ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଣବ ଦାସଙ୍କ ସହିତ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର। ଏଥିରେ ରହିଛି ପ୍ରଣବ ଦାସଙ୍କ ଅଭିନୟ ଏବଂ ଫିଲ୍ମ ନିର୍ଦ୍ଦେଶନା ଯାତ୍ରାର ସଫଳତା ପଛରେ ରହିଥିବା କାହାଣୀ ଓ ଅନୁଭୂତି।

ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ ହେଲେ ପ୍ରଣବ ଦାସ। ତାଙ୍କ ଫିଲ୍ମରେ ଥାଏ କିଛି ନୂତନତ୍ୱ। ଭିନ୍ନ ସ୍ୱାଦର କାହାଣୀ ସାଙ୍ଗକୁ ଦମଦାର ଡାଇଲଗ ପାଇଁ ତାଙ୍କ ଫିଲ୍ମକୁ ପସନ୍ଦ କରନ୍ତି ଦର୍ଶକ। ତାଙ୍କ ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି ‘ହାକିମ ବାବୁ’, ‘ଶେଷ ପ୍ରତୀକ୍ଷା’, ‘ରଣଭୂମି’।

ଓଡ଼ିଆ ସିନେ ଜଗତକୁ ଆପଣ ୮୦ ଦଶକରୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଏବେ କ’ଣ କରୁଛନ୍ତି?

ଏବେ ମୋ ଜୀବନ ବହୁତ ମଉଜ ମସ୍ତିରେ କଟୁଛି। ଫିଲ୍ମ ଦେଖୁଛି, ବହି ପଢ଼ୁଛି ଆଉ ଲେଖା ଲେଖିରେ ନିଜକୁ ବ୍ୟସ୍ତ ରଖୁଛି। ଭବିଷ୍ୟତ ଫିଲ୍ମ ପାଇଁ ମଧ୍ୟ ଯୋଜନା କରୁଛି। ଖବରକାଗଜ ପାଇଁ କିଛି ଲେଖାଲେଖି କରୁଛି। ଏବେ ପୁଣି ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲେଇଛି। ୨୦୨୧ରୁ ‘ଅଜାତି’ ଫିଲ୍ମରୁ ପୁଣି କାମ ଆରମ୍ଭ କରିଛି।  ଏବେ ଆଉ ସମୟ କାଟିବାକୁ ମୋର ଅସୁବିଧା ହେବନି।

ଆପଣ କଟକରେ ଜନ୍ମ ହୋଇଥିଲେ। କିନ୍ତୁ ବାଙ୍କିରେ ପାଠ ପଢ଼ିଲେ। ତେବେ ଫିଲ୍ମ ଦୁନିଆକୁ ଆସିବାମନୋଭାବ କେମିତି ଆସିଲା?

 କଟକ ଡଗରପଡ଼ାରେ ମୋର ଜନ୍ମ। ଏ କଥା ଖୁବ୍‌ କମ୍ ଲୋକ ଜାଣନ୍ତି। ସମସ୍ତେ ଭାବନ୍ତି ମୋ ଘର ହେଉଛି ଭୁବନେଶ୍ଵରରେ। କଟକରେ ପାଠ ପଢ଼ିବା ସମୟରେ ବାପାଙ୍କୁ ଲାଗିଲା ମୁଁ କଟକରେ ରହିଲେ ବିଗିଡ଼ି ଯିବି। ମୋର ଭଲ ଭବିଷ୍ୟତ ଲାଗି ବାପା ତାଙ୍କ ପୋଷ୍ଟିଂ କଟକରୁ ବାଙ୍କିକୁ କରିଦେଲେ। ଯେଉଁ ସମୟରେ ଲୋକ ଚିନ୍ତା କରନ୍ତି ବାଙ୍କିରୁ କଟକ ଆସିବାକୁ ସେହି ସମୟରେ ମୋ’ ବାପା କଟକ ଛାଡ଼ି ବାଙ୍କିକୁ ବାଛିଥିଲେ।

