓଡ଼ିଆ ରୂପରେ। କିଛି ମାତ୍ରାରେ ଓଡ଼ିଆ ଦର୍ଶକଙ୍କ ଆବଶ୍ୟକତା ମେଣ୍ଟାଇବାରେ ସକ୍ଷମ ହୋଇଥିଲା ଦୂରଦର୍ଶନ।

ପରବର୍ତ୍ତୀ ସମୟରେ ଏକ କେବୁଲ ଚାନେଲ ଭାବେ ୧୯୯୭ ମସିହାରେ କେବଳ ଭୁବନେଶ୍ୱର ଓ କଟକରେ ଓଡ଼ିଆ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ କରିଥିଲା ଓଟିଭି। କିନ୍ତୁ ଏହା ସାରା ଓଡ଼ିଶାର ଦର୍ଶକଙ୍କ ପାଖରେ ପହଞ୍ଚି ପାରିନଥିଲା ସେତେବେଳେ। ତେବେ ଦୂରଦର୍ଶନରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଧାରାବାହିକ ଜରିଆରେ ଓଡ଼ିଶାର କିଛି କଳାକାର ଓ ପ୍ରଯୋଜକ କର୍ମସଂସ୍ଥାନ ପାଇପାରିଥିଲେ।

ଏମିତି ଏକ ମୁହୂର୍ତ୍ତରେ ଓଡ଼ିଶା ଉପରେ ସବୁଠୁ ଶକ୍ତ ପ୍ରହାର କରିଥିଲା ପ୍ରକୃତି। ୧୯୯୯ ମହାବାତ୍ୟାର ତାଣ୍ଡବଲୀଳା ଉପକୂଳ ଓଡ଼ିଶାର ଚିତ୍ର ବଦଳାଇ ଦେଲା। ତାର ପ୍ରକୋପରେ ଅକାଳରେ ଲିଭିଗଲା ଅନେକ ଜୀବନ। ଜନଜୀବନ ହାନି ସହିତ ସ୍ଥାବର, ଅସ୍ଥାବର ସମ୍ପତ୍ତି ସବୁ ହରାଇଲେ ଲୋକେ। ସିଧା ସିଧା କହିଲେ, ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ଉପରେ ଏମିତି ଏକ ଶକ୍ତ ଧକ୍କା ଲାଗିଥିଲା ଯେ, ଅଣ୍ଟାସଳଖି ଠିଆ ହେବା ଏ ଯାଏଁ ବି ସମ୍ଭବ ହୋଇନି।

ଏମିତି ସ୍ଥଳେ, ଉପକୂଳ ଓଡ଼ିଶାରେ ସବୁଠୁ ଅଧିକ ଲୋକପ୍ରିୟ ଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଅହେତୁକ କ୍ଷତିର ସାମ୍ନା କରିଥିଲା। କାରଣ ଛୋଟ ବଡ଼ ସହର ସବୁଠି ଯେତେ ସିନେମା ହଲ୍ ଥିଲା, ସେଥିରୁ ଅଧିକାଂଶ ମହାବାତ୍ୟାର ଶିକାର ହୋଇ ନଷ୍ଟ ହୋଇଗଲେ। ଫଳରେ ଯେଉଁ କିଛି କଳାକାର, ସିନେମାଶିଳ୍ପୀ ଓ ସିନେନିର୍ମାତା ଚଳଚ୍ଚିତ୍ର ଉପରେ ନିର୍ଭର କରି ଚଳୁଥିଲେ, ସେମାନଙ୍କ ପାଇଁ ଏକ ବଡ଼ ସଙ୍କଟ ମୁଣ୍ଡ ଟେକିଲା ମହାବାତ୍ୟାର ପରିଣାମରେ। ଖାଲି ସେତିକି ନୁହେଁ, ଏହାର ପ୍ରକୋପରେ କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳ ଅଞ୍ଚଳରେ ଥିବା ଆକାଶବାଣୀ ଓ ଦୂରଦର୍ଶନର ଭିତ୍ତିଭୂମି ।

ମହାବାତ୍ୟାର ବର୍ଷେ ଦେଢ଼ବର୍ଷ ଭିତରେ ଜନଜୀବନ ସ୍ୱାଭାବିକତା ଆଡ଼କୁ ଗତି କରୁଥିଲା ବେଳେ ଓଡ଼ିଶା ଟିଲିଭିଜନ୍ ଦୁନିଆରେ ହେଲା ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରପାତ। ଦକ୍ଷିଣ ଭାରତର ବିଶିଷ୍ଟ ସିନେନିର୍ମାତା, ସମ୍ପାଦକ, ବରିଷ୍ଠ ସାମ୍ବାଦିକ ତଥା ମିଡିଆ ଜଗତର ଜଣେ ପ୍ରଖ୍ୟାତ ଉଦ୍ୟୋଗପତି ରାମୋଜୀ ରାଓ ଆରମ୍ଭ କଲେ ପ୍ରଥମ ଘରୋଇ ସାଟେଲାଇଟ୍ ଓଡ଼ିଆ ଚାନେଲ ଈଟିଭି ଓଡ଼ିଆ। ଠିକ୍  ୨୦ ବର୍ଷ ତଳେ ୨୦୦୨ ମସିହା ଜାନୁଆରି ୨୭ ତାରିଖରେ ଲୋକାର୍ପିତ ହୋଇଥିଲା ଈଟିଭି ଓଡ଼ିଆ।

