ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କେବେ ଗଠନ ହେବ ପୁରୁଷ କମିଶନ? ଏହି ଭଳି ପ୍ରଶ୍ନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ଏହି ପୋଷ୍ଟକୁ ନେଇ ରାଜନୈତିକ ମହଲରେ ଏବେ ହଟଚମଟ ସୃଷ୍ଟି ହୋଇଛି। 

ପୁରୁଷ କମିଶନକୁ ନେଇ ଜଣେ ସାଂସଦ କାହିଁକି ଏଭିଳି ପ୍ରଶ୍ନ ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଏକଥାକୁ ସହଜରେ ହଜମ କରିପାରୁ ନାହାନ୍ତି ସାଧାରଣ ଜନତା। ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଦ୍ଵନ୍ଦ୍ଵ ସୃଷ୍ଟି କରିଛି।

ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଉଠାଇଛନ୍ତି ପୁରୁଷ କମିଶନ କଥା। କେଉଁ ସମସ୍ୟାର ସମାଧାନ ପାଇଁ ପୁରୁଷ କମିଶନର ଆବଶ୍ୟକତା ଅନୁଭବଙ୍କୁ ପଡ଼ିଲା? ଏ କଥା ଆମେ କହୁନୁ, ଅନୁଭବ ମହାନ୍ତି ନିଜ ଟ୍ଵିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ଭାରତରେ କେବେ ପୁରୁଷ କମିଶନ ଗଠନ ହେବ ବୋଲି ପ୍ରଶ୍ନ କରିଛନ୍ତି କରିବା ପରେ ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି।

ଏହି ପୋଷ୍ଟ ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ସାଂସଦ ଅନୁଭବ ମହାନ୍ତି ଅସୁରକ୍ଷିତ ହୋଇପଡ଼ିଛନ୍ତି କି?ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ଅନୁଭବ ମହାନ୍ତିଙ୍କ ବୈବାହିକ ସମ୍ପର୍କରେ ଝଡ଼ ଉଠିବା ପରେ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ବାରମ୍ବାର ବର୍ଷାଙ୍କ ସପକ୍ଷରେ ରାୟ ଯାଉଛି। ଏହି କାରଣରୁ ଭାରତର ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ହରାଇ ଅନୁଭବ ମହାନ୍ତି ପୁରୁଷ କମିଶନ କଥା ଉଠାଇ ଥିବା କୁହାଯାଉଛି।

ଅନୁଭବଙ୍କର ଏ ଭଳି ପୋଷ୍ଟ କେଉଁ ଦିଗକୁ ଇଙ୍ଗିତ କରୁଛି ତାହା ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ଅନୁଭବ ଭାରତରେ ସମାନତା ଏବଂ ସବୁ ବର୍ଗଙ୍କର ସମାନ ଅଧିକାର କଥା କହୁଛନ୍ତି। ଭାରତରେ ପୁରୁଷ କମିଶନ କେବେ ଗଠନ ହେବ ବୋଲି ଅନୁଭଙ୍କ ପ୍ରଶ୍ନ ପାରିବାରିକ ନା ପୁରୁଷମାନଙ୍କ ଅଧିକାର ଏବଂ ସୁରକ୍ଷା ପାଇଁ ତାହା ସେ ସ୍ପଷ୍ଟ କରିନାହାନ୍ତି। ନିଜେ ଜଣେ ସାଂସଦ ହୋଇ ବର୍ତ୍ତମାନର ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ହରାଇଛନ୍ତି କି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠିଛି।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁରୁଷ କମିଶନ ପ୍ରସଂଗ ଲୋକସଭା କିମ୍ବା ରାଜ୍ୟ ସଭାରେ ଉଠାଇଛନ୍ତି କି ବୋଲି ଏବେ ଚାରି ଆଡ଼େ ପ୍ରଶ୍ନ ଉଠିଛି। ଅନୁଭବଙ୍କର ଏହି ଟ୍ଵିଟକୁ ନେଇ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି ପ୍ରଶଂସକ।

ବର୍ଷା-ଅନୁଭବଙ୍କ ବିବାହ ବିବାଦ ଚାଲିଥିଲେ ମଧ୍ୟ ସାଂସଦଙ୍କ ପତ୍ନୀ ହିସାବରେ ବର୍ଷାଙ୍କର ସମସ୍ତ ସୁବିଧା ପାଇବାର ଅଧିକାର ଅଛି ବୋଲି ନ୍ୟାୟାଳୟ କହିଛନ୍ତି। ଏହା ପରେ ଅନୁଭବଙ୍କର ଜଣେ ବାନ୍ଧବୀ ବର୍ଷାଙ୍କ ନାଁ ନନେଇ କାହିଁକି ତାଙ୍କୁ ସବୁ ସୁବିଧା ମିଳିବ ବୋଲି ପ୍ରଶ୍ନ କରିଥିଲେ। ଏହା ସହ ତାଙ୍କ ପ୍ରମାଣ ପତ୍ରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ଘଟଣା ପରେ ବିର୍ଷା ଅନୁଭବଙ୍କ ବାନ୍ଧବୀଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ଏହି ଘଟଣାକୁ ସପ୍ତାହେ ନପୁରୁଣୁ ଅନୁଭବ ଭାରତରେ ପୁରୁଷ କମିଶନ କେବେ ଗଠନ ହେବା ନେଇ କରିଥିବା ଟ୍ଵିଟର ପୋଷ୍ଟ ବିଭିନ୍ନ ଦିଗକୁ ଇଙ୍ଗିତ କରୁଥିବା ଅନୁମାନ କରାଯାଉଛି। ତେବେ କାହିଁକି ସାଂସଦ ଅନୁଭବ ମହାନ୍ତି ଏହିଭଳି ପୋଷ୍ଟ କରିଛନ୍ତି? ଏ ନେଇ ଅନୁଭବ ନିଜେ ସ୍ପଷ୍ଟ କରିବା ପରେ ହିଁ ସବୁ ପ୍ରଶ୍ନର ଉତ୍ତର ମିଳିଯିବ ବୋଲି କୁହାଯାଉଛି।

Comment