ବାଧ୍ୟ ହୋଇ ମତେ ବାଙ୍କି ଯିବାକୁ ପଡ଼ିଲା। ବାଙ୍କିରେ ଫିଲ୍ମ ହଲ ତ ଦୂର କଥା, ଟେଲିଭିନ ମଧ୍ୟ ଆସିନଥିଲା। ସେ ସମୟରେ ରେଡିଓ ଥିଲା, କିନ୍ତୁ ସମସ୍ତଙ୍କ ଘରେ ନୁହେଁ। ଏହିଭଳି ସ୍ଥିତିରେ ବାଙ୍କିରେ ମୁଁ ଧୀରେ ଧୀରେ ବଢ଼ିଲି। ବୟସ ସହ ବାଙ୍କିର ପରିବେଶ, ପରିସ୍ଥିତି, ଗାଁ ଗହଳିର ଅଭାବ ଅନଟନ ଦେଖି ଅନେକ ଅଭିଜ୍ଞତା ହାସଲ କଲି।

ଗାଉଁଲି ପରିବେଶ, ଖାଲି ପାଦରେ ସ୍କୁଲ ଯିବା, ସାଙ୍ଗ ସାଥୀଙ୍କ ସହ କାନ୍ଧରେ ବହି ବୋହି ବୋହି ସ୍କୁଲକୁ ଯିବା ଏ ସବୁ ଘଟଣା ମୋ ଜୀବନ ଉପରେ ବହୁତ ପ୍ରଭାବ ପକାଇଛି। ବାଙ୍କି ପରିବେଶ ମୋତେ ଜୀବନ୍ତ ଚଳିଚ୍ଚିତ୍ରଟିଏ ନିର୍ମାଣ କରିବାକୁ ପ୍ରେରଣା ଦେଇଛି। ବାଙ୍କିରେ ଡ୍ରାମା ହେଉଥିଲା ବେଳେ ମୁଁ ସେଥିରେ ଭାଗ ନେଉଥିଲି। ଡ୍ରାମା ଦେଖୁଥିଲି, ଶିଖୁଥିଲି। ପ୍ରମ୍ପଟିଂ କରିବାକୁ ଚେଷ୍ଟା କଲି। ଡ୍ରାମାର ବଡ଼ କଳାକାରଙ୍କ ପାଖରେ ସୁଯୋଗ ମିଳିବା ସେତେବେଳେ ବହୁତ କଷ୍ଟ ଥିଲା।

ଆପଣ କେବେ ଭାବିଥିଲେ କି ଫିଲ୍ମରେ ନିର୍ଦ୍ଦେଶନା ଦେବେ ବୋଲି?

କେହି ଭାବି କି ସିନେମା ନିର୍ମାତା ହୋଇନଥାଏ। ଏଇଟା ଗୋଟେ ନିଶା। ଯଦି କୌଣସି କ୍ଷେତ୍ରରେ ଆପଣଙ୍କର ନିଶା ରହିବନି ଆପଣ କିଛି ବି କରିପାରିବେନି। ଯେକୌଣସି କାମ ପାଇଁ ଗୋଟିଏ ନିଶା ରହିବା ନିହାତି ଆବଶ୍ୟକ। ସବୁ ଜିନିଷ ପଛରେ ଆଗ୍ରହ ଏବଂ ଆକର୍ଷଣ ରହିବା ଦରକାର।

ପିଲାବେଳେ ମୁଁ କଟକ ସିନେମା ହଲରେ ଅନେକ ସିନେମା ଦେଖିଛି।  ସେତେବେଳୁ ମୋ ମନ ଭିତରେ କୋଉଠି ନା କୋଉଠି ଫିଲ୍ମ ପ୍ରତି ଦୁର୍ବଳତା ଆସିଯାଇଥିଲା। ଫିଲ୍ମ ଦେଖିଲା ପରେ ମୋ ମନକୁ ଆସିଥିଲା ମୁଁ ଏମିତି ଫିଲ୍ମଟେ କରିବି।

ଯେଉଁ ସମୟରେ ଓଡ଼ିଆ ସିନେମା ପ୍ରତି ଲୋକଙ୍କର କୌଣସି ଧାରଣା ନଥିଲା, ସେ ସମୟରେ ଫିଲ୍ମରେ ନିର୍ଦ୍ଦେଶନା ଦେବା ଏବଂ ତାକୁ କ୍ୟାରିୟର କଲେ। ଆପଣଙ୍କ ପରିବାରର ସହଯୋଗ କିମିତି ରହିଥିଲା?