ଓଡ଼ିଶାରୁ ଯାଇ ହାଇଦ୍ରାବାଦରେ ଓଡ଼ିଆ ଯୁବକ ଯୁବତୀମାନେ ଏକାଠି କାମ କରି ଏକ ଚବିଶ ଘଣ୍ଟିଆ ଟେଲିଭିଜନ୍ ଚାନେଲ ଆରମ୍ଭ କରିବା, ସେତେବେଳେ ଥିଲା ସବୁଠୁ ବଡ଼ ଘଟଣା। ଏହାକୁ ଏକ ଯୁଗାନ୍ତକାରୀ ଘଟଣା କହିଲେ ଭୁଲ୍ ହେବନି। କାରଣ, କହିବାକୁ ଗଲେ ସେହିଦିନଠାରୁ ଓଡ଼ିଆ ଟେଲିଭିଜନରେ ଆରମ୍ଭ ହୋଇଥିଲା ଏକ ନୂଆଯୁଗ। ଯାହାର ଫଳ ସ୍ୱରୂପ ଆଜି ଓଡ଼ିଶାବାସୀଙ୍କ ନିକଟରେ କୋଡ଼ିଏରୁ ଅଧିକ ଟେଲିଭିଜନ୍ ଚାନେଲ। ଅନେକ ବିକଳ୍ପ। ଅନେକ ସୁଯୋଗ।

ଈଟିଭି ଓଡ଼ିଆ ଲୋକାର୍ପଣ ସହିତ ଗୋଟିଏ ସମୟରେ ଈଟିଭିର ଅନ୍ୟ ପାଞ୍ଚଟି ଆଞ୍ଚଳିକ ଚାନେଲ ମଧ୍ୟ ଲୋକାର୍ପିତ ହୋଇଥିଲା। ଏଥିରେ ଥିଲା ଈଟିଭି ଗୁଜରାଟୀ, ଈଟିଭି ମଧ୍ୟପ୍ରଦେଶ, ଈଟିଭି ରାଜସ୍ଥାନ, ଈଟିଭି ଉତ୍ତର ପ୍ରଦେଶ ଓ ଈଟିଭି ବିହାର। ଏକା ସାଙ୍ଗରେ ଛଅଟି ଚାନେଲର ଲୋକାର୍ପଣ ବିଶ୍ୱ ଟେଲିଭିଜନ୍ ଇତିହାସର ଏକ ବିରଳ ଘଟଣା। ଅନ୍ୟ ସମସ୍ତ ଚାନେଲରେ ସମ୍ପୃକ୍ତ ଭାଷାଭାଷୀଙ୍କ ପାଇଁ ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କ ଅଭିଭାଷଣ ପ୍ରସାରିତ ହେଉଥିଲା ବେଳେ, ଈଟିଭି ଓଡ଼ିଆ ଆରମ୍ଭ ହୋଇଥିଲା ପରଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରୁଥିବା ଦୃଶ୍ୟରୁ।

ମାତ୍ର ଗୋଟିଏ ମିନିଟ୍ ପରେ ପ୍ରସାରିତ ହେଲା ବନ୍ଦେ ଉତ୍କଳ ଜନନୀ । ଏତିକି ବେଳେ ମୋ ଲୋମ ଟାଙ୍କୁରି ଉଠୁଥାଏ। ବନ୍ଦେ ଉତ୍କଳ ଜନନୀର ସେ ସଙ୍ଗୀତ ଭିତରେ ଏତେ ମଗ୍ନ ହୋଇଯାଇଥିଲି ଯେ, କେତେବେଳେ ମୋ ଆଖିରୁ ଲୁହ ଗଡ଼ି ଆସିଥିଲା ମୁଁ ଜାଣିପାରିନଥିଲି। ନ୍ୟୁଜ୍ ଡେସ୍କରେ ଆମେ ସମସ୍ତେ ନିର୍ବାକ୍ ହୋଇ ଠିଆ ହୋଇଥାଉ। ତା ପରେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ସେହି ଅବିସ୍ମରଣୀୟ ମୁହୂର୍ତ୍ତକୁ ଚିରକାଳ ଆତ୍ମସ୍ଥ କରୁଥିଲୁ ଆମେ ସମସ୍ତେ। ଅନଭିଜ୍ଞ ତରୁଣମାନଙ୍କ ଦୀର୍ଘ ଆଠ ମାସର ଅହର୍ନିଶ ଉଦ୍ୟମ ଓ ଅଭ୍ୟାସ ଫଳରେ ଓଡ଼ିଆ ଭାଷାର ପ୍ରଥମ ଘରୋଇ ସାଟେଲାଇଟ୍ ଚାନେଲ ଜନ୍ମ ନେଇଥିଲା। ଆନାଲଗରୁ ଡିଜିଟାଲ ଟ୍ରାନସମିସନକୁ ପରିବର୍ତ୍ତନ ହେବାର ଏକ ସନ୍ଧିକାଳରେ ଆରମ୍ଭ ହୋଇଥିଲା ଈଟିଭି ଓଡ଼ିଆ। ତେଣୁ ତାକୁ ଠିଆ କରାଇବା ପଛରେ ବି ଥିଲା ଏକ ସୁଦୀର୍ଘ ସଂଘର୍ଷ।।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ।  ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତ ନିଜସ୍ୱ)

Comment