କୌଣସି କ୍ଷେତ୍ରରେ ନିଜର କ୍ୟାରିୟର କରିବାକୁ ହେଲେ ନିଜକୁ ସେତିକି ଦକ୍ଷ ହେବାକୁ ପଡ଼ିବ। ମୋ ବଡ଼ ଭାଇ ଅନଦା ଚରଣ ଦାସ ଭୁବନେଶ୍ଵର କଳାକେନ୍ଦ୍ର ନିର୍ମାଣ କରିଥିଲେ। ସେଠାରେ ଡ୍ୟାନ୍ସ ଆଦି ଶିକ୍ଷା ଦିଆଯାଉଥିଲା। ସେଠାକୁ ପ୍ରଖ୍ୟାତ ନୃତ୍ୟଗୁରୁ କେଳୁଚରଣ ମହାପାତ୍ର, ଦେବପ୍ରସାଦ ଦାସ ଆସୁଥିଲେ। ଭୁବନେଶ୍ଵର ମିଶ୍ର ଭାଓଲିନ ବଜାଇବାକୁ ଆସନ୍ତି। ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ପ୍ରଭାବ ମୋ ଉପରେ ପଡ଼ିଥିଲା। ସଂଗୀତ ଏବଂ ନାଟକ ପରିବେଶ ମଧ୍ୟରେ ଅନେକ ଅନେକ ସମୟ କଟୁଥିଲା। ନାଟକ ପରିବେଶ ମୋତେ କଳା କ୍ଷେତ୍ରକୁ ଟାଣି ଆଣିଥିଲା। ମୁଁ ପ୍ରଥମେ ଡ୍ରାମାରେ ଅଭିନୟ କରୁଥିଲି। ଧୀରେ ଧୀରେ ଫିଲ୍ମରେ ପଶିଗଲି। ପରିବାର ଲୋକ ବହୁତ ସମର୍ଥନ କରିଥିଲେ।

ଆପଣ ଅନେକ ଓଡ଼ିଆ ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ଅନେକ କଳାକାରଙ୍କୁ ସୁଯୋଗ ଦେଇଛନ୍ତି। ଆପଣ କାହିଁକି ଅଭିନୟ କରିବାକୁ ଚାହିଁଲେ ନାହିଁ?

 ଅଭିନୟ କରିବା କଥା ଭାବି ଆଇନା ଭିତରକୁ ଚାହିଁ ଦେଲେ ବହୁତ ହସ ଲାଗେ। ମୁଁ ବହୁତ ମାପିଚୁପି କାମ କରିବାକୁ ଭଲପାଏ। ଥରେ ‘ଅଗ୍ନି ସଙ୍କେତ’ ଫିଲ୍ମର ଜଣେ ବନ୍ଧଙ୍କୁ ମୁଁ ଅଭିନୟ ପାଇଁ ସୁଯୋଗ ଦେଇଥିଲି। କିନ୍ତୁ ସେ ଫିଲ୍ମଟିକୁ ଛାଡ଼ି ପଳେଇଥିଲେ। କିଛି ମୁଣ୍ଡରେ ପଶୁନଥାଏ ଦିନେ ଦି’ଦିନ ଭିତରେ କାହାକୁ ଏହି ଚରିତ୍ର ପାଇଁ ନେବି। ସେହି ବନ୍ଧୁ ଜଣକ ମୋତେ ପରାମର୍ଶ ଦେଲେ ପ୍ରଣବ ତମେ ନିଜ ସେହି ଚରିତ୍ରରେ ଅଭିନୟ କର। ଶେଷରେ କିଛି ଉପାୟ ନପାଇ ମୁଁ ସେଇ ଫିଲ୍ମରେ ଅଭିନୟ କରିଥିଲେ। ତା’ପରେ ଆଉ ଅଭିନୟ କଥା ଭାବି ନାହିଁ?

ଆପଣଙ୍କ ନିର୍ଦ୍ଦେଶିତ ଫିଲ୍ମ ହାକିମ ବାବୁର କାହାଣୀକୁ ଦର୍ଶକ ଏବେବି ପସନ୍ତ କରନ୍ତିସେଇ ଫିଲ୍ମ ପାଇଁ ଷ୍ଟାର କାଷ୍ଟ କେମିତି ଖୋଜିଥିଲେ?  

ଅଜିତ ଦାସ ମୋ ସହ ‘ହାକିମ ବାବୁ’ ପୂର୍ବରୁ କାମ କରିଥିଲେ। ତାଙ୍କ ସହ ମୋର ସମ୍ପର୍କ ବହୁତ ନିବିଡ଼। ମୋ ସାଥୀରେ ପୂର୍ବରୁ ସେ ‘ଅଗ୍ନିସଙ୍କେତ’ରେ କାମ କରିଥିଲେ।  ତେଣୁ ‘ହାକିମବାବୁ’ରେ ଅଜିତ ଦାସ ଅଭିନୟ କଲେ ଭଲ ହୁଅନ୍ତା ବୋଲି ମୋ ମନକୁ ଆସିଥିଲା।

ସେ ସମୟରେ ଆଦିବାସୀ ଚରିତ୍ର କରିବାକୁ ବିଜୟ ମହାନ୍ତି ଉପଯୁକ୍ତ ବୋଲି ଅନେକ କହୁଥିଲେ। କିନ୍ତୁ ଅଜିତ ବାବୁଙ୍କୁ ଏହି ଚରିତ୍ରରେ ଅଭିନୟ କରିବାକୁ ମୁଁ ପରାମର୍ଶ ଦେଇଥିଲି। ଏହି ଫିଲ୍ମଟି କରିବା ପାଇଁ ସବୁ କଳାକାର  ବହୁତ ପରିଶ୍ରମ କରିଥିଲେ। ‘ହାକିମ ବାବୁ’ରେ ସବୁ କଳାକାରଙ୍କୁ ଉପଯୁକ୍ତ ଚରିତ୍ର ମିଳିଥିଲା। ସମସ୍ତଙ୍କ ସହଯୋଗ ଯୋଗୁଁ ଫିଲ୍ମଟି ସମ୍ପୂର୍ଣ୍ଣ କରିବାକୁ ବିଶେଷ ଅସୁବିଧା ହୋଇନଥିଲା।

ହାକିମ ବାବୁଫିଲ୍ମ ପାଇଁ କାହାଣୀ ବିଭୂତି ପଟ୍ଟନାୟକଙ୍କର ନେଇଥିଲେ। ଆଗରୁ ମଧ୍ୟ ଦେଖାଯାଇଛି ଉପନ୍ୟାସକୁ ନେଇ ଅନେକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରାଯାଉଥିଲା। କିନ୍ତୁ ଏବେ କାହିଁକି ତାହା ହେଉ ନାହିଁ?

ବର୍ତ୍ତମାନ ଗଳ୍ପ ଓ ଉପନ୍ୟାସକୁ ଆମେ ଅବହେଳା କରୁଛୁ। ଆଗରୁ ଆମର ସବୁ ସନେମା ‘ଅମଡ଼ାବାଟ’, ‘ମଲ୍ଲା ଜହ୍ନ’, ‘ଅଭିନେତ୍ରୀ’, ‘କା’’ ଏବଂ ‘ଶାସ୍ତି’ ଆଦି ଉପନ୍ୟାସ ଭିତ୍ତିକ ସିନେମା ହେଉଥିଲା। ବର୍ତ୍ତମାନ ଆଉ ଉପନ୍ୟାସରୁ ଫିଲ୍ମ କରାଯାଉ ନାହିଁ। ଏଥିପାଇଁ ଆମେ ନିଜେ ହିଁ ଦାୟୀ।

ଏବେ ଉଦଭଟ ସିନେମା କରାଗଲା। ଯଦି ଫ୍ରେଞ୍ଚ ସିନେମା ଭଳି ଉଦଭଟ ସିନେମା କରାଯାଇଥାନ୍ତା ତା’ ହେଲେ ହୁଏତ ବଢ଼ିଆ ହେଇଥାନ୍ତା। ଆମେ କୌଣସି ଉପନ୍ୟାସକୁ ନେଇ ଫିଲ୍ମ କରିବାକୁ ଇଚ୍ଛା କଲୁନି। ନିଜ ନିଜର କି ନିଜ ସମ୍ପର୍କୀୟଙ୍କ ଲେଖାକୁ ନେଇ ଫିଲ୍ମ ନିର୍ମାଣ କାମ ଆରମ୍ଭ ହେଲା।

ଓଡ଼ିଶାରେ ଅନେକ ଉପନ୍ୟାସ ଏବଂ କ୍ଷୁଦ୍ର ଗଳ୍ପ ରହିଛି। ଏ ସବୁକୁ ନେଇ ଫିଲ୍ମ କରିବାରେ କ’ଣ ଅସୁବିଧା ରହିଛି ମୁଁ ତା କାହିଁ ଜାଣିପାରୁନି। ମୁଁ ଫକୀର ମୋହନଙ୍କର ତିନିଟି କ୍ଷୁଦ୍ରଗଳ୍ପକୁ ନେଇ ଫିଲ୍ମ କରିଛି। ଗୋଟିଏ ‘ସୁନା ବୋହୂ’, ‘ସଭ୍ୟ ଜମିଦାର’ ଏବଂ ‘ଧୂଳିଆବାବା’।

ଆପଣ ଅନେକ ବଡ଼ ବଡ଼ ଦକ୍ଷ ଏବଂ ଅଭିଜ୍ଞ କଳାକାରଙ୍କ ସହ କାମ କରିଛନ୍ତି। ସେମାନଙ୍କୁ ନିର୍ଦ୍ଦେଶନା ଦେବା ସମୟରେ କିଛି ଅସୁବିଧା ହେଇଛିକି?

ନାହିଁ..ମୋର ସେମିତି ଦୁର୍ଭାଗ୍ୟ କେବେ ଆସିନାହିଁ। କାରଣ ବିଜୟ ମହାନ୍ତି, ଅଜିତ ଦାସ ଏବଂ ସ୍ଵରୁପ ନାୟକ ହେଉଛନ୍ତି ମୋର ବନ୍ଧୁ। ବାବୁ ଭାଇ, ନେତ୍ରାନନ୍ଦ ମିଶ୍ର, ଦୁଃଖିରାମ ସ୍ଵାଇଁ, ହେମନ୍ତ ଭାଇ ଏବଂ ଗ୍ଲୋରିଆ ମହାନ୍ତି, ସୁଜାତା ଆନନ୍ଦ ସମସ୍ତେ ମୋତେ ବହୁତ ଭଲ ପାଆନ୍ତି। ସେମାନଙ୍କ ସହ କାମ କରିବାକୁ ମତେ ଅସୁବିଧା ନୁହେଁ ବରଂ ଆନନ୍ଦ ମିଳେ।

ପୂର୍ବରୁ ସୁଜାତା ଆନନ୍ଦ ଏବଂ ମୁଁ ଏକାଠି ଗୋଟିଏ ମଞ୍ଚରେ କାମ କରିଥିଲୁ। ତେଣୁ ତାଙ୍କ ସହ କାମ କରିବାକୁ ମୋତେ ସହଜ ହୁଏ। ମିହିର ଦାସ ମୋ ସାନ ଭାଇ ଭଳିଆ। ଆଉ ସିଦ୍ଧାନ୍ତ ମଧ୍ୟ ମୋତେ ବଡ଼ ଭାଇମାନେ। ତେଣୁ କେବେ କିଛି ଅସୁବିଧା ହୋଇନାହିଁ।

କ’ଣ କରାଗଲେ ଓଡ଼ିଆ ସିନେମାକୁ ପୁଣି ଦର୍ଶକଙ୍କ ଭଲ ପାଇବା ମିଳିବ?

ଆମେ ଯଦି ଯଦି ‘ବାହୁବଳୀ’ ଫିଲ୍ମକୁ କପି କରିବା କଥା ଚିନ୍ତା କରିବା ଏହା କେମିତି ସମ୍ଭବ ହେବ। ନା ଆମ ପାଖରେ ସେତିକି ଭିତ୍ତିଭୂମି ରହିଛି ନା ସେତିକି ଅର୍ଥ ରହିଛି। କମ୍ ବଜେଟରେ ‘ବହୁବଳୀ’ ଭଳି ଫିଲ୍ମ କରିବାର ଚେଷ୍ଟା  ହାସ୍ୟାସ୍ପଦ। ତେଣୁ କପି ନକରି ବରଂ ନିଜର କାହାଣୀ କଲେ ପୁଣି ଓଡ଼ିଆ ସିନେମାକୁ ଦର୍ଶକ ଭଲ ପାଇବେ। ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ଅନେକ ଦକ୍ଷ ନିର୍ଦ୍ଦେଶକ ଅଛନ୍ତି। ଭଲ ଭଲ ସିନେମା ଦର୍ଶକଙ୍କୁ ଭେଟି ଦେଇ ଆସୁଛନ୍ତି।

ଏବେ ଓଟିଟି ସମୟ। ଯେଉଁଠି ସାଉଥ, ବଲିଉଡ, ବେଙ୍ଗଲି ପିଲ୍ମ ଏବଂ ବିଭିନ୍ନ ଓ୍ଵେବସିରିଜ ଓଟିଟି ପ୍ଲାଟ ଫର୍ମରେ ଦେଖିବାକୁ ମିଳୁଛି।  ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଓଡ଼ିଆ କଣ୍ଟେଣ୍ଟ ଦେଖିବାକୁ ମିଳୁନି ଏ ନେଇ କଣ କହିବେ?

ଆଗକୁ ସମୟ ଆସୁଛି।  ଆମାଜନ, ନେଟଫ୍ଲିକ୍ସ ଏବଂ ହଟଷ୍ଟାରରେ ନିଶ୍ଚୟ ଆମ ଫିଲ୍ମ ଆସିବ।  ଆମଠାରୁ ଫିଲ୍ମ ମାଗିକି ନେବ। ଆମେ ଭାରତ ସିନେମା ଜଗତକୁ ଅନେକ ସଫଳ ଫିଲ୍ମ ଭେଟି ଦେଇଛୁ। ଫିଲ୍ମ ନିର୍ମାଣ କ୍ଷେତ୍ରରେ ଆମର ସ୍ଵତନ୍ତ୍ର ପରିଚୟ ରହିଛି। ଆମେ ବହୁ ପୂର୍ବରୁ ଅନେକ ଜାତୀୟ ପୁରସ୍କାର ପାଇ ଆସିଛୁ। ସିନେ ଜଗତକୁ ଆମେ ଅନେକ ସଫଳ ଫିଲ୍ମ ଭେଟି ଦେଇଛି। ଫିଲ୍ମ ଦୁନିଆଁରେ ଆମର ସ୍ଵତନ୍ତ୍ର ସ୍ଥାନ ମଧ୍ୟ ରହିଛି। ମୁଁ ନିଜେ ‘ହାକିମ ବାବୁ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛି। ଏବେ କପି କରି ଫିଲ୍ମ କରାଯାଉଛି ତେଣୁ ଜାତୀୟ ପୁରସ୍କାର ମିଳିପାରୁନି।

ପଣ ଯେଉଁ ସମୟରେ କାମ ଆରମ୍ଭ କରିଥିଲେ ଆଉ ଏବେର ଫିଲ୍ମ ଇଣ୍ଡଷ୍ଟ୍ରି ଭିତରେ କଣ ଫରକ ଅନୁଭବ କରୁଛନ୍ତି?

ମୋର ପ୍ରଥମ ସିନେମା ‘ଶେଷ ପ୍ରତୀକ୍ଷା’ ୧୯୭୯ରେ ଆରମ୍ଭ କରିଥିଲି। ପ୍ରଥମ ଫିଲ୍ମଟିକୁ ସାରିବାକୁ ମୋତେ ପ୍ରାୟ ୫ରୁ ୬ ବର୍ଷ ସମୟ ଲାଗିଯାଇଥିଲା। ବିଭିନ୍ନ ସମସ୍ୟା ସହ ଆର୍ଥିକ ଅସୁବିଧା ଯୋଗୁଁ ଫିଲ୍ମଟି ବହୁ ବିଳମ୍ବରେ ପୂର୍ଣ୍ଣ ହେଲା। ସେ ସମୟରେ ଗୋଟିଏ ସିନେମା କରିବା ସହଜ ନଥିଲା। ସେତେବେଳେ କଳାଧଳା ସିନେମା କରାଯାଉଥିଲା।

ସେ ସମୟରେ ଫିଲ୍ମଟିଏ ନିର୍ମାଣ ହେଉଥିଲେ ଉତ୍ସାହିତ କରିବାକୁ ଅନେକ ଲୋକ ଆଗୁକୁ ଆସିଯାଉଥିଲେ। ଫିଲ୍ମଟିଏ ଆସିଲେ ଭଲ ସାମ୍ବାଦିକ ଉତ୍ସାହିତ କରୁଥିଲେ। ଆଗକୁ ବଢ଼ିବାକୁ ବଳ ମିଳୁଥିଲା। କିନ୍ତୁ ଏବେ ଆଉ ସେସବୁ ଦେଖିବାକୁ ମିଳୁନାହିଁ।

Comment